ଖୋର୍ଦ୍ଧା: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ପ୍ରତ୍ୟେକ ଘର ଦୀପ ଆଲୋକରେ ଆଲୋକିତ ହେବ । ଏଣୁ ଦୀପ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ଦେଉଳି ଗାଁରେ କାରିଗରମାନେ । ବ୍ୟବସାୟ କରିବା ଲକ୍ଷ୍ୟ ନେଇ ଏହି ଦୀପ ପ୍ରସ୍ତୁତି ଜାରି ରହିଛି ।
ଖୋର୍ଦ୍ଧା ଜିଲ୍ଲା ଦେଉଳି ଗାଁର ମାଟିରେ ତିଆରି ଦୀପର ରହିଛି ବେଶ ଆଦର । ଦୀପାବଳିକୁ ଆଉ ମାତ୍ର କେଇଟା ଦିନ ବାକି ରହିଥିବା ବେଳେ ଦେଉଳି ଗାଁର ଘରେ ଘରେ ଚାଲିଛି ଦୀପ ପ୍ରସ୍ତୁତି । ପୁରୁଷ ଓ ମହିଳା ଉଭୟ ଏହି ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି । କିଏ ମାଟି ଚକଟି ସୁନ୍ଦର ସୁନ୍ଦର ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ଯସ୍ତ ପୁଣି ଆଉ କିଏ ଭାଟିରେ ଦୀପକୁ ପୋଡୁଛି ।
ଏହାମଧ୍ୟ ପଢନ୍ତୁ...ଦୀପାବଳିରେ ଚମକିବ ମହିଳାଙ୍କ ହାତ ତିଆରି ଦୀପ
ଦେଉଳି ଗାଁର କିଛି କୁମ୍ଭକାର ସେମାନଙ୍କ ବୃତ୍ତି ଛାଡ଼ିବାକୁ ବସିଥିବାବେଳେ ଆଉ କିଛି ବୟସ୍କବ୍ୟକ୍ତି ନିଜ ପରମ୍ପରିକ ବେଉସାକୁ ଜାବୁଡି ଧରିଛନ୍ତି । ଆଉ ଦୀପାବଳି ପାଇଁ ଭଳିିକି ଭଳି ଦୀପ ପ୍ରସ୍ତୁତ କରିବାରେ ଲାଗି ପଡ଼ିଛନ୍ତି । ବର୍ଷ ତମାମ ରହିଥାଏ ଏହି ମାଟି ଦୀପର ଅଳ୍ପ ବହୁତ ବିକ୍ରି ହୁଏ । କିନ୍ତୁ ଦୀପାବଳି ଆସିଲେ ଏହି ଦୀପର ଚାହିଦା ଦ୍ୱିଗୁଣିତ ହୋଇଥାଏ । ଆଉ ସେଥିପାଇଁ ଦୀପାବଳିର ମାସକ ପୂର୍ବରୁ ଦୀପ ପ୍ରସ୍ତୁତିରେ ଲାଗି ପଡିଛନ୍ତି କାରିଗର ।
ବଜାର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଛାଞ୍ଚ ଦୀପାଳି, ସାଦା ଦୀପାଳି ଭଳି 5ରୁ 7 ପ୍ରକାର ଦୀପ ପ୍ରସ୍ତୁତ କରୁଥିବା କହିଛନ୍ତି କାରିଗର । ଦେଉଳି ଗାଁର ୩୦ ପରିବାର ଏବେ ଏଭଳି ଦୀପ ପ୍ରସ୍ତୁତ କରୁଛନ୍ତି । ଦୀପାବଳି ପାଇଁ ପ୍ରତ୍ୟେକଟି ଘରେ ୨୦ ହଜାରରୁ ୩୦ ହଜାର ଦୀପ ସଜେଇ ରଖିଲେଣି । ଏହି ଦୀପ କେବଳ ଆଖପାଖ ଅଞ୍ଚଳରେ ବିକ୍ରି ପାଇଁ ନୁହେଁ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ । ଦୀପାବଳିରେ ଦୀପ ବିକ୍ରି କରି ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି କୁମ୍ଭକାରମାନେ । ଗତବର୍ଷ ଅପେକ୍ଷା ଏବର୍ଷ ଭଲ ବ୍ୟବସାୟ ଭଲ ହେବା ନେଇ କୁମ୍ଭକାର ପରିବାର ଆଶାବାଦୀ ରହିଛନ୍ତି । କିନ୍ତୁ ଦିନକୁ ଦିନ ମାଟିର ଅଭାବ ଓ ପୋଡ଼ିବା ପାଇଁ ଜାଳେଣି କାଠର ଅଭାବ ସମସ୍ୟାକୁ ବଢ଼ାଉଛି । ସେହିଭଳି ପାରିଶ୍ରମିକ ଅନୁସାରେ ପ୍ରାପ୍ୟ ମିଳୁନଥିବା କହିଛନ୍ତି କାରିଗରମାନେ ।
ଇଟିଭି ଭାରତ, ଖୋର୍ଦ୍ଧା