ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରଖିଲେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଦେଲେ ମଞ୍ଜୁର ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରି ଭାରତ ସରକାର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ ଅନୁମୋଦନ ଦେବା ସହ ୨୮୭.୮୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏନେଇ କେନ୍ଦ୍ର ଗ୍ରାମୀଣ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ପତ୍ରର ଉତ୍ତର ଦେଇ କହିଛନ୍ତି । ଏହି ନିଷ୍ପତି ଓଡିଶାର ଗମନାଗମନକୁ ଅଧିକ ସୁଗମ କରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରିଛନ୍ତି ଯେ, ଭାରତ ସରକାର ଓଡିଶାର ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମିର ବିକାଶ ତଥା ଗମାନା ଗମନ ସୁବିଧାକୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ।
ଓଡ଼ିଶାର ୧୫ ଜିଲ୍ଲା ଯଥା କଳାହାଣ୍ଡି ପାଇଁ ୧୩ଟି, ସମ୍ବଲପୁର ପାଇଁ ୧୦ଟି, ଗଞ୍ଜାମ ପାଇଁ ୮ଟି, କଟକ ପାଇଁ ୫ଟି, ନବରଙ୍ଗପୁର ପାଇଁ ୫ଟି, ବାଲେଶ୍ୱର ପାଇଁ ୩ଟି, ମୟୂରଭଞ୍ଜ ପାଇଁ ୩ଟି, ଦେବଗଡ଼ ଓ ମାଲକାନଗିରି ପାଇଁ ୨ଟି ଲେଖାଁଏ ପୋଲ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ।
ସେହିପରି ଭଦ୍ରକ, ଝାରସୁଗୁଡା, ନୟାଗଡ, ନୂଆପଡା, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ଲେଖାଁଏ ସେତୁ ନିର୍ମାଣ ପାଇଁ ଅର୍ଥବ୍ୟୟବରାଦ ହୋଇଛି । ଏହା ଦ୍ୱାରା ଏହି ସବୁ ଗ୍ରାମୀଣ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ବିଶେଷ ଭାବରେ ଉପକୃତ ହେବେ I ଏହି ନିଷ୍ପତି ଅଞ୍ଚଳର ବିକାଶ କରିବା ସହ ସାମାଜିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ଯଯେ ଏହା ପୂର୍ବରୁ ଗତବର୍ଷ ରାଜ୍ୟ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ସାଙ୍ଗରେ ଧରି ଧର୍ମେନ୍ଦ୍ର ଗିରିରାଜ ସିଂଙ୍କୁ ସାକ୍ଷାତ କରିଥିଲେ । ଦାବି ଥିଲା ଆବାସ ପୋର୍ଟାଲ ଖୋଲିବାକୁ । ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କୁ ବାସଗୃହ ଯୋଗାଇ ଦେବାକୁ ଦାବି କରି ଧର୍ମେନ୍ଦ୍ର ଓଡିଶା ପାଇଁ ଆବାସ ପୋର୍ଟାଲ ଖୋଲିବାକୁ ଅନୁରୋଧ କରିଥିଲେ । ସେତେବେଳେ ମଧ୍ୟ ଗିରିରାଜ ସିଂ ନିର୍ଦ୍ଦିଷ୍ଟ ସର୍ତ୍ତ ସହ ଆବାସ ପୋର୍ଟାଲ ଖୋଲିବାକୁ ଅନୁମତି ଦେଇଥିଲେ । ଯଦ୍ବାରା ରାଜ୍ୟକୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ମିଳିପାରିଛି ।
ଇଟିଭି ଭାରତ, ଭୁବନେଶ୍ବର