ଖୋର୍ଦ୍ଧା: ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ଜଟଣୀର ବସ୍ତିବାସିନ୍ଦାଙ୍କ ଘର ଓ ବସ୍ତିକୁ ରେଳବାଇ ବିଭାଗ ଓ ଜଟଣୀ ପୌର ପରିଷଦ ଭାଙ୍ଗି ଚାଲିଛି । ଏହାର ପରିଣାମ ସ୍ବରୂପ ଜଟଣୀର ୫୦୦ରୁ ଅଧିକ ପରିବାର ଏବେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି । ଏହି ପରିବାର ଗୁଡ଼ିକୁ ଥଇଥାନ କରିବାକୁ ବାରମ୍ବାର ପ୍ରଶାସନ ପ୍ରତିଶ୍ରୁତି ଦେଇ ଆସିଛି । ହେଲେ ଆଜି ଯାଏଁ ପ୍ରତିଶ୍ରୁତି ପୂରଣ ହୋଇପାରିଲା ନାହିଁ । ଫଳରେ ବାଧ୍ୟ ହୋଇ ଆଜି(ସୋମବାର) ଶତାଧିକ ବସ୍ତି ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉଛନ୍ତି ।
ଏହି ପରିବାର ଗୁଡିକୁ ପ୍ରଶାସନ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଥଇଥାନ ଦାବିରେ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ସ୍ମୃତି କମିଟି ପକ୍ଷରୁ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିବା ଆନ୍ଦୋଳନ କରିଛନ୍ତି । ରାଜ୍ୟ ସରକାରଙ୍କ ଜାଗା ମିଶନରେ ଏହି ବିସ୍ଥାପିତଙ୍କ ନାମ ଥିବା ସତ୍ତ୍ୱେ ସେମାନଙ୍କୁ ବାଦ ଦେଇ ଘର ଭଙ୍ଗାଯାଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହି ପରିବାର ଗୁଡ଼ିକୁ ଥଇଥାନ ନ କରାଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ବସ୍ତି ବାସିନ୍ଦା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ