ଖୋର୍ଦ୍ଧା: ଶୋଇବା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବେଗୁନିଆ ନୂଆସହିର ରୀତାମଣି ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏହି ଘଟଣାରେ ମୃତ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବେଗୁନିଆ ନୂଆସହିର କୃପାସିନ୍ଧୁ ପ୍ରଧାନଙ୍କୁ ଠଣାପଲି ଗ୍ରାମର ରୀତାମଣି ପ୍ରଧାନ 2020 ମସିହାରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ଦାବି ମୁତାବକ 50 ହଜାର ଟଙ୍କା, ସୁନା ଗହଣା ଓ ବିଭିନ୍ନ ଅସବାପତ୍ର ପ୍ରଦାନ କରିଥିଲେ । କିନ୍ତୁ ବାରମ୍ବାର ଶ୍ବଶୁର ଘର ପକ୍ଷରୁ ରୀତାମଣୀଙ୍କୁ ଅଧିକ 2ଲକ୍ଷ ଟଙ୍କା ଯୌତୁକ ଦାବି କରି ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ।
ଏଥିପାଇଁ ଭଦ୍ର ଲୋକଙ୍କ ମାଧ୍ୟମରେ ବହୁଥର ଆପୋଷ ସମାଧାନ ହୋଇଥିଲା । ଗତ ଏକ ମାସ ତଳେ ନିର୍ଯାତନା ଅସହ୍ୟ ହେବାରୁ ରିତାମଣି ତାଙ୍କ ବାପ ଘରେ ଆସି ରହୁଥିଲେ । କିନ୍ତୁ ଗତ 2 ତାରିଖରେ ଭଦ୍ର ଲୋକଙ୍କ ମାଧ୍ୟମରେ ସମାଧାନ ହୋଇ ରୀତାମଣି ଶାଶୁଘରକୁ ଆସିଥିଲେ । ଏହାପରେ ଗତ ରବିବାର ବିଳମ୍ବିତ ରାତିରେ ଶୋଇବା ଘର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ରିତାମଣିଙ୍କ ଶାଶୁ ଖବର ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ବେଗୁନିଆ ଥାନାରେ ରିତାମଣିଙ୍କ ଭାଇ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ତାଙ୍କ ସ୍ବାମୀଙ୍କୁ ପଚରାଉଚରା କରାଯାଉଛି ।
ଇଟିଭି ଭାରତ, ଖୋର୍ଦ୍ଧା