ଭୁବନେଶ୍ବର: ରାଜ୍ୟରେ ସ୍ୱଚ୍ଛ ଓ ସ୍ୱୟଂଚାଳିତ ହେବ ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ସ୍ୱୟଂ ଚାଳିତ ଯାନଚାଳନା ପରୀକ୍ଷା ପଦ୍ଧତି ଲାଗୁ କରାଯିବ । ଏନେଇ ଆଜି ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ‘ମେସର୍ସ ଅକ୍ଷରା ନିପୁନ ଜେଭି’ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
ପରିବହନ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ସଡ଼କ ସୁରକ୍ଷା ପ୍ରତି ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ୫-‘ଟି’ ଉପକ୍ରମରେ ଏହି ବ୍ୟବସ୍ଥା ପ୍ରଚଳନ ଦ୍ୱାରା ଉତ୍ତମ ଏବଂ ଶୃଙ୍ଖଳିତ ଯାନଚାଳକମାନେ ଲାଇସେନ୍ସ ପାଇବା ସହ ସଡ଼କ ଦୁର୍ଘଟଣା ହ୍ରାସ ପାଇବ । ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି ଯେ, ଓଡ଼ିଶାର ୮୫ ପ୍ରତିଶତ ବ୍ୟକ୍ତି ସଡ଼କ ପରିବହନ ଉପରେ ନିର୍ଭର କରିଥାନ୍ତି । ସେମାନଙ୍କର ନିରାପତ୍ତା ଦାୟିତ୍ୱ ଡ୍ରାଇଭର ଉପରେ ନ୍ୟସ୍ତ । ରାଜ୍ୟରେ ଏହି ସ୍ୱୟଂ ଚାଳିତ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଆମେ ଦକ୍ଷ ଯାନଚାଳକ ପାଇପାରିବା । ଏହି ବ୍ୟବସ୍ଥାର ସୁଫଳ ନିଶ୍ଚୟ ସଡ଼କ ସୁରକ୍ଷା କ୍ଷେତ୍ରରେ ପ୍ରତିଫଳିତ ହେବ ।
ଏହାବି ପଢନ୍ତୁ- Odisha New CS: ମୁଖ୍ୟ ଶାସନ ସଚିବ ଭାବେ ପ୍ରଦୀପ ଜେନାଙ୍କ ଦାୟିତ୍ୱ ଗ୍ରହଣ
ପରିବହନ କମିଶନର ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ପ୍ରଦାନ କରି କହିଛନ୍ତି ଯେ, ସଡ଼କ ସୁରକ୍ଷା ଓ ଦକ୍ଷ ଯାନଚାଳନା ପାଇଁ ଏହି ବ୍ୟବସ୍ଥା ବେଶ ଉପଯୋଗୀ ସାବ୍ୟସ୍ତ ହେବ । ସଂପ୍ରତି ଯାନଚାଳନା ପାଇଁ ଲାଇସେନ୍ସ ପାଇବାକୁ ହେଲେ ଅବେଦନକାରୀଙ୍କୁ ମୋଟର ଯାନ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ପରୀକ୍ଷା ଦେବାକୁ ପଡ଼ୁଛି । ରାଜ୍ୟରେ ଏହି ସ୍ୱୟଂଚାଳିତ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ ହେଲେ ଯାନଚାଳନା ପରୀକ୍ଷା ସମୟରେ ଟ୍ରାକରେ ପ୍ରବେଶଠାରୁ ଆରମ୍ଭ କରି ଏହାର ସମସ୍ତ ପର୍ଯ୍ୟାୟ ଡିଜିଟାଲ ପଦ୍ଧତି ମାଧ୍ୟମରେ ନିର୍ଣ୍ଣୟ କରାଯିବ । ଟ୍ରାକରେ ଫିଟ ହୋଇଥିବା ଡିଜିଟାଲ ଟେଷ୍ଟିଂ ସେନ୍ସରଗୁଡ଼ିକ ଏହା ଉପରେ ନଜର ରଖିବ । ଯାନଚାଳକଙ୍କ ଦକ୍ଷତାକୁ ବିଚାର କରିବ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସଂପୂର୍ଣ୍ଣ ଉପଯୋଗ କରାଯାଇ ଏହି ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିର୍ଭୁଲ ଭାବେ କରିବାକୁ ପଦକ୍ଷେପ ନିଆଯାଇଛି । ଏହି ବ୍ୟବସ୍ଥାରେ କୌଣସି ମାନବୀୟ ହସ୍ତକ୍ଷେପ ହେବାର ସୁଯୋଗ ନାହିଁ ।
ଏହାବି ପଢନ୍ତୁ- Odisha CHSE Exam: ପରୀକ୍ଷାରେ ସହଯୋଗ ପାଇଁ ଅଧ୍ୟାପକଙ୍କୁ ଧନ୍ୟବାଦ: ଗଣଶିକ୍ଷା ମନ୍ତ୍ରୀ
ପ୍ରଥମ ପର୍ଯ୍ୟାୟରେ ଅନୁଗୋଳ, ବାରିପଦା, ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼, ଫୁଲବାଣୀ, ରାଇରଙ୍ଗପୁର, ରାଉରକେଲା, ସୁନ୍ଦରଗଡ଼, ତାଳଚେର, କେନ୍ଦୁଝର, ମାଲକାନଗିରି, ନୂଆପଡ଼ା, ଭଞ୍ଜନଗର, ନବରଙ୍ଗପୁର ଏବଂ ସୋନପୁର ଆଦି ରାଜ୍ୟର ୧୯ଟି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଏହି ଡ୍ରାଇଭିଂ ପରୀକ୍ଷଣ ଟ୍ରାକ ସ୍ଥାପନ କରାଯିବ । ପର୍ଯ୍ୟାୟ କ୍ରମେ ଅନ୍ୟ କାର୍ଯ୍ୟାଳୟଗୁଡ଼ିକରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଯାନଚାଳନା ପ୍ରମାଣପତ୍ର ନିମନ୍ତେ ଆବେଦନକାରୀମାନେ ସରକାରୀ ଛୁଟିଦିନମାନଙ୍କରେ ଏହି ସ୍ୱୟଂ-ଚାଳନା ଯାନ ପରୀକ୍ଷଣ କେନ୍ଦ୍ରମାନଙ୍କରେ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଦେୟ ପ୍ରଦାନ କରି ଯାନ ଚାଳନାର ଅଭ୍ୟାସ କରିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ପ୍ରକଳ୍ପକୁ ୧୦ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୁଝାମଣା ପତ୍ରରେ ଉଲ୍ଲେଖ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର