ଖୋର୍ଦ୍ଧା: ଜଟଣୀର ପଦନପୁରରେ ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟିଚର ଟ୍ରେନିଂ ଇନଷ୍ଟିଚ୍ୟୁଟ ପାଇଁ ଏଠି କାମ ଆରମ୍ଭ ହେଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଓଡ଼ିଶା ବିକଶିତ ହେଲେ ଭାରତ ବିକଶିତ ହେବ । ଦକ୍ଷ ପ୍ରଶିକ୍ଷକ ବାହାରିଲେ ପିଲାଙ୍କ ଦକ୍ଷତା ବଢ଼ିବ ସ୍ଵାବଲମ୍ବୀ ହେବେ । ପିଲାଙ୍କ ଧର୍ମପଦ ହେବାର ମାନସିକତା ଦୃଢ଼ତ୍ତର ହେଉଛି । ଗରିବ ପରିବାରର ପିଲା ପ୍ରଧାନମନ୍ତ୍ରୀ ହୋଇପାରିଲେ ଦେଶର ନେତୃତ୍ଵ ନେଲେ । ଏଠାକର ପିଲା ମଧ୍ୟ ପ୍ରଧାନମନ୍ତ୍ରୀ କାହିଁକି ହୋଇପାରିବେନି ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଅଧିକ ପଢନ୍ତୁ- ପୁରୀ କେନ୍ଦ୍ରୀୟ ସଂସ୍କୃତ ସଦାଶିବ ବିଶ୍ଵବିଦ୍ୟାଳୟର ହେବ ନବକଳେବର
ସେହିପରି ଧର୍ମେନ୍ଦ୍ର କହିଛନ୍ତି ଜାତୀୟ ଶିକ୍ଷାନୀତିରେ ପିଲାଙ୍କ ବୌଦ୍ଧିକ ବିକାଶ ସହ ଶିକ୍ଷା ପରିସର ବ୍ୟାପକ ହେବ । ଉନ୍ନତ ଶୈକ୍ଷିକ ପରିବେଶରେ ସ୍କିଲିଂ, ରିସ୍କିଲିଂ, ଅପ ସ୍କିଲିଂ ହୋଇପାରିବ । ଏଠାକୁ NIOS, ଇଗ୍ନୋ ଅଣାଯିବ । ଯାହାଦ୍ବାରା ପିଲା ଉଚ୍ଚ ଶିକ୍ଷା ପାଇବେ । ଏଇଠି ରହି ଡିଗ୍ରୀ, ପିଏଚଡି ପାଇବେ । ଏହି ସଂସ୍ଥା 2047କୁ ଆଖି ଆଗରେ ରଖି କରାଯାଉଛି । ଆଗକୁ ବଢ଼ି ଚାକିରି ଦେବାର ମାନସିକତା ପିଲା ରଖନ୍ତୁ । ଧର୍ମେନ୍ଦ୍ର କହିଛନ୍ତି ସମୟ ବଦଳୁଛି ପାରିପାର୍ଶ୍ବିକ ପରିସ୍ଥିତି ବଦଳୁଛି । ଲୋକେ ପରିବର୍ତ୍ତନକୁ ବି ଆପଣାଉଛନ୍ତି । ଆଗାମୀ ଦିନରେ ଏହି ଅଞ୍ଚଳର ପିଲା ରାଜ୍ୟ ନୁହେଁ, ଦେଶ ନୁହେଁ ଅନ୍ତରାଷ୍ଟ୍ରୀୟ ସ୍ତରରେ ନେତୃତ୍ତ୍ବ ନେବେ।
ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ରହିଥିଲେ । ସେହିଭଳି ପ୍ରଶାସନିକ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଜଟଣୀ ଠାରେ ୯୦ କୋଟି ଟଙ୍କା ବ୍ୟୟରେ ୮ ଏକର ଜମିରେ ନିର୍ମାଣ ହେବ ଏହି ଟ୍ରେନିଂ ସେଣ୍ଟର ।
ଏଥିରେ ପ୍ରସ୍ତାବିତ ଷ୍ଟେଟ ଅଫ ଆର୍ଟ ଟ୍ରେନିଂ ବ୍ୟବସ୍ଥା, ଯୁବ ପିଢ଼ିଙ୍କ ଆଧୁନିକ ଦକ୍ଷତା ବିକାଶ ପାଇଁ ଏକ ଇଣ୍ଟିଗ୍ରେଟେଡ କମ୍ପଲେକ୍ସ ମଧ୍ୟ ନିର୍ମାଣ ହେବ । ବର୍ତ୍ତମାନ ଆମ ପିଲା ଦକ୍ଷ ହୋଇ ଅନ୍ୟଙ୍କୁ ଚାକିରୀ ଦେବାର ସମୟ ଆସିଛି ବୋଲି ମନ୍ତ୍ରୀ କହିଛନ୍ତି । ଆଗକୁ ସାରା ବିଶ୍ବରେ ଓଡ଼ିଶା ଦକ୍ଷତା ପହଞ୍ଚିବ । ଏହି ଅନୁଷ୍ଠାନରେ ସମସ୍ତ ବର୍ଗର ଦକ୍ଷତା ବିକାଶ ପାଇଁ ବ୍ୟବସ୍ଥା ରହିବ । ଫେରି ବାଲା ଠାରୁ ସାଧାରଣ ବ୍ୟବସାୟୀ ଉପକୃତ ହେବେ ।
ଇଟିଭି ଭାରତ, ଖୋର୍ଦ୍ଧା