ଭୁବନେଶ୍ବର: ଓଡ଼ିଶାରେ ମିଳିଲା ସୁନାଖଣିର ସନ୍ଧାନ । ରାଜ୍ୟର ୩ଟି ଜିଲ୍ଲାରେ ସୁନା ଖଣି ରହିଥିବା ଜଣାପଡ଼ିଛି । ଆଜି ବିଧାନସଭାର ପ୍ରଶ୍ନକାଳରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ବିଜେଡି ବିଧାୟକ ସୁଧୀର କୁମାର ସାମଲଙ୍କ ପ୍ରଶ୍ନରେ ଗୃହରେ ଏହି ଉତ୍ତର ରଖିଛନ୍ତି ଇସ୍ପାତ ଓ ଖଣି
ବିଧାୟକ ସୁଧୀର ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି ? ଆଉ ଯଦି ମିଳିଛି ତାହେଲେ ତାର ସବିଶେଷ ବିବରଣୀ ପ୍ରଦାନ କରନ୍ତୁ । ଏହି ପ୍ରଶ୍ନ ଉତ୍ତରରେ ଇସ୍ପାତ ଓ ଖଣି ମନ୍ତ୍ରୀ କହିଛନ୍ତି ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ଓ ଭାରତୀୟ ସର୍ବେକ୍ଷଣ ସଂସ୍ଥା (GSI) ମାଧ୍ୟମରେ ପ୍ରାରମ୍ଭିକ ଅନୁସନ୍ଧାନ କରାଯାଇ ରାଜ୍ୟର ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନା ପଥର ଥିବାର ସୂଚନା ମିଳିଛି । ତେବେ ମୟୂରଭଞ୍ଜର ଯଶୀପୁର, ସୁରିଆଗୁଡ଼ା, ରୁଆଁସି, ଇଡେଳକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମ ପାହାନ ଅଞ୍ଚଳରେ ମିଳିଛି ସୁନାଖଣି ।
ଏହା ବି ପଢନ୍ତୁ- Odisha Assembly: ସରକାର କିଏ ଚଳାଉଛି: ବିରୋଧୀ ଦଳନେତା, ଜବାବ ରଖିଲେ ପ୍ରମିଳା
ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ରୁଆଁସି ଅଞ୍ଚଳରେ ସୁନାବାହୀ ପଥରରେ ୦.୧ରୁ ୨.୬ ଗ୍ରାମ ସୁନା ଥିବା ଆକଳନ କରାଯାଇଛି । ସେହିପରି ସୁଲେଇପାଟ ଅଞ୍ଚଳର ଧୁସୁରା ପାହାଡରେ ସୁନାବାହୀ ୧ ଟନ ପଥରରୁ ୦.୧ରୁ ୦.୮ ଗ୍ରାମର ସୁନା ରହିଛି । ଦେବଗଡ଼ ଜିଲ୍ଲାର ଅଡାସ ଅଞ୍ଚଳରୁ ରହିଛି ସୁନା ଖଣି । ଏଠାରେ ମିଳୁଥିବା ତମ୍ବାବାହୀ ପଥର ସହିତ ପ୍ରାୟ ୧୬୮୫ କିଗ୍ରା ସୁନା ଥିବାର ସୂଚନା ମିଳିଛି । ଦେବଗଡ଼ର ଅଡାସ ଅଞ୍ଚଳରେ ସୁନା ଖଣି ସାଙ୍ଗକୁ କପର, ରୂପା, ନିକେଲ ଆଦି ଥିବା ଜଣାପଡ଼ିଛି ।
ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର, ଗାଜିପୁର, କୁଶକଳା, ଅଡ଼ାଳ ଏବଂ ତେଲକୋଇର ସଳେଇକନା, ଡିମିରିମୁଣ୍ଡା ଓ କରଡଙ୍ଗା ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ଗୋପୁର ନିକଟସ୍ଥ ଦକ୍ଷିଣ ପାର୍ଶ୍ବରୁ ସୁନାବାହୀ ପଥରରୁ ୨.୫ ଗ୍ରାମରୁ ୧୦ ଗ୍ରାମ ସୁନା ଥିବା ମନ୍ତ୍ରୀ କହିଛନ୍ତି । ଜିଲ୍ଲାର ସଲେଇକନା ଅଞ୍ଚଳରେ ପ୍ରାୟ ୧ ଗ୍ରାମ ସୁନା ରହିଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ସୂଚନା ମିଳିଛି । ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ମନ୍ତ୍ରୀ ଉତ୍ତରରେ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର