ଖୋର୍ଦ୍ଧା : ଜିଲ୍ଲାର ବେଗୁନିଆ ଅଞ୍ଚଳରେ ମାଙ୍କଡା ପଥର ଚୋରାଚାଲାଣକାରୀଙ୍କ ଦୌରାମ୍ୟ ବଢିବାରେ ଲାଗିଛି । ଚୋରା ଚାଲାଣକାରୀମାନେ ବେଆଇନ ଭାବେ ପଥର ଖଣି ଖୋଳି ଲୁଟୁଛନ୍ତି, ସରକାର ହରାଉଛନ୍ତି କୋଟିକୋଟି ଟଙ୍କାର ରାଜସ୍ବ । ବୁଧବାର ଅପରାହ୍ନରେ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଚୋରା ଚାଲାଣ ବେଳେ ବେଗୁନିଆ ତହସିଲ ପକ୍ଷରୁ ଚଢାଉ କରାଯାଇଥିଲା ।
ଅତିରିକ୍ତ ତହସିଲଦାର ମମତା ଦାସ ଓ ରାଜସ୍ବ ନିରୀକ୍ଷକଙ୍କ ସହ ବିଭିନ୍ନ ଖଣିରେ ଚଢାଉ କରି ଗୋଡି ଚୋତିପାଳଙ୍ଗ ରାସ୍ତାରୁ ଏକ ବେଆଇବ ପଥର ବୋଝେଇ ମିନି ଟ୍ରକକୁ ଜବତ କରାଯାଇଥିଲା । ଜବତ ମିନିଟ୍ରକକୁ ବାଘମାରି ରାଜସ୍ବ ନିରୀକ୍ଷକ ମନୋଜ ଦାସ ତହସିଲ ଅଫିସ ଅଭିମୁଖ ନେଇ ଆସୁଥିଲେ । ହେଲେ ଏହି ସମୟରେ ପଥର ମାଫିଆ ରାଜସ୍ବ ନିରୀକ୍ଷକଙ୍କୁ ଗାଡିରୁ ଠେଲି ବାହାର କରିଦେବା ସହ ଧମକ ଦେଇ ଗାଡି ନେଇ ପଳାଇ ଯାଇଥିଲା । ଏନେଇ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଠିକଣା ସମୟରେ ପୋଲିସ ନ ପହଞ୍ଚିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି । ସେପଟେ ଅଭିଯୋଗ ପାଇ ବେଗୁନିଆ ପୋଲିସ ଥାନାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଇଟିଭି ଭାରତ,ଖୋର୍ଦ୍ଧା