ଖୋର୍ଦ୍ଧା: ମହାମାରୀ କୋରୋନା ଯୋଗୁଁ ଦେଶରେ ଜାରି ରହିଛି ତୃତୀୟ ପର୍ଯ୍ୟାୟର ଲକଡାଉନ । ଗାଡିମୋଟର ବନ୍ଦ ରହିଥିବାରୁ ଓଡିଶାରେ ଫସି ରହିଛନ୍ତି ବାହାର ରାଜ୍ୟର ଅନେକ ଶ୍ରମିକ । ତେବେ ଖୋର୍ଦ୍ଧା ଜିଲ୍ଲାର ଜଟଣୀରେ ଫସିରହିଥିବା ଝାଡଖଣ୍ଡର କିଛି ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ସହଯୋଗର ହାତ ବଢାଇଛନ୍ତି ଜାମୁକୋଳି ପଞ୍ଚାୟତର ମହିଳା ସରପଞ୍ଚ ।
ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରୁ ଖୋର୍ଦ୍ଧା ଜିଲ୍ଲାରେ ସ୍ବଚ୍ଛ ଭାରତ ମିଶନରେ ସୌଚାଳୟ ନିର୍ମାଣ କରିବାକୁ ଆସି ଜଟଣୀ ବ୍ଲକର ଚାରୋଟି ପଞ୍ଚାୟତରେ ଫସିରହିଥିଲେ 54 ଜଣ ଶ୍ରମିକ । ସମସ୍ତ ଶ୍ରମିକଙ୍କୁ ସେମାନଙ୍କ ଘରକୁ ପଠାଇବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି ଜଟଣୀ ବ୍ଲକ ଜାମୁକୋଳି ପଞ୍ଚାୟତର ମହିଳା ସରପଞ୍ଚ । ଲକଡାଉନରେ ଶ୍ରମିକଙ୍କ ରହିବାଠାରୁ ଚିକିତ୍ସା ପର୍ଯ୍ୟନ୍ତ ସବୁ କିଛି ବ୍ୟବସ୍ଥା ଉପରେ ସରପଞ୍ଚ ନଜର ରଖିଥିଲେ ।
ଶେଷରେ ଶ୍ରମିକଙ୍କ ସ୍କ୍ରିନିଂ କରଯିବା ପରେ ଖାଦ୍ୟ ଓ ମାସ୍କ ଦେଇ ସେମାନଙ୍କୁ ଏକ ସ୍ବତନ୍ତ୍ର ବସରେ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ ଏହି ମହିଳା ସରପଞ୍ଚ । ଏପରି କାର୍ଯ୍ୟ ଯୋଗୁଁ ମହିଳା ସରପଞ୍ଚଙ୍କୁ ପ୍ରଶଂସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ