ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ଶହୀଦ ନଗରରେ ହିନ୍ଦୁରାଷ୍ଟ୍ର-ସଂଗୋଷ୍ଠୀ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯୋଗ ଦେଇ ବାଗେଶ୍ବର ଧାମର ପୀଠାଧୀଶ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଶଙ୍କରାଚାର୍ଯ୍ୟ ତାଙ୍କୁ ସମର୍ଥନ ପୂର୍ବକ କହିଛନ୍ତି, "ଧୀରେନ୍ଦ୍ର ଶାସ୍ତ୍ରୀ ହିନ୍ଦୁ ଧର୍ମର ବିଶେଷତ୍ବକୁ ପ୍ରଚାର କରି ଭଲ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ପଥଭ୍ରଷ୍ଟ ହୋଇଛନ୍ତି, ସେମାନଙ୍କୁ ଧର୍ମ ଓ ଜ୍ଞାନ ମାଧ୍ୟମରେ ଯଦି ବଦଳାଇ ହେଉଛି ତେବେ ସେଥିରେ କିଛି ଭୁଲ୍ ନାହିଁ । ପଞ୍ଚଦଶ ବେଦାନ୍ତ ଗ୍ରନ୍ଥ ଅନୁଯାୟୀ ଯାହାର ରାଷ୍ଟ୍ର ଜ୍ଞାନ ଅଛି ସେ ହେଉଛି ବିଦ୍ୱାନ । ହିନ୍ଦୁ ରାଷ୍ଟ୍ର ନିର୍ମାଣ ହେଉଛି ଆମର ହକ୍ । ଏହାକୁ ମାଗିବାର କୌଣସି ଆବଶ୍ୟକତା ନାହିଁ ।"
ସବୁ ଧର୍ମର ମୂଳ ସନାତନ ଧର୍ମ ହୋଇଥିବା ବେଳେ ହିନ୍ଦୁରାଷ୍ଟ୍ରରେ ସାମିଲ ହେବା ପାଇଁ କୌଣସି ବାଧକ ନାହିଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି । ଅନେକ ବ୍ୟକ୍ତି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୁଦ୍ଧରେ ଅନ୍ଧବିଶ୍ବାସ ପ୍ରସାର କରୁଥିବା ଅଭିଯୋଗ କରୁଥିବା ବେଳେ ଶଙ୍କରାଚାର୍ଯ୍ୟ ତାଙ୍କ କାର୍ଯ୍ୟକୁ ସମର୍ଥନ କରିଛନ୍ତି । ବିଗତ କିଛି ଦିନ ହେଲାଣି ବାଗେଶ୍ବର ଧାମ ପୀଠାଧୀଶଙ୍କ ଚମତ୍କାରିତାକୁ ନେଇ ବିବାଦ ଲାଗି ରହିଛି । ଧୀରେନ୍ଦ୍ର ଶାସ୍ତ୍ରୀ ପ୍ରଭୁ ବାଲାଜୀ ଓ ନିଜ ଗୁରୁଙ୍କ କୃପାରୁ ଆଗତ ଭବିଷ୍ୟତ କହିପାରୁଥିବା ଦାବି କରୁଛନ୍ତି । ବାବା ନିଜ କାର୍ଯ୍ୟକ୍ରମରେ ବାବା ଧୀରେନ୍ଦ୍ର ଅନେକ ଚମତ୍କାରିତା ଦେଖାଉଛନ୍ତି ।
ଏହାମଧ୍ୟ ପଢନ୍ତୁ: International Flight Service: ମେ’ ମାସରୁ କରିପାରେ ଉଡାଣ
ସେ ଅଜଣା ଲୋକଙ୍କ ପରିଚୟ ଦେବାଠୁ ଆରମ୍ଭ କରି ଅଦୃଶ୍ୟ ଶକ୍ତି କବଳରୁ ଲୋକଙ୍କୁ ମୁକ୍ତ କରୁଥିବା କୁହାଯାଉଛି । ଏହାକୁ ନେଇ ସେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଅନେକ ସନାତନଧର୍ମୀ ସନ୍ଥମାନେ ବାବାଙ୍କୁ ସମର୍ଥନ କରୁଥିବା ବେଳେ କେହିକେହି ଏହାକୁ ମାଇଣ୍ଡ ରିଡିଂ ଏବଂ ମ୍ୟାଜିକ କହୁଛନ୍ତି । ନିକଟରେ ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୁଲନ କମିଟି ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୁଦ୍ଧରେ ଅନ୍ଧବିଶ୍ବାସ ବିସ୍ତାର କରିବା ନେଇ ଥାନାରେ ଅଭିଯୋଗ କରିଥିଲା । ଏହି କମିଟି ପଣ୍ଡିତଙ୍କୁ ନିଜର ଚମତ୍କାର ପ୍ରମାଣିତ କରିବା ଲାଗି ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲା । ହେଲେ ଅନ୍ଧବିଶ୍ବାସ ପ୍ରସାର କରିବା ନେଇ କୌଣସି ପ୍ରମାଣ ନମିଳିବାରୁ ପୋଲିସ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଥିଲା ।