ଭୁବନେଶ୍ବର: ଫାଇଲେରିଆ ନିରାକରଣ ଅଭିଯାନ ଅନ୍ତର୍ଗତ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମକୁ ତ୍ବରିତ ହୋଇଛି । ଏହି ଉଦ୍ଦେଶ୍ୟରେ ଆଜି ଏମ୍ସ ଭୁବନେଶ୍ୱର ପରିସରରେ ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଆରମ୍ଭ ହୋଇଛି ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ । ଏହାକୁ ସର୍ବବ୍ୟାପି କରିବା ନିମନ୍ତେ ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସର୍ବପ୍ରଥମେ ଡିଇସି ଏବଂ ଆଲବେଣ୍ଡାଜୋଲ୍ ଟାବଲେଟ୍ ସେବନ କରିଛନ୍ତି । ଏଥି ସହିତ ସମସ୍ତେ ଫାଇଲେରିଆ ନିରାକରଣ ଅଭିଯାନରେ ସାମିଲ ହୋଇ ଡିଇସି ଏବଂ ଆଲବେଣ୍ଡାଜୋଲ୍ ଟାବଲେଟ୍ ସେବନ କରିବାକୁ ଡ. ବିଶ୍ବାସ ଆହ୍ବାନ ଦେଇଛନ୍ତି । ନିଜେ ପ୍ରଥମେ ଏହି ଔଷଧ ସେବନ କରି ସମସ୍ତଙ୍କୁ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ଡ. ବିଶ୍ବାସ ।
ଭାରତ ସରକାରଙ୍କ ନ୍ୟାସନାଲ ସେଣ୍ଟର ଫର ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ଅଧୀନରେ, ଦେଶର ୨୫୬ ଫାଇଲେରିଆ ପ୍ରବଣ ଜିଲ୍ଲାରେ ସାର୍ବଜନୀନ ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ଷିକ ଡିଇସି ଏବଂ ଆଲବେଣ୍ଡାଜୋଲ୍ର ଆବଶ୍ୟକ ମାତ୍ରା ଦିଆଯାଇଥାଏ । ଉପରୋକ୍ତ ୨୫୬ ଫାଇଲେରିଆ ପ୍ରବଣ ଜିଲ୍ଲା ମଧ୍ୟରୁ ଓଡ଼ିଶାରେ ଖୋର୍ଦ୍ଧା ସମେତ ୨୦ଟି ଏଣ୍ଡେମିକ୍ ଜିଲ୍ଲା ରହିଥିବା ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର ଏମସ ର ଓପିଡି ପରିସରରେ ଏକ ସ୍ବତନ୍ତ୍ର ସାର୍ବଜନୀନ ବାତଜ୍ବର ସେବନ କେନ୍ଦ୍ର ସ୍ଥାପନ କରାଯାଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଡିଇସି ଏବଂ ଆଲବେଣ୍ଡାଜୋଲ୍ ଟ୍ୟାବଲେଟ୍ର ମାଗଣା ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି। ଏଥିସହିତ ଏମ୍ସର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଏହାର ପରିସରରେ ରହୁଥିବା ସମସ୍ତ ପରିବାରକୁ ଏକ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟ ଦଳ ଦ୍ୱାରା ଏହି ଔଷଧ ବିତରଣ କରାଯାଉଛି । ଆଜି ଗୋଟିଏ ଦିନରେ ଏମ୍ସ ଭୁବନେଶ୍ୱରରେ ୫୪୪ ରୁ ଅଧିକ ବ୍ୟକ୍ତି ମାଗଣା ବାତଜ୍ବର ଔଷଧ ସେବନ କରିଛନ୍ତି ।
ବାତଜ୍ବର ଔଷଧ ସେବନ କାର୍ଯ୍ୟକ୍ରମରେ ଡିନ୍ (ଏକାଡେମିକ୍) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ବିନୋଦ ପାତ୍ର, ସିଏମ୍ଏଫ୍ଏମ୍ ବିଭାଗର ଅଧ୍ୟାପକ ଡ. ବିନୋଦ ବେହେରା ପ୍ରମୁଖ ଏହି ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ଡିଇସି ଏବଂ ଆଲବେଣ୍ଡାଜୋଲ୍ ଔଷଧ ଖାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡିଏମ୍ଓ ଡ. ଆର୍ତ୍ତବନ୍ଧୁ ନାୟକ, ଡିଏମ୍ଓ ଡ. ଜୀବନ୍ତ କୁମାର ଆଚାରି, ଭିବିଡିଟି ଦୀପକ କୁମାର ନାୟକ, ସୁସ୍ମିତା ସାମନ୍ତରାୟ, ଜିଲ୍ଲା ଅଧିକାରୀ ପିସି ଜୋବକମସନ ପ୍ରଧାନ ଆଦି ଉପସ୍ଥିତ ଥିଲେ ।
ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର ୨୦୦୪ ରେ ଲିମ୍ଫାଟିକ୍ ଫାଇଲେରିଆସିସ୍ ଦୂର କରିବା ପାଇଁ ଏହି ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏନେଇ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଫାଇଲେରିଆ ନିରାକରଣ ନେଇ ଅନ୍ତର୍ଜାତୀୟ ସ୍ତରରେ ରଖାଯାଇଥିବା ଲକ୍ଷ୍ୟର ତିନିବର୍ଷ ପୂର୍ବ 2027 ସୁଦ୍ଧା ଭାରତକୁ ଲିମ୍ଫାଟିକ୍ ଫାଇଲେରିଆସିସ୍ ମୁକ୍ତ କରିବାକୁ ଆହ୍ବାନ କରିଛନ୍ତି । ଗର୍ଭବତୀ ମହିଳା, ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଅସୁସ୍ଥ ରୋଗୀ ଏହି ଔଷଧ ସେବନ ନ କରିବାକୁ ପରାମର୍ଶ ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର