ଖୋର୍ଦ୍ଧା: ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ରାତି ହେଲେ ସ୍ତ୍ରୀ ଓ ପ୍ରସୂତି ରୋଗୀଙ୍କୁ ମିଳୁନି ଚିକିତ୍ସା ସୁବିଧା । ରୋଗୀ ଓ ସମ୍ପର୍କୀୟଙ୍କୁ ହସ୍ପିଟାଲ କର୍ମଚାରୀ ଭୟଭୀତ କରି ଘରୋଇ ହସ୍ପିଟାଲକୁ ନେବାକୁ ଏକ ପ୍ରକାର ବାଧ୍ୟ କରୁଥିବା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଆଉ ସେପଟେ ଘରୋଇ ହସ୍ପିଟାଲକୁ ଆସି ରୋଗୀମାନେ ଶୋଷଣର ଶିକାର ହେଉଥିବା ବେଳେ ମାଲେ ମାଲ ହେଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ରୋଗୀଙ୍କୁ ଗୁରୁତର କହି ଭୁବନେଶ୍ବର ରେଫର କରୁଛନ୍ତି ସରକାରୀ ମେଡିକାଲରେ ଥିବା ଡାକ୍ତର ଓ ନର୍ସ । କିନ୍ତୁ ପାଖରେ ଥିବା ଘରୋଇ ହସ୍ପିଟାଲରେ ନର୍ମାଲ ଡେଲିଭରି ହୋଇ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ରୋଗୀ । ଘରୋଇ ହସ୍ପିଟାଲ ଏବଂ ସରକାରୀ ମେଡିକାଲର କର୍ମଚାରୀଙ୍କ ଭିତରେ ଥିବା ମଧୁଚନ୍ଦ୍ରିକା ପାଇଁ ଶୋଷଣର ଶିକାର ହେଉଛନ୍ତି ଗରିବ ରୋଗୀ ।
ଖୋର୍ଦ୍ଧା ସହରରେ ଛତୁ ଫୁଟିବା ଭଳି ଖୋଲିଛି ଘରୋଇ ହସ୍ପିଟାଲ । ସେହିପରି ଘରୋଇ ହସ୍ପିଟାଲ ଜନବସତି ଭିତରେ ଭଡାରେ ଚାଲିବା ଦ୍ବାରା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ପାର୍କିଂ ଓ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି କାରଣରୁ ନାନା ସମସ୍ୟା ଉପୁଜୁଥିବା ଅଭିଯୋଗ କରିଥିବା ବେଳେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିଛନ୍ତି । ଘରୋଇ ଚିକିତ୍ସାଳୟରେ କେବଳ ରୋଗୀ ଶୋଷଣର ଶିକାର ହେଉ ନାହାନ୍ତି ବରଂ ଆଖପାଖରେ ଥିବା ପଡ଼ୋଶୀ ମଧ୍ୟ ପ୍ରତିଦିନ ହଇରାଣ ହେଉଛନ୍ତି । ଚିକିତ୍ସାଳୟର ଆବର୍ଜନା ନିୟମିତ ସଠିକ ଭାବରେ ଉଠାଯାଉ ନଥିବା ସହିତ କୋଭିଡ ନିୟମ ପାଳନ ହେଉନଥିବାର ମଧ୍ୟ ଅଭିଯୋଗ କରିଛନ୍ତି ପାଖରେ ଥିବା ଘରୋଇ କରିଷ୍ଠ ନାଗରିକ । ସେମାନେ ବହୁ ଥର ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାର କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ