ଖୋର୍ଦ୍ଧା : ଦୁର୍ନୀତିର ଗନ୍ତାଘର ପାଲଟିଛି ବେଗୁନିଆର ସମସ୍ତ ସରକାରୀ କଳ । ଏଭଳି ସଙ୍ଗୀନ ଅଭିଯୋଗ କରିଛି ମାନବାଧିକାର ସୁରକ୍ଷା ସଂଗଠନ ଓ ଜନକଲ୍ୟାଣ ସଂଗଠନ । ରବିବାର ମାନବାଧିକାର ସୁରକ୍ଷା ସଂଗଠନ ଓ ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ମିଳିତ ଭାବେ ବେଗୁନିଆରେ ଏକ ସମ୍ବାଦିକ ସମ୍ମିଳନୀ ହୋଇଥିଲା । ବେଗୁନିଆରୁ ଲଗାତର ଭାବେ ତିନି ଜଣ ତହସିଲଦାର କାମରେ ଅବହେଳା କରି ଦୁଇଜଣ ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ଅନ୍ୟଜଣେ ଘରୋଇ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇ ନିଲମ୍ବନ ହୋଇଛନ୍ତି ।
ଏଥିପାଇଁ ବେଗୁନିଆ ବଦନାମ ହେଉଥିବା ଦର୍ଶାଇଛି ଉଭୟ ସଂଗଠନ । ସେହିପରି ତିନି ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଗୋଟିଏ ସ୍ଥାନରେ ରହିବାର ସରକାରୀ ନିୟମ ନଥିବା ବେଳେ କିଭଳି ବେଗୁନିଆ ବ୍ଲକ, ତହସିଲ, ସବ ରେଜିଷ୍ଟ୍ରାର୍ ସମେତ ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ଧରି ଅବସ୍ଥାପିତ ଅଛନ୍ତି । ବିଶେଷକରି ନିଜ ସ୍ଥାନୀୟ ଅଞ୍ଚଳରେ ଅବସ୍ଥାପିତ ହେବାପାଇଁ କୌଣସି ସରକାରୀ ନିର୍ଦ୍ଦେଶ ନଥିବା ବେଳେ କିପରି ଓ କାହା ନିର୍ଦ୍ଦେଶରେ ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକଙ୍କୁ ଅବସ୍ଥାପିତ କରାଯାଇଥିବା ପ୍ରଶ୍ନ ହୋଇଛି । ଏଥିପାଇଁ ଏଠାରେ ଦୁର୍ନୀତି ବଢୁଥିବା ଅଭିଯୋଗ ହୋଇଛି ।
ବେଗୁନିଆରେ ଦୀର୍ଘଦିନ ରହି ନିଜ ଆଧିପତ୍ୟ ବିସ୍ତାର କରି ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ବଦଳି କରିବା ପାଇଁ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନର ଜିଲ୍ଲା ସଭାପତି ସୁକାନ୍ତ କୁମାର ପରିଡା, ଉପଦେଷ୍ଟା ପ୍ରଭାତ ମିଶ୍ର, ଜନକଲ୍ୟାଣ ପ୍ରତିଷ୍ଠାନର ସଭାପତି ଅକ୍ଷୟ ରଥ ଓ ଆଇନଜୀବୀ ମନୀରା ବେଗମ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ଘଟଣାର ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା