ଭୁବନେଶ୍ବର: ପୁଣି ଜୀବନ ନେଲା ମୋ ବସ୍ । ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ହାଇଟେକ ଛକ ନିକଟରେ ମୋ ବସ୍ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି । ବାଇକ ସହ ମୋ ବସ୍ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ରାଖେଲ ପାତ୍ର । ସେ ଏକ ଏକ ଘରୋଇ ଆପାର୍ଟମେଣ୍ଟରେ କାମ କରୁଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । କମିଶନରେଟ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ କରୁଛି ।
ଏହା ମଧ୍ୟ ପଢ଼ନ୍ତୁ: ଖୋର୍ଦ୍ଧା 16 ଜାତୀୟ ରାଜପଥରେ ମୋ ବସ ଟ୍ରକ ମୁଁହାମୁହିଁ ଧକ୍କା, ୧୦ ଆହତ
ସୂଚନା ଅନୁଯାୟୀ, ଏୟାରଫିଲ୍ଡ ଥାନା ହାଇଟେକ ଛକ ଓ ଜାମୁକୋଳୀ ଛକ ମଝିରେ ଥିବା ପ୍ରଧାନସାହି ନିକଟରେ ଏହି ଘଟିଛି ଘଟଣା । ରୁଟ ନମ୍ବର 22(A) ଭୁବନେଶ୍ୱର ରେଳ ଷ୍ଟେସନରୁ ରାଜମହଲ ଓ ସୁନ୍ଦରପଦା ଦେଇ ମୋ ବସ୍ଟି ଜଟଣୀ ଯାଉଥିଲା । ଅପରାହ୍ନ ପ୍ରାୟ 4 ରୁ 5ଟା ମଧ୍ୟରେ ରାଖେଲ ପାତ୍ର ସୁନ୍ଦରପଦାରୁ ଆସୁଥିବା ବେଳେ ବିରିବନ୍ଧ ନିକଟରେ ମୋ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରଖେଲ ବସ୍ରେ ପିଟି ହୋଇ ତିନିରୁ ଚାରି ମିଟର ରାସ୍ତାରେ ଘୋଷାଡ଼ି ହୋଇଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୁର୍ଘଟଣା ଯୋଗୁଁ ବସ୍ର ସାମ୍ନାପଟ କାଚ ଭାଙ୍ଗିଯିବା ସହ ବନେଟ ଚେପା ହୋଇଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ: ମୋ ବସ-ADMଙ୍କ ଗାଡି ଦୁର୍ଘଟଣା: CCTV ଫୁଟେଜ ସହ ସ୍ପଷ୍ଟୀକରଣ ରଖିଲା କ୍ରୁଟ
ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରି ଘଟଣାର ତଦନ୍ତ କରୁଛି ପୋଲିସ । ବେପରୁଆ ଗାଡ଼ି ଚାଳନା ଯୋଗୁଁ ମୋ ବସ୍ ଦୁର୍ଘଟଣାଗ୍ରସ୍ତ ହେଉଛି । କେବଳ ଜଣେ ନୁହେଁ ମୋ ବସ୍ ଦୁର୍ଘଟଣାରେ ଅନେକ ଜୀବନ ଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର