ଭୁବନେଶ୍ବର: ସହରରେ ଲୁଟ, ଛିନତାଇ, ଡକାୟତି ଯେତିକି ବୃଦ୍ଧି ପାଉଛି, ସେତିକି ବଢ଼ୁଛି ମୋ ବସରେ ଲୁଟରାଙ୍କ ଆତଙ୍କ । ଝିଅ ବାହାଘର ପାଇଁ ଲୁଗା କିଣିବାକୁ ଆସିଥିବା ଚାଷୀର ଲୁଟି ନେଇଗଲେ ଟଙ୍କା । ହଜାରେ କି ଦୁଇ ହଜାର ନୁହେଁ, ୫୦ ହଜାର ଟଙ୍କା ଲୁଟିନେଲେ । ଝିଅର ପୁଆଣିଘର ପାଇଁ ବନ୍ଧୁ ବାନ୍ଧବଙ୍କୁ ମର୍ଯ୍ୟାଦା ଦେବା ପାଇଁ ବାଙ୍କିରୁ ଆସିଥିଲେ ଚାଷୀ ପରିବାର । ହେଲେ କେଇ କ୍ଷଣ ମଧ୍ୟରେ ମୋ ବସରେ ଯିବାବେଳେ ପଟିଆ ଛକରେ ପକେଟରୁ ଟଙ୍କା ନେଇ ଛୁ' ମାରିଲେ ଲୁଟେରା । ଯାହାକୁ ନେଇ ସାଧାରଣ ଯାତ୍ରୀଟିଏ ମୋ ବସରେ ଯିବାବେଳେ କେତେ ସୁରକ୍ଷିତ, ସେନେଇ ପ୍ରଶ୍ନ ଉଠିଛି ।
ଚନ୍ଦ୍ରଶେଖରପୁରରେ ଲୁଟ୍ର ଶିକାର ହୋଇଥିବା ପରିବାରର ଅଭିଯୋଗ ଅନୁସାରେ, ବାଙ୍କିରୁ ବିଲିପଡା ବରପଦନପୁରର ଚାଷୀ ରାଜକିଶୋର ଜେନା, ତାଙ୍କ ପତ୍ନୀ ଓ ଝିଅ ସହ ମିଶି ଲୁଗା କିଣିବା ପାଇଁ ଆସିଥିଲେ । ଗତ ୧୦ ତାରିଖରେ ବଡ଼ ଝିଅର ବାହାଘର ସରିଥିବାରୁ ପୁଆଣିଘର ମର୍ଯ୍ୟାଦା ଦେବା ପାଇଁ ୬୦ରୁ ୭୦ ଖଣ୍ଡ ଲୁଗା ପରିବାର ପରିଜନଙ୍କୁ ଦେବା ପାଇଁ କିଣିବାକୁ ଭୁବନେଶ୍ୱର ଆସିଥିଲେ । ମା' ତାରିଣି ଲୁଗା ଦୋକାନକୁ ଯିବାର ଥିଲା । ଏଥିପାଇଁ ବାଙ୍କିରୁ ଆସି ତ୍ରିଶୁଳିଆରୁ ୧୮ ନମ୍ବର ମୋ ବସ ଧରିଥିଲେ । ତେବେ ଭୁବନେଶ୍ୱର ସହର ଭିତରେ ବସଟି ପ୍ରବେଶ କରିସାରିଥିଲା । ପଟିଆ ଛକ ପାଖରେ ଏକ ସ୍ଥାନରେ ହଠାତ୍ ବସ ଭିତରେ ଗହଳି ହେଲା । ରାଜକିଶୋର ଜେନାଙ୍କୁ ଟିକେ ଅଚେତ ଅଚେତ ଲାଗିଲା । ତାପରେ ହଠାତ୍ ତାଙ୍କ ପକେଟରେ ଟଙ୍କା ସୁରକ୍ଷିତ ଅଛି କି ନାହିଁ ହାତ ମାରି ଦେଖିଲା ବେଳକୁ ଆଉ ଟଙ୍କା ନଥିଲା । ଏହାପରେ ସେ ବସ କର୍ମଚାରୀଙ୍କୁ କହିଲେ । ହେଲେ ନିରାଶ ହୋଇ ନିଜ ପତ୍ନୀ ଓ ଝିଅ ସହ କାନ୍ଦି କାନ୍ଦି ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଲେ । ଅଭିଯୋଗ ଥାନାରେ ଜଣାଇଲେ । ହେଲେ ସେତେବେଳକୁ ନେଡି ଗୁଡ କହୁଣିକୁ ବୋହିଗଲା ପରି ଆଉ କିଛି ନଥିଲା । ଜାଣିବାକୁ ପାଇଲେ ସହରରେ ଏପରି ଲୁଟେରା ଆତଙ୍କରାଜ ଖେଳାଇଛନ୍ତି । ନିରିହ ଲୋକଙ୍କର ଟଙ୍କାକୁ କ୍ଷଣିକରେ ଗାଏବ କରୁଛନ୍ତି । ତେବେ ଏସବୁ ଶୁଣିବା ପରେ ଭଗବାନଙ୍କ ଭରସାରେ ଅଛନ୍ତି ରାଜକିଶୋର ।
କିନ୍ତୁ ବାସ୍ତବରେ ସହରର ଅସଲ ସୁରକ୍ଷା ଓ ପିପୁଲ ଫ୍ରେଣ୍ଡଲି ନାରା ଦେଉଥିବା ବଡ଼ ଖାକି ବାବୁ ମାନଙ୍କର ଅସଲ ପାରିବା ପଣିଆ ପଦାରେ ପଡିଛି । ପୋଲିସ ଗାଡି ଧରି ସାଇରନ ମାରି ଧାଁ ଧପଡ କରୁଥିଲେ ବି ସହରରେ ଲୁଟେରା ସେମାନଙ୍କର ଆତଙ୍କରାଜ ଖେଳାଇ ଚାଲିଛନ୍ତି । ମୋ ବସ୍ରେ ଲୁଟ ଘଟଣା ଏହା ନୂଆ ନୁହେଁ, ପୂର୍ବରୁ ମଧ୍ୟ ରମାଦେବୀ କଲେଜର ଦୁଇ ଛାତ୍ରୀଙ୍କୁ ଲୁଟିଥିଲେ । ଏପରିକି ଜଣେ ବୃଦ୍ଧ ଲୋକ ଅପରେସନ ପାଇଁ ଯାଉଥିବା ବେଳେ ତାଙ୍କ ଟଙ୍କା ନେଇ ଛୁ ମାରିଥିଲେ ଲୁଟେରା । ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଗ୍ୟାଙ୍ଗ ଧରାପଡିଥିଲେ । କିନ୍ତୁ ତଥାପି ଚାଲୁଛି ଏଭଳି ଲୁଟେରାଙ୍କ ଆତଙ୍କରାଜ । ନିରିହ ଲୋକଟିଏ ଅପରାଧର ଶିକାର ହୋଇ ସର୍ବସ୍ବ ହରାଉଥିଲେ ମଧ୍ୟ ଏସବୁ ଦିଗରେ ରୋକ ଲାଗିପାରୁନି । କ୍ରାଇମ୍ କ୍ରିମିନାଲ ଟ୍ରାକିଂ ଠିକ୍ରେ କରିପାରୁନି ପୋଲିସ । ହୁଏତ ଜେଲ୍ରୁ ଫେରି ଅପରାଧି ଆତଙ୍କ ମଚାଉଛନ୍ତି । ଏକୁଟିଆ ରାସ୍ତାରେ ଭୟ ଲାଗୁଛି । ବସ୍ରେ ଯାତ୍ରା କରିବା ସୁରକ୍ଷିତ ହେଉନି । କିନ୍ତୁ କମିଶନରେଟ ପୋଲିସ ସହରର ଏପରି ଅବସ୍ଥା ପାଇଁ ନିଜ ଅପରଗତା ନେଇ ସୁଧାରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ସିନିୟର ଅଧିକାରୀଙ୍କ କ୍ରାଇମ୍ କ୍ରିମିନାଲ ଅଭିଜ୍ଞତା କାମ ଦେଉନି, ନଚେତ ପୋଲିସ ଯେପରି ଏସବୁ ଦିଗରେ ଏକ ପ୍ରୋ ଆକ୍ଟିଭ ଭାବେ କାମ କରିବା କଥା ତାହା ହେଉନି ବୋଲି ଅଭିଯୋଗ ହୋଇଛି । ଯେଉଁ କାରଣରୁ ଏଭଳି ପରିସ୍ଥିତି ଉପୁଜିଛି ।
ଇଟିଭି ଭାରତ, ଭୁବନେଶ୍ବର