ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ବ୍ୟବହାର ହ୍ରାସ ଏବଂ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ସବୁଠି ଇଭି ବା ବିଦ୍ୟୁତ୍ ଚାଳିତ ଯାନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍(ଇଓସିଏଲ) ଓଡିଶାରେ ଆଉ 100ଟି ଇଭି(ଇଲେକ୍ଟ୍ରିକ୍ ଭେଇକିଲ୍) ଚାର୍ଜିଂ ଷ୍ଟେସନ ସ୍ଥାପନ କରିବାକୁ ଘୋଷଣା କରିଛି । ୨୦୨୩-୨୪ ଆର୍ଥିକ ବର୍ଷରେ ସର୍ବସାଧାରଣରେ ବିଦ୍ୟୁତ୍ ଚାଳିତ ଯାନ ପାଇଁ ଏହି ସୁବିଧା ଉପଲବ୍ଧ ହେବ । ଏନେଇ ଆଇଓସିଏଲର ସିଜିଏମ ତଥା ଓଡିଶା ମୁଖ୍ୟ ନିରଜ ଏମ୍ ନିମ୍ଜେ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିମ୍ଜେ ଗ୍ରିନ୍ ମିସନ୍ ବାବଦରେ ସୂଚନା ଦେଇ ଇଭି ଚାର୍ଜିଂ ପଏଣ୍ଟ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଇଣ୍ଡିଆନ ଅଏଲ୍ ଦ୍ଵାରା ବିକଶିତ କରାଯାଇଥିବା ଏକ୍ସପି ୯୫, ଏକ୍ସପି ୧୦୦, ଏକ୍ସଟିଆରଏଗ୍ରୀନ୍ ଏବଂ ଅନ୍ୟାନ୍ୟ ପରିବେଶ ଉପଯୋଗୀ ଲୁବ୍ରୀକାଣ୍ଟ ଭଳି ସବୁଜ ଉତ୍ପାଦ ଉପରେ ଗୁରୁତ୍ଵ ଦିଆଯାଉଛି । ଏହା ସହ ରାଜ୍ୟରେ ସମ୍ପ୍ରତି ଚାଲିଥିବା ନିବେଶ ଏବଂ ଭବିଷ୍ୟତ ନିବେଶ ଯୋଜନା ଉପରେ ଆଲୋଚନା କରାଯାଇଛି ବୋଲି ନିଞ୍ଜେ କହିଛନ୍ତି । 9 ହଜାର 926 କୋଟି ବ୍ୟୟରେ ବିଭିନ୍ନ ଇଣ୍ଡିଆନ ଅଏଲ ପ୍ରକଳ୍ପ ପ୍ରତିଷ୍ଠା ହେବ, ଏଗୁଡିକର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଆର୍ଥିକ ବର୍ଷରେ ଏହି ସବୁ ଇଭି ଚାର୍ଜିଂ ପଏଣ୍ଟ କାର୍ଯ୍ୟକ୍ଷମ କରାଯିବ । ଏହି ଚାର୍ଜିଂ ପଏଣ୍ଟ ପ୍ରତିଷ୍ଠା ହେବା ପରେ 2024 ସୁଧା ନିଟ୍ ଜିରୋ ଇମିଶନ୍ ବା ଶୂନ୍ୟ ନିଗମନ ଲକ୍ଷ୍ୟ ହାସଲ ହେବ । କହି ରଖୁଛୁ ଯେ, ବର୍ତ୍ତମାନ ରାଜ୍ୟରେ ଇଣ୍ଡିଆନ ଅଏଲ୍ର ୧୫୨ଟି ବିଦ୍ୟୁତ ଚାଳିତ ଯାନ ଚାର୍ଜିଂ ଷ୍ଟେସନ ରହିଛି । ଆଗାମୀ ସମୟରେ ଆଉ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ହେବ । ସେହିପରି ରାଜ୍ୟରେ ଏବେ କମ୍ପାନିର 19ଟି ସିଏନଜି(କମ୍ପ୍ରେସ୍ଡ ନ୍ୟାଚୁରାଲ୍ ଗ୍ୟାସ୍) ଷ୍ଟେସନ ଥିବାବେଳେ ଆସନ୍ତା ଆର୍ଥିକ ବର୍ଷରେ ଆଉ 8ଟି ସିଏନଜି ଷ୍ଟେସନ ସ୍ଥାପନ ହେବ । ଏଥିସହ କମ୍ପାନୀ ଇଭି ବ୍ୟାଟେରୀ ପାଇଁ ଲିଥିୟମ୍ ଆୟନ ପରିବର୍ତ୍ତେ ଆଲୁମିନିୟମ୍ ଏୟାର୍ ଟେକ୍ନେଲୋଜି ବିକାଶ ଉପରେ କାର୍ଯ୍ୟ କରୁଛି ।
ଏଥିସହ ସୋର ଅଞ୍ଚଳରେ ଏକ ଏଲଏନଜି(ଲିକ୍ୟୁଫାଏଡ୍ ପେଟ୍ରୋଲିୟମ୍ ଗ୍ୟାସ୍) ପ୍ଳାଣ୍ଟ କରାଯିବ ବୋଲି କମ୍ପାନୀ କହିଛି । ଯେଉଁ ଟ୍ରକ ଏଲଏନଜି ବ୍ୟବହାର କରୁଛନ୍ତି ସେମାନଙ୍କୁ ଏହା ସୁବିଧାରେ ମିଳିପାରିବ । ବାକି ଅଞ୍ଚଳରେ ଖୁବ୍ଶୀଘ୍ର ଏଲଏନଜି ପ୍ଳାଣ୍ଟ କରାଯିବ । ଅନ୍ୟପଟେ ଇଣ୍ଡିଆ ଅଏଲ ଓଡିଶା ପାଇଁ ଦୁଇଟି ବଡ ବଡ ପ୍ରୋଜେକ୍ଟ ଆଣୁଛି । ପାରାଦୀପରେ ପ୍ଲାଷ୍ଟିକ ପାର୍କ ଓ ଭଦ୍ରକରେ ଟେକ୍ସଟାଇଲ ପାର୍କ ସ୍ଥାପନ ହେବ ।
ଇଟିଭି ଭାରତ, ଭୁବନେଶ୍ୱର