ଭୁବନେଶ୍ବର: ଫୁଟବଲ ପ୍ରେମୀ ହୋଇ ଯାଆନ୍ତୁ ପ୍ରସ୍ତୁତ । କମ୍ପିବ କଳିଙ୍ଗ । ଆଉ ଅଳ୍ପ ସମୟର ଅପେକ୍ଷା । ଆଜିଠୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳାଯିବ । ଲେବାନନ ଓ ଭାନୁଆଟୁ ମଧ୍ୟ ପ୍ରଥମ ମ୍ୟାଚ ହେବାକୁ ଥିବା ବେଳେ ଦ୍ବିତୀୟ ମ୍ୟାଚରେ ମଙ୍ଗୋଲିଆକୁ ଭେଟିବ ଭାରତ । ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ମ୍ୟାଚରେ ମୋଟ 4ଟି ଦଳ ଭାଗ ନେଇଛନ୍ତି । ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହି ସିନିୟର ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ ଖେଳାଯିବ ।
ଫିଫା ମାନ୍ୟତାରେ ଭାରତ 101ତମ ସ୍ଥାନରେ ରହିଛି । ଲେବାନନ 99, ଭାନୁଆଟୁ 164 ଓ ମଙ୍ଗୋଲିଆ 183ତମ ସ୍ଥାନରେ ରହିଛି । ମାନ୍ୟତାକୁ ଦେଖିଲେ ଲେବାନନ ଭାରତର ମୁଖ୍ୟ ପ୍ରତିନ୍ଦ୍ବନ୍ଦୀ ଭାବେ ଉଭା ହୋଇଛି । ଭାରତ ତାର ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ ଭେଟିବ । ଭାରତୀୟ ଦଳକ ମୁଖ୍ୟ କୋଚ ଇଗୋର ଷ୍ଟେମାକ ଦଳର ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି । ସମସ୍ତ ଦଳ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆଶା ନେଇ ଖେଳିବେ । ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ସହିତ ଚମ୍ପିଆନ ହେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ । ପ୍ରଥମ ଥର ପାଇଁ କଳିଙ୍ଗରେ ସିନିୟର ପୁରୁଷ ବର୍ଗରେ ଅନ୍ତର୍ଜାତୀୟ ଫୁଟବଲ ହେବାକୁ ଯାଉଛି । କଳିଙ୍ଗରେ ପ୍ରଥମ ଥର ପାଇଁ ଖେଳିବାକୁ ଯାଉଥିବାକୁ ବେଶ ଉତ୍ସାହିତ ଥିବା କହିଛନ୍ତି ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ।
ଗତକାଲି (ଗୁରୁବାର) ମଙ୍ଗୋଲିଆ ଦଳ ଭୁବନେଶ୍ବରରେ ପହଞ୍ଚିଥିଲେ । ମଙ୍ଗୋଲିଆ ଦଳ ପାଇଁ ଏହି ଟୁର୍ଣ୍ଣାମେଣ୍ଟ ବେଶ ଚ୍ୟାଲେଞ୍ଜ ହୋଇପାରେ । କାରଣ ବର୍ତ୍ତମାନ ସମୟରେ ସେମାନଙ୍କ ଦେଶର ପାଣିପାଗ ଏବଂ ଭାରତର ପାଣିପାଗ ମଧ୍ୟରେ ବହୁତ ତଫାତ । ସମ୍ପ୍ରତି ମଙ୍ଗୋଲିଆରେ ପ୍ରବଳ ଶୀତ ଅନୁଭବ ହେଉଥିବା ବେଳେ ହଠାତ ଆସି ଖରାରେ ଖେଳିବା ଦଳ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ମଙ୍ଗୋଲିଆର ପ୍ରଶିକ୍ଷକ କହିଛନ୍ତି । ଅପରପକ୍ଷେ ଆୟୋଜକ ତଥା ଏହି ଟୁର୍ଣ୍ଣାମେଣ୍ଟ ଜିତିବାରେ ଅନ୍ୟତମ ଦାବିଦାର ଭାରତ ମଧ୍ୟ ପାଖାପାଖି 15 ଦିନ ପୂର୍ବରୁ ଭୁବନେଶ୍ବରରେ ଅଭ୍ୟାସ କରିଛନ୍ତି ।
ମ୍ୟାଚସୂଚୀ:
9 ଜୁନ-ଲେବାନନ-ଭାନୁଆଟୁ (ଅପରାହ୍ନ 4ଟା30) ଭାରତ-ମଙ୍ଗୋଲିଆ (ସନ୍ଧ୍ୟା 7ଟା30)
12 ଜୁନ- ମଙ୍ଗୋଲିଆ-ଲେବାନନ, ଭାନୁଆଟୁ-ଭାରତ, ଭାନୁଆଟୁ-ମଙ୍ଗୋଲିଆ
15 ଜୁନ- ଭାନୁଆଟୁ-ମଙ୍ଗୋଲିଆ, ଭାରତ-ଲେବାନନ (ସନ୍ଧ୍ୟା 7ଟା30)
18 ଜୁନ- ଗ୍ରୁପ ଟପ୍ପର-ଗ୍ରୁପ ରନର୍ସଅପ (ସନ୍ଧ୍ୟା 7ଟା30)
ଇଣ୍ଟରକଣ୍ଟିନେଣ୍ଟାନ କପର ପ୍ରଥମ ସଂସ୍କରଣ 2018ରେ ମୁ୍ମ୍ବାଇରେ ହୋଇଥିଲା । ଭାରତ 2-0ରେ କେନିଆକୁ ପରାସ୍ତ କରି ଚମ୍ପିଆନ ହୋଇଥିଲା । 2019ରେ ଦ୍ବିତୀୟ ସଂସ୍କରଣେ ଦକ୍ଷଣ କୋରିଆ ଟାଇଟସ ହାତେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏସିଆ କପକୁ ଫୋକସ କରି ଖେଳିବ । ମଙ୍ଗୋଲିଆକୁ ଟକ୍କର ଦେବାକୁ ଭାରତ ପ୍ରସ୍ତୁତ ରହିଥିବା କହିଛନ୍ତି ଦଳର ମୁଖ୍ୟ କୋଚ ଇଗୋର ଷ୍ଟେମାକ ।
ଇଟିିଭି ଭାରତ, ଭୁବନେଶ୍ବର