ଖୋର୍ଦ୍ଧା: ଆଜି ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୬ତମ ଜୟନ୍ତୀ । ଖୋର୍ଦ୍ଧାସ୍ଥିତ ଜାନକୀ ବଲ୍ଲଭ ପାର୍କରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଜଟଣୀ ବିଧାୟକ ସୁର ରାଉତରାୟ ଯୋଗଦେଇ ଜାନକୀ ବଲ୍ଲଭଙ୍କ ସ୍ମୃତିଚାରଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, "ଜାନକୀ ବାବୁ ଏକାଧାରରେ ଜଣେ ରାଜନେତା, ସମ୍ବାଦିକ ଓ ସାହିତ୍ୟିକ ଥିଲେ । ସେ ମଧ୍ୟ ସଂସ୍କୃତି ଉପରେ ଗବେଷଣା କରି ବେଶ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିତ୍ବର ଅଧିକାରୀ ଥିଲେ ।" ଖୋର୍ଦ୍ଧା ଜିଲ୍ଲାର ଅଖ୍ୟାତ ପଲ୍ଲୀରେ ଜନ୍ମ ହୋଇ ଓଡିଶା ପ୍ରତି କରିଥିବା କାର୍ଯ୍ୟ ତାଙ୍କୁ ସବୁବେଳେ ଅମର ରଖିବ ବୋଲି କହିଥିଲେ ସୁର । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିନ୍ଦ୍ରନାଥ ମିତ୍ର, ଆଡଭୋକେଟ୍ ଜେନେରାଲ ଅକ୍ଷୟ ପରିଜା, ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ବର୍ଣ୍ଣନା କରିଥିଲେ ।
ଏହି ଉତ୍ସବ କମିଟିର ସମ୍ପାଦକ ସଞ୍ଜୟ ପଟ୍ଟନାୟକଙ୍କ ଉଦ୍ୟମରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବ୍ୟବହୃତ କାର ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରୁ ଆଣି ଏହି ପାର୍କରେ ଜନସାଧାରଣଙ୍କ ଦର୍ଶନ ନିମନ୍ତେ ଉତ୍ସର୍ଗ କରାଯାଇଛି । ଏହି କାରରେ ରାଜ୍ୟର ବିଭିନ୍ନ ସ୍ଥାନକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଯାଇଛନ୍ତି ବୋଲି ତାଙ୍କର ଏକାନ୍ତ ଅନୁଗତ ସୁରେଶ କୁମାର ରାଉତରାୟ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା