ଖୋର୍ଦ୍ଧା: ଜାଲ ସାର୍ଟିଫିକେଟରେ ସମବାୟ ସମ୍ପାଦକ ନିଯୁକ୍ତି ଅଭିଯୋଗ । ଜାଲ ଶିକ୍ଷା ପ୍ରମାଣପତ୍ର ଦେଇ ଚାକିରୀ ପାଇଥିବା ବେଗୁନିଆ ବ୍ଲକ ପୋଡାଡିହ ସେବା ସମବାୟ ସମିତିବେଗୁନିଆ ବ୍ଲକ ପୋଡାଡିହ ସେବା ସମବାୟ ସମିତି ସମ୍ପାଦକଙ୍କ ନାମରେ ସଙ୍ଗୀନ ଅଭିଯୋଗ ।
ଅଭିଯୋଗ ଅନୁସାରେ ପୋଡାଡିହ ସେବା ସମବାୟ ସମିତିର ସମ୍ପାଦକ ଧନେଶ୍ବର ମାଣିକ ନିଜ ଗାଁ ଇଶାନେଶ୍ବର ଦେବ ଉପ୍ରା ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥଲେ । ପଞ୍ଚମ ଶ୍ରେଣୀ ସାର୍ଟିଫିକେଟରେ ତାଙ୍କର ଜନ୍ମ ତାରିଖ ୨୪.୬.୧୯୬୦ ଉଲ୍ଲେଖ ରହିଥିବା ଆରଟିଆଇ ତଥ୍ୟ କହୁଛି । କିନ୍ତୁ ଧନେଶ୍ବର ଏହି ସାର୍ଟିଫିକେଟ ଆଧାରରେ ୨୪.୬.୧୯୮୬ ମସିହାରେ ତତ୍କାଳୀନ ସମବାୟ ରେଜୁଲେସନ ପ୍ରସ୍ତାବ ନଂ ୬ ରେ ସହ ସମବାୟ ସହ ସମ୍ପାଦକ ଭାବେ ସମିତିରେ ନିଯୁକ୍ତି ପାଇଥିଲେ । ସେହି ଦିନଠାରୁ ଧନେଶ୍ବର ସହ ସମ୍ପାଦକ ଭାବେ କାର୍ଯ୍ୟକରି ଆସୁଥିଲେ । ପରବର୍ତ୍ତୀ ସମୟରେ ଆଦର୍ଶ ଆଞ୍ଚଳିକ ସଂସ୍କୃତ ବିଦ୍ୟାପୀଠ ନିଳକଣ୍ଠପୁରରୁ ୨୦୦୦ ମସିହାରେ ଦଶମ ଶ୍ରେଣୀ ପାସ କରିଥିବା ଏବଂ ଏଥିରେ ତାଙ୍କ ଜନ୍ମ ତାରିଖ ୩.୭.୧୯୬୫ ଥିବା ଆରଟିଆଇ ତଥ୍ୟ କହୁଛି ।
ଏହି ସଂସ୍କୃତ ବିଦ୍ୟାପୀଠ ସାର୍ଟିଫିକେଟ ଦାଖଲ କରି ୨୦୦୮ ମସିହାରେ ପୋଡାଡିହ ସେବା ସମବାୟ ସମିତିର ସମ୍ପାଦକ ଭାବେ ନିଯୁକ୍ତି ପାଇ ଅଧୁନା ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି । ଧନେଶ୍ବରଙ୍କ ପଞ୍ଚମ ଏବଂ ଦଶମ ଶ୍ରେଣୀ ସାର୍ଟିଫିକେଟରେ ଦୁଇ ପ୍ରକାର ଜନ୍ମ ତାରିଖ ରହିଛି । ବୟସକୁ ଚଞ୍ଚକତା କରି ସମ୍ପାଦକ ପଦବୀ ହାତେଇଥିବା ଅଭିଯୋଗ ଆଣିଛନ୍ତି ପୋଡାଡିହର ପୂର୍ବତନ ସରପଞ୍ଚ ସୁଦର୍ଶନ ମାଣିକ ।
ଅନ୍ୟପଟେ ସମ୍ପାଦକଙ୍କ ଏଭଳି ଚଞ୍ଚକତା ସମ୍ପର୍କରେ ସୁଦର୍ଶନ ଆରଟିଆଇ ତଥ୍ୟ ଆଧାରରେ ବିଭାଗୀୟ ସମବାୟ ଅନୁ ନିବନ୍ଧକ ଖୋର୍ଦ୍ଧାଙ୍କ ସହ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଧନେଶ୍ବରଙ୍କୁ ଘଣ୍ଟ ଘୋଡାଉଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରାଜ୍ୟରେ ଦିନକୁ ଦିନ ମେଧାବୀ ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଥିବା ବେଳେ କିଭଳି ଜାଲ ସାର୍ଟିଫିକେଟରେ ବୟସ କମାଇ ନିଯୁକ୍ତି ପାଇ ସରକାରୀ ତହବିଲରୁ ଲକ୍ଷ ଲକ୍ଷ ଟଙ୍କା ତୋଷାରପାତ କରିଛନ୍ତି ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ସୁଦର୍ଶନ । ଘଟଣା ସମ୍ପର୍କରେ ସମ୍ପାଦକ ଧନେଶ୍ବର ମାଣିକଙ୍କୁ ପଚାରିବାରେ ମୁଁ ଦେଇଥିବା ସାର୍ଟିଫିକେଟ ଠିକ ଥିବା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ