ଭୁବନେଶ୍ବର: ଡିସେମ୍ବରରୁ ରାଜ୍ୟରେ ବନ୍ଦ ହୋଇପାରେ ଟୀକାକରଣ । କାରଣ ବିଭିନ୍ନ ଦାବୀ ପୂରଣ ନେଇ ଡିସେମ୍ବର 21ରୁ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି ସ୍ବାସ୍ଥ୍ୟକର୍ମୀ । କ୍ୟାଡର ପୁନର୍ଗଠନ ଦାବିରେ ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଓ ପରିଦର୍ଶକ ମିଳିତ ମହାସଂଘ ଏହି କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ତେବେ ଦୀର୍ଘ ଦିନ ଧରି କ୍ୟାଡର ପୁନର୍ଗଠନ କରି ସର୍ବନିମ୍ନ 4ଟି ପଦୋନ୍ନତି ପାଇଁ ବାରମ୍ବାର ଦାବି କରିଆସୁଛି ସଂଘ ।
ଏହା ସହ ପଦବୀର ନାମ ପରିବର୍ତ୍ତନ ଏବଂ ପୋଷାକ ଭତ୍ତା ଆକରରେ ମାସିକ 5 ହଜାର ଟଙ୍କା ଦେବାକୁ ସଂଘ ଦାବୀ କରୁଛି । ତେବେ ପ୍ରତ୍ୟେକ ବିଭାଗର କର୍ମଚାରୀମାନେ 4 ରୁ 8ଟି ପଦନ୍ନୋତି ପାଉଥିବା ବେଳେ ବହୁମୁଖୀ ସ୍ଵାସ୍ଥ୍ୟ କର୍ମୀମାନେ ବିନା ପଦନ୍ନୋତିରେ ଚାକିରୀର ଅବସର ନେଉଛନ୍ତି । ତେଣୁ ଯଥା ଶୀଘ୍ର ଦାବୀ ପୂରଣ ନ ହେଲେ ଆସନ୍ତା ଡିସେମ୍ବର 7ରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ ପରେ 14 ରୁ ଅସହଯୋଗ ଆନ୍ଦୋଳନ ଆଉ ଶେଷରେ 21ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ସଂଘ ।
ଅନ୍ୟପଟେ ରାଜ୍ୟରେ ପାଖାପାଖି 20 ହଜାର ସ୍ଵାସ୍ଥ୍ୟକର୍ମୀମାନେ କାର୍ଯ୍ୟ ବନ୍ଦ କଲେ ଟୀକାକରଣ ଠପ ହୋଇଯିବା ସହ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ମଧ୍ୟ ପ୍ରଭାବିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର