ଭୁବନେଶ୍ବର: ପରିଣତ ବୟସରେ କାଠଗଡ଼ାରେ ଠିଆହେଲେ । ନିଜ ପୁଅ, ବୋହୂ ନାତି ଦେଇଥିବା ଅତ୍ୟାଚାର କାହାଣୀ କୋର୍ଟ ରୁମରେ ବଖାଣିଲେ । ୧୦୩ ବର୍ଷର ବୃଦ୍ଧଙ୍କ ପାଟିରୁ ଅନର୍ଗଳ ବାହାରୁଥିଲା ସହିଥିବା ଅତ୍ୟାଚାର କୋହ । କିପରି ତାଙ୍କୁ ଘରୁ ଠେଲି ଦିଆଯାଇଥିଲା । ତଳେ ପଡି ତାଙ୍କ ହାତରେ ଆଘାତ ଲାଗି ରକ୍ତ ଝରିଥିଲା । ନିଜ ସହ ହୋଇଥିବା ଅତ୍ୟାଚାରର ଗୋଟି ଗୋଟି ଫର୍ଦ୍ଦ କୋର୍ଟ ଆଗରେ ବଖାଣିଥିଲେ । ତାଙ୍କ ମନରେ ଥିବା କୋହକୁ ଶୁଣି ସେଠାରେ ଉପସ୍ଥିତ ଓକିଲଙ୍କ ଆଖିରୁ ବି ଲୁହ ଆସିଯାଇଥିଲା ।
ଯେଉଁ ବାପା ନିଜ ପିଲାଙ୍କ ପାଇଁ ସବୁକିଛି ତ୍ୟାଗ କରିଦେଲା, ଆଜି ୧୦୩ ବର୍ଷ ବୟସରେ ନିଜ ନ୍ୟାୟ ପାଇଁ କାଠଗଡ଼ାରେ ଠିଆ ହୋଇଛନ୍ତି । ପୁଅ, ବୋହୂ ଓ ନାତି ବିରୋଧରେ ଲଢେଇ କରିଛନ୍ତି ବିଜୟ । ଅମାନବିକତା ଆଗରେ ମାନବିକତାକୁ ମିଳିଛି ନ୍ୟାୟ । ନିଜ ପ୍ରତି ନିଜ ଲୋକଙ୍କ ଦ୍ବାରା ହେଉଥିବା ଅତ୍ୟାଚାର ବିରୋଧରେ ଆଇନର ଲଢେଇରେ ବାଜି ମାରିଛନ୍ତି ୧୦୩ ବର୍ଷର ବୃଦ୍ଧ । ବାଲିପାଟଣା ଥାନା ବାରହଳ ଗ୍ରାମର ଆର୍ତ୍ତତ୍ରାଣ ପ୍ରଧାନ, ତାଙ୍କ ପତ୍ନୀ ମଞ୍ଜୁଲତା ପ୍ରଧାନ ଓ ପୁଅ ରାଜେନ୍ଦ୍ର ପ୍ରଧାନ ସମେତ ସଞ୍ଜୁକ୍ତା ପ୍ରଧାନଙ୍କୁ ଆଇପିସିର ଧାରା ୩୨୩/୩୪ରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । କୋର୍ଟ ସେମାନଙ୍କ କାର୍ଯ୍ୟ ପାଇଁ କଡ଼ା ଭର୍ତ୍ସନା କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଏମିତି ପୁଅଙ୍କୁ ଧିକ୍: ପରିଣତ ବୟସରେ ବାପାର ହାତ ଛାଡ଼ିଦେଲା, ଅସହାୟ ଅବସ୍ଥାରେ ବୃଦ୍ଧ ଉଦ୍ଧାର
ସୂଚନା ମୁତାବକ, ବାରହଳ ଗ୍ରାମର ୧୦୩ ବର୍ଷୀୟ ବୃଦ୍ଧ ମକରଧ୍ବଜ ପ୍ରଧାନଙ୍କ ୩ ପୁଅ ରହିଛନ୍ତି । ହେଲେ ପାରିବାରିକ କଳହ ଓ ଅନେକ କାରଣରୁ ବାପ, ପୁଅ ଓ ପରିବାର ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଏହାରି ଭିତରେ ଗତ ୩୦ଅଗଷ୍ଟ ୨୦୨୦୨ରେ ବୃଦ୍ଧଙ୍କ ବଡ଼ପୁଅ,ବୋହୂ ଏବଂ ନାତି ଓ ମଝିଆ ସାନ ବୋହୂ ମିଶି ବୃଦ୍ଧଙ୍କୁ ମାଡ ମାରି ଗାଳି ଗୁଲଜ କରିଥିଲେ ଏବଂ ଘରୁ ବାହାର କରିଦେଇଥିଲେ । ଏନେଇ ବୃଦ୍ଧ ଜଣଙ୍କ ବାଲିପାଟଣା ଥାନରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ୭ ଅକ୍ଟୋବରରେ ୨୦୨୦ରେ କେସ କରି ଏକ ମାମଲା ରୁଜୁ କରିଥିଲା କମିଶନରେଟ ପୋଲିସ ।
ଘଟଣାର ଅଭିଯୁକ୍ତ ମାନଙ୍କୁ ଥାନାରୁ ୪୧ ସିଆରପିସିରେ ନୋଟିସ ଦେଇଥିଲା ପୋଲିସ । ପରେ ପୋଲିସ ତଦନ୍ତ କରି ବୃଦ୍ଧଙ୍କ ସହ ହୋଇଥିବା ଅତ୍ୟାଚାର ଜାଣିବାକୁ ପାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ୨୩ ଜାନୁଆରୀ ୨୦୨୧ରେ ପୋଲିସ ଏହି ଘଟଣାର ବିଭିନ୍ନ ସାକ୍ଷ୍ୟ ପ୍ରମାଣ ଓ ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ ଦାଖଲ କରିଥିଲା । ୨୧ ଅକ୍ଟୋବରରେ ଅଭିଯୁକ୍ତ ବଡପୁଅ, ବୋହୂ, ନାତି ଓ ମଝିଆ ବୋହୂ ବିରୋଧରେ କୋର୍ଟରେ ଚାର୍ଜ ଫ୍ରେମ ହୋଇଥିଲା । ପରେ ବିଚାର ପ୍ରକ୍ରିୟା ଶୁଣାଣି କରିଥିଲେ JMFC (O)କୋର୍ଟ । ଜଜ ମୈତ୍ରୀ ସାମନ୍ତରାୟ ଆଗରେ ବୃଦ୍ଧ ଦେଇଥିବା ବୟାନ ଓ କୋର୍ଟରେ ବୃଦ୍ଧଙ୍କ ସହ ହୋଇଥିବା ଅତ୍ୟାଚାରକୁ ଭିତ୍ତିକରି ସରକାରୀ ଓକିଲ କ୍ଷୀରୋଦ ପଣ୍ଡାଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ବଡପୁଅ ବଡବୋହୁ, ମଝିଆ ବୋହୂ ଓ ନାତି ଏହି ଘଟଣା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ବାର୍ଦ୍ଧକ୍ୟ ବୟସରେ ଯେଉଁଠି ପୁଅ ଆଶାବାଡ଼ି ହେବା କଥା, ସେଠି ନିଷ୍ଠୁର ପାଲଟିଯାଉଛି । ଯାହା ଅମାନବିକତାକୁ ଦର୍ଶାଉଛି ।
ଇଟିବି ଭାରତ, ଭୁବନେଶ୍ବର