ଖୋର୍ଦ୍ଧା: ଓଡିଶାକୁ ଦେଶର କ୍ରୀଡା ରାଜଧାନୀ ଭାବରେ ପରିଗଣିତ କରାଯାଉଛି । କ୍ରୀଡା ରାଜଧାନୀ ଭାବେ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା । ରାଜ୍ୟ ତଥା ଦେଶ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ । ଶ୍ରେଷ୍ଠ କ୍ରୀଡା ଆୟୋଜକ ଭାବରେ ଓଡିଶା ଦେଶରେ ସମ୍ମାନିତ ହୋଇଛି । ଖାଲି ରାଜ୍ୟ ନୁହେଁ ଜିଲ୍ଲା ସ୍ତରରେ ମଧ୍ୟ ଦେଖିବାକୁ ମିଳିଛି କ୍ରୀଡା ପ୍ରତି ସମସ୍ତଙ୍କ ଆଗ୍ରହ । ଖୋର୍ଦ୍ଧା ଜିଲ୍ଲାରେ ମା’ ରାମଚଣ୍ଡୀ କବାଡି ଆସୋସିଏସନ ବାଙ୍କୋଇ ପକ୍ଷରୁ କବାଡି ଖେଳର ଆୟୋଜନ କରାଯାଇ ଖେଳାଳି ମାନଙ୍କୁ ଉତ୍ସାହିତ କରାଯାଇଥିଲା ।
ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ବାଙ୍କୋଇ ସ୍ଥିତ କଚେରୀବର ଠାରେ ୪୨ତମ ମା’ ରାମଚଣ୍ଡୀ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ ଦିବସରେ ଭାପୁର ବ୍ଲକର କାଳିକା ପ୍ରସାଦ କବାଡି ଟିମ ଏବଂ ଆୟୋଜକ ରାମଚଣ୍ଡୀ କବାଡି ଟିମ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା । କାଳିକା ପ୍ରସାଦ କବାଡି ଟିମ ରାମଚଣ୍ଡୀ କବାଡି ଟିମକୁ ପରାସ୍ତ କରି ମ୍ୟାଚରେ ବିଜୟୀ ହୋଇଛି । କଳିକା ପ୍ରସାଦ କବାଡି ଟିମ ୧୫ ପଏଣ୍ଟ ବ୍ୟବଧାନରେ ରାମଚଣ୍ଡୀ କବାଡି ଟିମକୁ ହରାଇବାରେ ସଫଳ ହୋଇଛି ।
ଉଦଘାଟନ ଦିବସରେ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରଫୁଲ୍ଲ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସୁବାସ ରାୟଗୁରୁ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କବାଡି ଟୁର୍ଣ୍ଣାମେଣ୍ଟରେ ଗୋପାଳ ମହାନ୍ତି ରେଫରୀ ରହିଥିଲେ । ସେହିପରି ନୀଳକଣ୍ଠ ବେହେରା ଓ କାହ୍ନୁଚରଣ ସାମନ୍ତରାୟ ଖେଳ ପରିଚାଳନା କରୁଥିଲେ । ସେହିପରି ଆୟୋଜକ ସୁରେଶ ଚନ୍ଦ୍ର ସାମନ୍ତରାୟଙ୍କ ସହ ମା’ ରାମଚଣ୍ଡୀ କବାଡି ଆସୋସିଏସନ ସଦସ୍ୟ ଓ ସ୍ବେଚ୍ଛାସେବୀ ମାନେ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା