ଖୋର୍ଦ୍ଧା: ଯୌତୁକ ଟଙ୍କା ନମିଳିବାରୁ ନବବଧୁକୁ ମାରିଦେଲେ ଶ୍ବଶୁରଘର ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ବେଗୁନିଆ ଥାନା ଅର୍ନ୍ତଗତ ବାଦବାରବାଟୀ ଗ୍ରାମରେ । ଯୌତୁକ ଟଙ୍କା ବାକିଥିବାରୁ ଝିଅକୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ କଣାସ ବ୍ଲକ ସିରିଆପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ଝିଅ ଶୁଭଲକ୍ଷ୍ମୀ ପାଟ୍ଟଶାଣୀ ଗତ ୨୦୨୧ ମସିହା ଜୁଲାଇ ମାସରେ ବାଦବାରବାଟୀ ଗ୍ରାମର ସନ୍ତୋଷ ଛୁଆରସିଂହଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଏହି ବିବାହରେ ଯୌତୁକ ବାବଦକୁ ଦେଢ ଲକ୍ଷ ଟଙ୍କା ଏବଂ ଆସବାବପତ୍ର ବାବଦଙ୍କୁ ସାଢେ ତିନି ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା । ତେବେ ପରିବାର ଲୋକେ ବିବାହ ବେଳେ ନଗଦ ୨ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଗତ ସାବିତ୍ରୀ ଓ ରଜ ସମୟରେ ଭାର ସହ ୧ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ ।
ଏହାପରେ ବାକି ୭୦ ହଜାର ଟଙ୍କା ପାଇଁ ବାରମ୍ବାର ସନ୍ତୋଷଙ୍କ ପରିବାର ଦାବି କରୁଥିଲେ । ଏନେଇ ଶୁଭଲକ୍ଷ୍ମୀଙ୍କୁ ସବୁବେଳେ ମାରପିଟ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ଶୁଭଲକ୍ଷ୍ମୀଙ୍କ ବାପଘର । ପୂର୍ବରୁ ମଧ୍ୟ ଯୌତୁକ ଟଙ୍କା ପାଇଁ ଝିଅ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଶୁଭଲକ୍ଷ୍ମୀଙ୍କ ସ୍ବାମୀ ମଦପିଇ ମାରଧର କରିବା ସହିତ ଶାଶୁ ଶ୍ବଶୁର ମଧ୍ୟ ଅତ୍ୟାଚାର କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶୁଭଲକ୍ଷ୍ମୀଙ୍କ ପିତା ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ।
ଏନେଇ ବେଗୁନିଆ ଥାନାରେ ଅଭିଯୋଗ ପରେ ସାଇଣ୍ଟିଫିକ ଟିମ ସହ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବେଗୁନିଆ ପୋଲିସ ।
ଇଟିଭି ଭାରତ, ଖୋର୍ଦ୍ଧା