ଖୋର୍ଦ୍ଧା: ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ସେପଟେ ବାର୍ଦ୍ଧକ୍ୟ ସମୟରେ ସହାୟତା ପାଇଁ ନା ଅଛନ୍ତି ସନ୍ତାନ ସନ୍ତତି ଅବା ବନ୍ଧୁ ପରିଜନ। କେବଳ ଗ୍ରାମର କିଛି ସହୃଦୟ ବ୍ୟକ୍ତିଙ୍କ ଭରସାରେ ଦିନ କାଟୁଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ବସନ୍ତ ମହାପାତ୍ର ଏବଂପତ୍ନୀ ହାରାମଣି ।
ଡିଙ୍ଗର ଗ୍ରାର ନିସନ୍ତାନ ବୃଦ୍ଧ ଦମ୍ପତି ବସନ୍ତ ମହାପାତ୍ର ଏବଂ ପତ୍ନୀ ହାରାମଣୀ ଦେବୀ । ବୟସ ପାଖାପାଖି 70 ଡେଇଁଲାଣି । ବାର୍ଦ୍ଧକ୍ୟ ସହ ଅସହ୍ୟ ପେଟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ବସନ୍ତ । ହେଲେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ସରକାରୀ ସହାୟତା କହିଲେ ମିଳୁଛି ମାସକୁ ପାଞ୍ଚ ଶହ ଟଙ୍କା ଲେଖାଁଏ ଭତ୍ତା ଏବଂ ପାଞ୍ଚ କିଲୋ ଚାଉଳ । ନିଜସ୍ଵ ବାସ ନଥିବାରୁ ଜଣେ ଗ୍ରାମବାସୀ ତାଙ୍କୁ ରହିବା ପାଇଁ ଚାଳ ଘର ବଖରାଟିଏ ଭଡାରେ ଦେଇଛନ୍ତି । ହେଲେ ଏବେ ସେଠାରେ ରହିବା ସମ୍ଭବ ହେଉନାହିଁ ।
ନିସନ୍ତାନ ଏହି ବୃଦ୍ଧ ଦମ୍ପତିଙ୍କୁ ଆହା ପଦେ କହିବାପାଇଁ କେହି ନାହାଁନ୍ତି । ଦଶ ବର୍ଷ ପୂର୍ବେ ବସନ୍ତଙ୍କ ଭାଇ କୌଶଳ କ୍ରମେ ଜମି ଏବଂ ଘରଜଗା ନିଜ ନାମରେ କରି ବସନ୍ତଙ୍କୁ ଘରୁ ବାହାର କରି ତାଙ୍କୁ ଭୂମିହୀନ ସଜେଇଦେଲେ। ସେପଟେ ବସନ୍ତଙ୍କ ବାରଦୁଆର ଶୁଣ୍ଢିପିଣ୍ଡା ଦେଖି ଗ୍ରାମବାସୀ ତାଙ୍କୁ ଏକ ସରକାରୀ ଜାଗା ଯୋଗାଇ ଦେଇଥିବା ବେଳେ ସେଥିରେ ନିର୍ମିତ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘରର କିସ୍ତି ଅଧାରୁ ବନ୍ଦ କରିଦେଇଛନ୍ତି ସରକାର।
ଏବେ ଅଧାପନ୍ତରିଆ ଭାବେ ପଡି ରହିଛି ଏହି ଆବାସ ଘର । ନିଜର ଚିକିତ୍ସା ସହ ଘର ଖଣ୍ଡେ ଏବଂ ଚଳିବା ପାଇଁ କିଛି ଆର୍ଥିକ ସହାୟତା ପାଇଁ ବାରମ୍ବାର ପ୍ରଶାସନ ପାଖକୁ ଦୌଡ଼ି ଦୌଡି ନୟାନ୍ତ ହୋଇଥିବାବେଳେ ସ୍ଥାନୀୟ ସରପଞ୍ଚ ମଧ୍ୟ ସହାୟତା ପାଇଁ ସରକାରଙ୍କୁ ଦାବି କରିଛନ୍ତି। ସେପଟେ ବସନ୍ତଙ୍କ ସମ୍ପର୍କରେ ସ୍ଥାନୀୟ ବିଡ଼ିଓଙ୍କୁ ଅବଗତ କରିବାରେ ସେ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ବସନ୍ତଙ୍କ ପାଇଁ ସହାରା ପାଲଟିଛନ୍ତି ଗ୍ରାମବାସୀ । ସରକାର ଏହି ଦୁଃଖୀ ଦମ୍ପତିଙ୍କୁ ସହାୟତା ଯୋଗାଇ ଦେଲେ ଶେଷ ସମୟରେ ଖୁସିରେ ରହିପାରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ