ଖୋର୍ଦ୍ଧା: ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷକର ଫସଲ ଅମଳ ପାଇଁ ଚଳିତ ବର୍ଷ ଚାଷୀ ବହୁ ଆଶା ବାନ୍ଧି ବସିଥିଲା । କିନ୍ତୁ ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଚାଷୀର ସବୁ ଆଶା ଉପରେ କଳା ବାଦଲ ଢାଙ୍କିଦେଇଛି । ଯାହାଫଳରେ ଚାଷୀ ସରକାରୀ ସହାୟତା ଦାବି କରିଛି ।
ସେପଟେ ଏଭଳି ସ୍ଥିତିରେ କୃଷି ବିଭାଗ ମଧ୍ୟ ହାତ ଟେକିଦେଇଛି । ଶ୍ରାବଣ ଯାଇ ଆଷାଢ଼ ହେଲାଣି ଆକାଶରୁ ବର୍ଷା ବଦଳରେ ନିଆଁ ଝରୁଛି । ବର୍ଷକର ଫସଲ ଭଲ ଅମଳ ପାଇଁ ଆଶାକରି ଧାନ ବୁଣିଥିବା ଜମି ଏବେ ଫାଟି ଆଁ କରିଛି । ଯାହା ଚାଷୀର ଚିନ୍ତା ବଢ଼ାଇ ଦେଇଛି । ଚାଷ କାମ ପାଇଁ ବିଭିନ୍ନ ସେବା ସମବାୟ ସମିତି ଏବଂ ହାତ ଉଧାରୀ କରି ଋଣ ଆଣିଥିବା ଚାଷୀ ଏବେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରେ ଜୁଲାଇ ମାସ ସୁଦ୍ଧା 51 ପ୍ରତିଶତ କମ ବର୍ଷା ରେକର୍ଡ କରାଯାଇଛି ଯାହା ଦ୍ୱାରା ମରୁଡ଼ିର ଆଶଙ୍କା କରିଛନ୍ତି ଚାଷୀ । ସେହିପରି ଜିଲ୍ଲାରେ ଚଳିତ ବର୍ଷ 1 ଲକ୍ଷ 6 ହଜାର 50 ହେକ୍ଟର ଚାଷ ଜମିରେ ଚାଷ କାର୍ଯ୍ୟ ଚାଲୁଥିବା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ।
ସେହିପରି ଅଧିକାରୀ କହିଛନ୍ତି ଚଳିତବର୍ଷ ବୁଣା କାର୍ଯ୍ୟ ସରିଛି । କିନ୍ତୁ ବେଉଷଣ ଓ ରୁଆ କାର୍ଯ୍ୟ ବାକି ଥିବା କହିଛନ୍ତି । ସେହିପରି ଜିଲ୍ଲାରେ 10ଟି ବ୍ଲକ ମଧ୍ୟରୁ ବେଗୁନିଆ ଓ ବୋଲଗଡ଼ରେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା କହିଛନ୍ତି କୃଷି ଅଧିକାରୀ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ