ଖୋର୍ଦ୍ଧା: ଖୋର୍ଦ୍ଧା ଏଲଆଇସି ଏଜେଣ୍ଟ କବିରାଜ ବେହେରାଙ୍କ ଚାଲବାଜି । ଭୂତ ନାମରେ ବଣ୍ଡ କରି ଉଠାଇ ନେବାକୁ ପ୍ରୟାସ କରିଥିଲା କୋଟି କୋଟି ଟଙ୍କା । ଏହି ଖବର ଜାଣିବା ପରେ ଖୋର୍ଦ୍ଧା ଏଲଆଇସି ଅଧିକାରୀ ଜାଣିପାରି EOW ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଇଓଡବ୍ଲୁ କବିରାଜଙ୍କୁ ଗିରଫ କରିବା ସହ ଆଜି(ଗୁରୁବାର) ତାଙ୍କୁ ଖୋର୍ଦ୍ଧା କୋର୍ଟରେ ହାଜର କରାଯାଇଛି ।
କବିରାଜ ମୃତ ଲୋକଙ୍କ ନାମରେ ଏଲଆଇସି ବୀମା କରି ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଚୂନ ଲଗାଇବାକୁ କରୁଥିଲା ଯୋଜନା । ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ ଚଳାଇଥିଲା ଏପରି କାରନାମା । ଅଭିଯୁକ୍ତ କବିରାଜ ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଠକେଇ କରିଛନ୍ତି । ଚଞ୍ଚକତା କରି ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସେ ୨୩ଟି ବୀମା କରିଥିଲେ ।
ପଲିସିଗୁଡ଼ିକୁ ୨-୫ ବର୍ଷ ଯାଏଁ ସଚଳ ରଖି ପ୍ରିମିୟମ ମଧ୍ୟ ଭରୁଥିଲେ । ଏହାପରେ ମିଛ ମୃତ୍ୟୁ ପ୍ରମାଣପତ୍ର ଦେଇ ବୀମା ରାଶି ପାଇଁ ଦାବି କରିଥିଲେ। ୫ଟି ପଲିସି ଉପରେ ଡେଥ୍ କ୍ଲେମ୍ ଦ୍ୱାରା ଏଲଆଇସି ୧ କୋଟି ୮୧ ଲକ୍ଷ ଟଙ୍କା ଦେଇଛି । ସେପଟେ ଘଟଣା ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ଖୋର୍ଦ୍ଧା ଏଲଆଇସି ବ୍ରାଞ୍ଚ ମ୍ୟାନେଜର ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ