ଖୋର୍ଦ୍ଧା: ସମ୍ଭାବ୍ୟ ବାତ୍ୟା 'ବୁଲବୁଲ' ପାଇଁ ପ୍ରସ୍ତୁତ ଖୋର୍ଦ୍ଧା । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ ରାଉତ ।
ବୁଲବୁଲର ପ୍ରଭାବ ଓଡିଶାରେ ସେତେଟା ପଡିବାକୁ ନଥିବାବେଳେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସ୍ବତନ୍ତ୍ର ରିଲିଫ କମିଶନର ଏବଂ ଭାରତୀୟ ପାଣିପାଗ ବିଭାଗର ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପ୍ରତିଷେଧାତ୍ମକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।
ସେହିପରି ବୁଲବୁଲ ପାଇଁ ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ତଟବର୍ତ୍ତୀ ଚିଲିକା ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଏପରିକି ବାତ୍ୟା ଓ ବର୍ଷା ପାଇଁ ଜିଲ୍ଲାରେ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟ କରାଯାଇଛି । ଆବଶ୍ୟକ ପଡିଲେ ଲୋକମାନଙ୍କୁ ସେଠାକୁ ସୁରକ୍ଷାର ସହ ଅଣାଯିବା ସହ ରନ୍ଧାଖାଦ୍ୟ ଯୋଗାଇ ଦେବାର ବନ୍ଦୋବସ୍ତ ଜିଲ୍ଲା ପ୍ରଶାସନ କରିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏଥିସହିତ ଜିଲ୍ଲାରେ ବୁଲବୁଲ ପ୍ରଭାବ ଅତ୍ୟଧିକ ପଡିବାକୁ ନଥିବାବେଳେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଜିଲ୍ଲାବାସୀ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ