ଭୁବନେଶ୍ବର: ବିମୁଦ୍ରୀକରଣକୁ ପୁରିଲା 6 ବର୍ଷ । ହେଲେ ଦେଶକୁ ଫେରିଲାନି କଳାଟଙ୍କା । 2016 ନଭେମ୍ବର 8ରେ ଭାରତରେ ଘୋଷଣା ହୋଇଥିଲା ବିମୁଦ୍ରୀକରଣ । ଏହାକୁ ନେଇ ମୋଦି ସରକାରଙ୍କୁ ସାମ୍ବାଦିକ ସମ୍ମିଳନୀରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ।
ତାଙ୍କ କହିବାନୁଯାୟୀ, ଆଜିକୁ ଠିକ 6ବର୍ଷ ତଳେ ଭାରତ ସରକାରଙ୍କ ଏହି ବିମୁଦ୍ରିକରଣ ଯୋଜନା ହେତୁ ଗ୍ରାସ କରିବା ଭଳି ହୋଇଥିଲା । 2016ରେ ଗୋଟିଏ ଦିନ ରାତିରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ବିମୁଦ୍ରିକରଣ । ସେତେବେଳେ ମୋଦି କହିଥିଲେ ଏହି ଯୋଜନା କଳାଧନ କମାଇବ, ଆତଙ୍କବାଦ କମାଇବ ଏବଂ ନକଲି ନୋଟର ମାତ୍ରାକୁ ମଧ୍ୟ କମାଇବ । ହେଲେ ବିଗତ 6ବର୍ଷରେ ସେମିତି କିଛି କାହିଁକି ହୋଇନାହିଁ ତାର ଉତ୍ତର ରଖନ୍ତୁ ସରକାର । କଳାଟଙ୍କା ତ କମିଲା ନାହିଁ ବରଂ ମିଳିଥିବା ସୂଚନା ଅନୁଯାୟୀ ସୁଇସ ବ୍ୟାଙ୍କରେ ଏହାର ମାତ୍ରା ବଢି 17 ହଜାର କୋଟିରୁ 31ହଜାର କୋଟିରେ ପହଞ୍ଚିଛି । ସେହିପରି ଏହି ଯୋଜନା ଦ୍ବାରା ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । 69 ପ୍ରତିଶତ ଜନସାଧାରଣଣଙ୍କ ଆର୍ଥିକ ଅବସ୍ଥା ଦୁର୍ବଳ ରହିଛି । ଏପରିକି ଧାମନଗର ଉପ ନିର୍ବାଚନରେ ଯେଉଁ ଟଙ୍କା ବଂଟା ଗଲା ତାହା କେଉଁ ଟଙ୍କା ବୋଲି ପ୍ରଶ୍ନ ଉଠାଇଛନ୍ତି ପଞ୍ଚାନନ ।
ସୂଚନା ଥାଉକି, ତେବେ ଦୁର୍ନୀତି ଓ କଳାଧନ ରୋକିବା ସହ ଦେଶରେ ନଗଦ କାରବାର ହ୍ରାସ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) ଏହି ବଡ ଘୋଷଣା କରିଥିଲେ । ଏହାଦ୍ବାରା ଅଚଳ ହୋଇଯାଇଥିଲା ୫୦୦ ଓ ୧୦୦୦ ଟଙ୍କିଆ ନୋଟ । ବଜାରକୁ ଆସିଥିଲା ନୂଆ ୨୦୦୦ ଟଙ୍କିଆ ନୋଟ । ଆଜି ବିମୁଦ୍ରୀକରଣ ବା ନୋଟବନ୍ଦୀକୁ ପୁରୁଛି ୬ ବର୍ଷ । ହେଲେ ଯେଉଁ ଲକ୍ଷ୍ୟ ନେଇ ଏହି କଠୋର ପଦକ୍ଷେପ ଗ୍ରହଣ କରାଯାଇଥିଲା ତାହା ସଫଳ ହୋଇନଥିବା କୁହାଯାଉଛି । ଏହାର ପ୍ରମାଣ ହେଉଛି ଏହି ଘୋଷଣାକୁ 6 ବର୍ଷ ପୂରଣ ହୋଇଥିଲେ ମଧ୍ୟ ଏବେବି ବହୁଳ ମାତ୍ରାରେ ନଗଦ ଟଙ୍କା କାରବାର ହେଉଛି । (6 years of demonetization, Cash With Public At Record High) ।
ଇଟିଭି ଭାରତ, ଭୁବନେଶ୍ବର