ଭୁବନେଶ୍ବର: ବିବାଦ ପରେ ବନ୍ଦ ହେଲା ଭୁବନେଶ୍ବରରେ ଆୟୋଜିତ ଜୁନିୟର ମିସ୍ ଇଣ୍ଡିଆ ପ୍ରତିଯୋଗିତା । ନିରାଶ ହୋଇ ଫେରିଲେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଶହ ଶହ ପ୍ରତିଭାବାନ ପ୍ରତିଯୋଗୀ । ଶିଶୁର ଶୈଶବକୁ ପ୍ରତିଯୋଗିତା ମାଧ୍ୟମରେ ଶୋଷଣ କରାଯାଇଥିବା ଅଭିଯୋଗ କରି ବିରୋଧ କଲେ ସ୍ଵର୍ ମହିଳା ସଂଗଠନ । ୪ରୁ ୧୪ ବର୍ଷ ପିଲାଙ୍କୁ ନେଇ ସୁନ୍ଦରୀ ପ୍ରତିଯୋଗିତା ହୋଇପାରିବ ନାହିଁ ବୋଲି କହିଲା ସଂଗଠନ । ବିବାଦ ଉପୁଜିବାରୁ ପ୍ରତିଯୋଗିତାକୁ ବନ୍ଦ କଲା ଖାରବେଳ ନଗର ପୋଲିସ ।
ମିଳିଥିବା ସୂଚନା ଅନୁଯାୟୀ, ବିନା ଅନୁମତିରେ ସତ୍ୟନଗର ସ୍ଥିତ ହୋମ ଟାଉନରେ ଜୁନିୟର ମିସ୍ ଇଣ୍ଡିଆ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା । ପ୍ରତିଯୋଗିତା ପାଇଁ ବେଶ ଉତ୍ସାହିତ ଥିଲେ ଅଂଶ ଗ୍ରହଣ କରିଥିବା ପିଲାମାନେ । ଏଥିପାଇଁ ସମସ୍ତେ ପ୍ରସ୍ତୁତ ରହି ଅପେକ୍ଷା କରିଥିଲେ ନିଜ ନିଜର ପ୍ରତିଭା ଦେଖାଇବା ପାଇଁ । ହେଲେ ଠିକ ସମୟରେ ହିଁ ଏହାକୁ ବିରୋଧ କରି ହୋମ ଟାଉନରେ ପହଞ୍ଚି ଯାଇଥିଲା ସ୍ଵର୍ ମହିଳା ସଂଗଠନ । ଏହାପରେ ସୁନ୍ଦରୀ ପ୍ରତିଯୋଗିତା ବନ୍ଦ କରିବା ପାଇଁ ଅଡି ବସିଥିଲା । ଶେଷରେ ଏନେଇ ଖବର ପାଇଁ ଘଟଣାସ୍ଥଳରେ ଖାରବେଳ ନଗର ପୋଲିସ ସତ୍ୟନଗର ସ୍ଥିତ ହୋମ ଟାଉନରେ ଚାଲିଥିବା ଜୁନିୟର ମିସ୍ ଇଣ୍ଡିଆ ପ୍ରତିଯୋଗିତାକୁ ବନ୍ଦ କରିଥିଲା । ଫଳରେ ନିରାଶ ହୋଇ ଫେରିଥିଲେ ପ୍ରତିଯୋଗୀ ।
ସ୍ଵର୍ ମହିଳା ସଂଗଠନର କହିବା ଅନୁଯାୟୀ,'' ସମାଜରେ ଛୋଟ ଛୋଟ ପିଲା ମାନେ ବେଶ ସରଳ ଆଉ ସୁନ୍ଦର । ସେମାନଙ୍କ ସରଳତାକୁ ହିଁ ସୁନ୍ଦର ବୋଲି ବୁଝାଯାଏ । କିନ୍ତୁ ପିଲାଙ୍କୁ ଅଙ୍ଗ ପ୍ରଦର୍ଶନ ଓ ଆଧୁନିକୀକରଣ ନାଁରେ ଭୁଲ ଶିକ୍ଷା ଦିଆଯାଉଛି । ଏହାକୁ ନେଇ ପିଲାମାନେ ପଥଭ୍ରଷ୍ଟ ହେଉଛନ୍ତି । କାରଣ ୪ ରୁ ୧୪ ପିଲାଙ୍କର ବର୍ତ୍ତମାନ ପାଠ ପଢିବା ସମୟ । ତେଣୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନେ ନିଜର ଭବିଷ୍ୟତକୁ କଳୁଷିତ କରୁଛି । ଏହାକୁ ନେଇ ସେମାନେ ବିରୋଧ କରିଛନ୍ତି, ଆଗକୁ ମଧ୍ୟ ଏହି ପ୍ରୟାସ ଜାରି ରହିବ । କେବଳ ଏଠି ନୁହେଁ ବରଂ ଟିଭି, ରିଆଲିଟି ଶୋ ମାନଙ୍କରେ ମଧ୍ୟ ଛୋଟ ଛୋଟ ପିଲାଙ୍କୁ ବ୍ୟବହାର କରାଯାଉଛି । ଏଥିପ୍ରତି ଅଭିଵାବକ ଓ ସରକାର ଧ୍ୟାନ ଦେବାର ଆବଶ୍ୟକ ବୋଲି କହଛନ୍ତି ସଂଗଠନ ମୁଖ୍ୟ'' ।
ଏହା ମଧ୍ୟ ପରଢନ୍ତୁ-ନିଆଳି ହାଟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ୪୩ଟି ଚାଳି ପୋଡି ପାଉଁଶ
ଅନ୍ୟପଟେ ଏହି କଥାକୁ ବିରୋଧ କରିଥିଲେ ଛୋଟ ଛୋଟ ପିଲାଙ୍କ ସହ ଆସିଥିବା ସେମାନଙ୍କ ପିତା ମାତା। ପିଲା ମାନେ ଏସବୁ ଶିଖିବା ଦ୍ଵାରା ସେମାନଙ୍କର ବୌଦ୍ଧିକ ବିକାଶ ହେଉଛି । ଆମେ ସେମାନଙ୍କୁ ଏସବୁ କ୍ଷେତ୍ରରେ ଆଗକୁ ନେବାକୁ ଚାହୁଁଛୁ ।ଏଭଳି ବିରୋଧ ପିଲାଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଉଛି । ଏପରିକି କେହି କେହି ପ୍ରତିଯୋଗିତାରେ ଭାଗ ନେଇନଥିବା ଯୋଗୁ କାନ୍ଦି ପକାଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର