ଭୁବନେଶ୍ବର: ଓଡ଼ିଶା ପାଇଁ ଗୌରବ ଆଣିଲା "ଦ ସି ଆଣ୍ଡ ସେଭନ ଭିଲେଜେସ" (The Sea And Seven Villages)। ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ପ୍ରାମାଣିକ ଫିଲ୍ମକୁ ମିଳିଛି ଆଉ ଏକ ସଫଳତା । ବିଶ୍ୱର ଦୀର୍ଘତମ ଭ୍ରାମ୍ୟମାଣ ଚଳଚ୍ଚିତ୍ର ମହୋତ୍ସବ "ଜାଗରଣ ଫିଲ୍ମ ଫେଷ୍ଟିବାଲରେ" ପ୍ରଦର୍ଶିତ ହେବାପାଇଁ ତାଙ୍କ ନିର୍ଦ୍ଦେଶିତ ଏହି ସିନେମାଟି ମନୋନୀତ ହୋଇଛି। ନିର୍ଦ୍ଦେଶକ ହିମାଂଶୁଙ୍କ ଏହି ସଫଳତା ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଶା ପାଇଁ ଗୌରବ ଆଣିଥିବା ବେଳେ ତାଙ୍କ ପାଇଁ ସବୁଆଡୁ ଛୁଟୁଛି ଅଭିନନ୍ଦନର ସୁଅ ।
ଏହି ଚଳଚ୍ଚିତ୍ର ମହୋତ୍ସବରେ ସାରା ବିଶ୍ୱରୁ ୭୨ ଦେଶରୁ ୭୦୦୦ଟି ସିନେମା ଆସିଥିଲା। ଯେଉଁଥିରୁ ଅଳ୍ପ କେତୋଟି ବଛାବଛା ହାତ ଗଣତି ଶ୍ରେଷ୍ଠ ସିନେମାକୁ ଏହି ମହୋତ୍ସବରେ ପ୍ରଦର୍ଶନ କରିବା ପାଇଁ ଜାତୀୟ ସ୍ତରର ସୁନାମଧନ୍ୟ ଜୁରୀ ମାନେ ବିବେଚନା କରିଛନ୍ତି । ସେଥିମଧ୍ୟରୁ ଓଡ଼ିଶାରୁ "ଦ ସି ଆଣ୍ଡ ସେଭନ ଭିଲେଜେସ' ଅନ୍ୟତମ । ତେବେ ଜଳବାୟୁ ପରିବର୍ତ୍ତନ ଓ ବିସ୍ଥାପନକୁ ନେଇ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ତଥା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନିବେଦିତ ତଥା କାଦମ୍ବିନୀ ମିଡିଆ ପ୍ରସ୍ତୁତ ସିନେମା "ଦ ସି ଆଣ୍ଡ୍ ସେଭନ୍ ଭିଲେଜେସ' ଏହି ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ମନୋନୀତ ହୋଇଛି । ଏହି ଫିଲ୍ମର ପ୍ରଯୋଜନା କରିଛନ୍ତି ଡକ୍ଟର ଇତି ସାମନ୍ତ । ପୂର୍ବରୁ ଏହି ସିନେମାଟି ଅନ୍ତର୍ଜାତୀୟ କେରଳ ମହୋତ୍ସବରେ ପଦର୍ଶିତ ହେବାକୁ ମନୋନୀତ ହୋଇ ଓଡ଼ିଶା ପାଇଁ ଗୌରବ ଆଣିଥିଲା । ତେଣୁ ଏଥର ବି ଏହି ସିନେମାଟି ଜାଗରଣ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ନିଶ୍ଚୟ ଓଡ଼ିଶା ପାଣିପବନର ଛାପ ଛାଡ଼ିବ ।
ଏହା ମଧ୍ୟ ପଢନ୍ତୁ: ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ଡକ୍ୟୁମେଣ୍ଟାରୀ ‘ଅଦ୍ବିତୀୟ'ର କମାଲ, ପ୍ରଶଂସା କଲେ ନବୀନ
ସୂଚନା ଥାଉ କି, ସାରା ବିଶ୍ୱରେ ଭଲ ସିନେମାକୁ ପ୍ରୋତ୍ସାହନ ଦେବା ତଥା ସିନେମାର କଳାତ୍ମକ ଦୃଷ୍ଟିକୋଣକୁ ଲୋକଲୋଚନରେ ପହଞ୍ଚାଇବା ପାଇଁ ଜାଗରଣ ପ୍ରକାଶନ ଗ୍ରୁପ ଦ୍ୱାରା ପରିଚାଳିତ "ଜାଗରଣ ଭ୍ରାମ୍ୟମାଣ ଫିଲ୍ମ ମହୋତ୍ସବ" ସାରା ଭାରତ ବର୍ଷରେ ଆୟୋଜନ କରାଯାଇଥାଏ । 11ଟି ରାଜ୍ୟରେ ଦୀର୍ଘ 100 ଦିନ ଧରି ବିଭିନ୍ନ ମେଟ୍ରୋ ସିଟି ମାନଙ୍କରେ ଏହି ଚଳଚ୍ଚିତ୍ର ମହୋତ୍ସବକୁ ଆୟୋଜନ କରାଯାଏ । ଏଠାରେ ଚଳଚ୍ଚିତ୍ର, ୱେବ୍ ସିରିଜ ଏବଂ ବିଭିନ୍ନ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯିବ ।
ଏହି ଚଳଚ୍ଚିତ୍ର ମହୋତ୍ସବ ଅଗଷ୍ଟ ୩ରୁ ଦିଲ୍ଲୀରେ ଆରମ୍ଭ ହେବ । ଏହାପରେ କାନପୁର, ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣାସୀ, ଗୋରଖପୁର, ବରେଲି, ଦେରାଡୁନ୍, ହିସାର, ଗୁରୁଗ୍ରାମ, ଲୁଧିଆନା, ପାଟନା, ଦରଭଙ୍ଗା, ରାଞ୍ଚି, ରାୟପୁର, ଇନ୍ଦୋର ଓ ସିଲିଗୁରୀରେ ଆୟୋଜିତ ହେବ। ଚଳଚ୍ଚିତ୍ର ମହୋତ୍ସବ ୧୪ ଅକ୍ଟୋବର ୨୦୨୩ରେ ମୁମ୍ବାଇରେ ଶେଷ ହେବ । ଚଳିତ ବର୍ଷ ବିଶ୍ବର ଏହି ସର୍ବବୃହତ ଚଳଚ୍ଚିତ୍ର ମହୋତ୍ସବ ୧୧ଟି ରାଜ୍ୟର ୧୮ଟି ସହରରେ ଅନୁଷ୍ଠିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର