ଭୁବନେଶ୍ବର: ଓଡ଼ିଶାର ଆଡମ୍ୟାନ୍ ଭାବେ ପରିଚିତ ଚଳଚ୍ଚିତ୍ର ନିର୍ମାତା ଦୟାନିଧି ଦହିମାଙ୍କ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ଫିଲ୍ମଫେୟାର ପୁରସ୍କାର- ୨୦୨୧ ପାଇଁ ନାମାଙ୍କିତ ହୋଇଛି । ଦୟାନିଧି ଦହିମା ଓ ଶିବାଶିଷ ନାୟକଙ୍କ ପ୍ରଯୋଜିତ ତଥା ଦୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଦୁଇ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ହେଲା ‘ଅନ୍ତର୍ବାସନା’ ଏବଂ ‘ସୀତା’। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିନବ ।
‘ଅନ୍ତର୍ବାସନା’ରେ ଜଣାଶୁଣା ଅଭିନେତ୍ରୀ ଶିବାନୀ ତାଙ୍କସାଲେ ମୁଖ୍ୟ ଭୂମିକାରେ ଅଛନ୍ତି । ଏଥିରେ ଜଣେ ମଧ୍ୟବୟସ୍କା ମହିଳା ସ୍ବାମୀଙ୍କ ଦ୍ବାରା ଉପେକ୍ଷିତା ହେଲେ, ତାଙ୍କ ଭିତରେ କିପରି ‘ଅନ୍ତର୍ବାସନା’ ଜାଗିଥାଏ, ତାହା ପ୍ରଦର୍ଶିତ ହୋଇଛି ।
ଅପରପକ୍ଷରେ ‘ସୀତା’ରେ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀୟା ପିଲଗାଓଁକର୍ ଓ ଲିଲିପୁଟ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଏହାର କଥାବସ୍ତୁରେ ଆଜିକାର ଓ ରାମାୟଣ ଯୁଗର ପ୍ରସଙ୍ଗ ରହିଛି । ଓଡ଼ିଶାରୁ ନିର୍ମିତ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ର ଫିଲ୍ମଫେୟାର ପୁରସ୍କାର- ୨୦୨୧ ପାଇଁ ନାମାଙ୍କିତ ହେବା ନିଶ୍ଚିତ ଭାବେ ଓଡ଼ିଶା ଲାଗି ଗର୍ବ ଓ ଗୌରବର କଥା ।
ଏହା ଆଗରୁ ଗତବର୍ଷ ଦୟା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ କ୍ଷୁଦ୍ର ହିନ୍ଦୀ ଚଳଚ୍ଚିତ୍ର ‘ନବାବ’ ବି ଫିଲ୍ମଫେୟାର ପୁରସ୍କାର ଲାଗି ନାମାଙ୍କିତ ହୋଇଥିଲା। ତା’ଛଡ଼ା ଏହା ଉଚ୍ଚପ୍ରଶଂସିତ ବି ହୋଇଥିଲା । ତେବେ ଦୟାନିଧି ଜଣେ ଓଡ଼ିଆ ସିନେ ନିର୍ମାତା ଭାବେ ଏହି ଦୁଇଟି ଚଳଚ୍ଚିତ୍ର ହିନ୍ଦୀରେ ତିଆରି କରିଥିବାବେଳେ ବାସ ନୁହେଁ ବରଂ ଗୁଣାତ୍ମକ ବିଷୟବସ୍ତୁ ବା କଣ୍ଟେଣ୍ଟ ହିଁ ଚଳଚ୍ଚିତ୍ରକୁ ରୁଦ୍ଧିମନ୍ତ କରେ ଓ ଦର୍ଶକଙ୍କ ଭିତରେ ଆଦୃତ ଲାଭ କରେ ବୋଲି ସେ କହିଛନ୍ତି ।
ଏହା ସହ ସେ ଆଡମ୍ୟାନ୍ ଭାବେ ପରିଚିତ ଥିବାବେଳେ ଏଯାବତ ୧୫୦ରୁ ଊର୍ଦ୍ଧ୍ବ ବିଜ୍ଞାପନ କରିସାରିଥିବା କହିଛନ୍ତି । କିଛିକରି ଦେଖାଇବାର ସ୍ବପ୍ନ ନେଇ ୨୦୧୩ରୁ ରାଜଗାଙ୍ଗପୁରରୁ ଆସି ଜୀବନରେ ଅନେକ ସଂଘର୍ଷର ସାମ୍ନା ଦୃଢ ଇଛାଶକ୍ତିକୁ କରି ସେ ସଫଳତାର ସିଢି ଚଢିଥିବା ବେଳେ ଦୟା ଏଣ୍ଟରଟେନମେଣ୍ଟ ବ୍ୟାନର ପୁରା ଟିମ ଓ ପରିବାରକୁ ସଫଳତାର ଶ୍ରେୟ ଦେଇଛନ୍ତି । ଆଗକୁ ଯାଇ ଦର୍ଶକଙ୍କୁ ନିଆରା ଏକ ୱେବ ସିରିଜ ଭେଟି ଦେବେ ବୋଲି ତାଙ୍କ ସାକ୍ଷାତକାରରେ ପ୍ରତିକ୍ରିୟା ରଖିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ