ଭୁବନେଶ୍ବର: ବିଜେପି ଛାଡି ବିଜେଡି ଫେରିଲେ ରଞ୍ଜନ ପଲାଇ । ଗଞ୍ଜାମ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଗତ ନିର୍ବାଚନରେ ବିଜେପି ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ବିଜେପିର କାଉନସିଲ ସଦସ୍ୟ ରଞ୍ଜନ ପଲେଇ । ରଞ୍ଜନଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ଓ କର୍ମୀ ଆଜି ବିଜେଡିରେ ମିଶିଛନ୍ତି । ଶଙ୍ଖ ଭବନରେ ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଉପସ୍ଥିତ ରହି ରଞ୍ଜନ ଓ ସମସ୍ତ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କୁ ଦଳକୁ ସ୍ବାଗତ କରିଛନ୍ତି ।
ଏହାବି ପଢନ୍ତୁ- ସୌମ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବିଜେଡି ପାଇଁ ଅଡୁଆ ବଢାଇବ: ପଞ୍ଚାନନ
ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, "ରଞ୍ଜନ ଆଜି ଘରକୁ ଫେରିଛନ୍ତି । ସେ ବୁଝିଲେ ଯେ ନବୀନ ପଟ୍ଟନାୟକ ହିଁ ରାଜ୍ୟ ଓ ଗଞ୍ଜାମର ବିକାଶ କରି ପାରିବେ । ରଞ୍ଜନଙ୍କୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଦଳକୁ ଫେରାଇ ଆଣିଛନ୍ତି । ବିଜେଡି ଏକମାତ୍ର ଦଳ ଯିଏ ଓଡ଼ିଶା ପାଇଁ କାମ କରିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ମୋ ପରିବାର । ସେହିପରି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ କହିଛନ୍ତି ଯେ ରଞ୍ଜନ ବିଜେପିର କାର୍ଯ୍ୟକାରିଣୀ ସଦସ୍ୟ ଥିଲେ । ଆଜି ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଆକୃଷ୍ଟ ହୋଇ ସେ ଦଳକୁ ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସ୍ବାଗତ ଓ ଧନ୍ୟବାଦ ଜଣାଇଲେ ମାନସ । ସେହିପରି ବିଧାୟିକା ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜନଙ୍କ ଘର ବାହୁଡା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ପୁଣି ଘରକୁ ଫେରିଛନ୍ତି । ଆମେ ମିଳିମିଶି କାମ କରିବୁ ।"
ରଞ୍ଜନ ପଲାଇ କହିଛନ୍ତି, "ବିଜୁ ଜନତା ଦଳରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ବ୍ୟବହାର ଏବଂ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ୨୦୧୭ରେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲି । କିନ୍ତୁ ରାଜ୍ୟର ସ୍ବାର୍ଥ ପାଇଁ ଲଢେଇ କରିବା ପରିବର୍ତ୍ତେ ଓଡିଶା ବିଜେପି ନେତାମାନେ ନିଜ ନିଜ ସ୍ବାର୍ଥ ପାଇଁ ପରସ୍ପର ଭିତରେ ଲଢେଇ ଜାରି ରଖିଥିବା ଅନୁଭବ କରି ଦଳରୁ ଇସ୍ତଫା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଛି । ମୋ ସହ କବିସୂର୍ଯ୍ୟନଗର ଏବଂ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଆଜି ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ଗ୍ରହଣ କରିଥିବାରୁ ରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।"
ମୁଖ୍ୟମନ୍ତ୍ରୀ ବିଶାଳ ହୃଦୟ ରଖି ସେ ମୋତେ ପୁନର୍ବାର ଗ୍ରହଣ କରିଛନ୍ତି । ବିଜେଡି ନୀତି ଆଦର୍ଶ ଓ ଓଡ଼ିଶା ଉନ୍ନତିରେ ମୋର ସହଯୋଗ ରହିବ । ଆଶୀର୍ବାଦ ଓ ସହଯୋଗ ପାଇଁ ଦଳର ସମସ୍ତଙ୍କୁ ଧନ୍ୟବାଦ । ବିନା ଦ୍ଵିଧାରେ ବିଧାୟକ ଲତିକା ପ୍ରଧାନ ମତେ ବିଜେଡି ଆଣିଛନ୍ତି । ମୁଁ ଓ ବିକ୍ରମ ପଣ୍ଡା ଛାତ୍ର ରାଜନୀତିରୁ କାମ କରିଛୁ । ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା ଆଉ କୌଣସି ଦଳରେ ନାହିଁ । ଏଠି ଲୋକଙ୍କ ପାଖକୁ ଯାଇ ସହଯୋଗ କରି କାମ କରିବାରେ ସୁଯୋଗ ଅଛି । ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ପ୍ରତିବାଦ ରାଜ୍ୟ ସାରା ଦେଖା ଦେଇଥିଲା । କିଛି ଦିନ ତଳେ 5ଟି ସଚିବଙ୍କ ଗସ୍ତ ସମୟରେ ପ୍ରଦୀପ ପାଣିଗ୍ରାହୀଙ୍କ ଗୁଣ୍ଡଗିରି ଦେଖିଥିଲୁ । ପୋଲିସକୁ ଫିନିସ କରି ଦେବାକୁ ସେ କହିଥିଲେ । ବିଜେପିରେ ସାମିଲ ହେବାକୁ ପ୍ରଦୀପ ପ୍ରସ୍ତୁତ ଅଛନ୍ତି । ବିଜେପି ଦାଗି ନେତାଙ୍କୁ କେମିତି ଗ୍ରହଣ କରୁଛି । ତେଣୁ ମୁଁ ବିଜେପି ଛାଡ଼ିଲି ।
ସେହିପରି କବିସୂର୍ଯ୍ୟନଗର କଂଗ୍ରେସ ନେତା ତଥା ବରିଷ୍ଠ ସାମ୍ବାଦିକ ବାଳକୃଷ୍ଣ ପଟ୍ଟନାୟକ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି । ତାଙ୍କୁ ଦଳକୁ ସ୍ବାଗତ କରାଯାଇଛି । ଏହି ମିଶ୍ରଣ ପର୍ବରେ ବିଜେପି ଛାଡ଼ି ବିଜେଡିରେ ମିଶିଥିବା କର୍ମକର୍ତ୍ତାମାନେ ହେଲେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଭ୍ୟ ବାଞ୍ଛାନିଧି ରାଉତ, ମଣ୍ଡଳ ସଭାପତି ଅଶୋକ ସାହୁ, ଅଶୋକ ପ୍ରଧାନ, ମୀନକେତନ ପାଣିଗ୍ରାହୀ, ସୁଦର୍ଶନ ସାହୁ, ବିଜେପି ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ସାହୁ, ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା ପ୍ରହ୍ଲାଦ ସାହୁ, ସନ୍ତୋଷ ମିଶ୍ର, ବିଭୁନନ୍ଦନ ମହାପାତ୍ର, ବଳରାମ ପ୍ରଧାନ, ପ୍ରହ୍ଲାଦ ଜେନା, ବନମାଳୀ ସ୍ବାଇଁ, ନରୋତ୍ତମ ସାହୁ, ଅକ୍ଷୟ କୁମାର କର, ବିଜେପି ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ମିଟୁ ସ୍ବାଇଁ, ବିମଳ କୁମାର ସ୍ବାଇଁ, ବନବୀର ସ୍ବାଇଁ, ବିଜେପି ମହିଳା ମୋର୍ଚ୍ଚା ମଣ୍ଡଳ ସଭାପତି ଇ.ଲଳିତା ପାତ୍ର, ବୃନ୍ଦାବନ କହଣ, ସନ୍ତୋଷ କୁମାର ନାୟକ, ପ୍ରକାଶ ଦୋରା, ଲକ୍ଷ୍ମୀପ୍ରିୟା ସ୍ବାଇଁ, ବସନ୍ତ ବେହେରା, ସୀମାଞ୍ଚଳ ବେହେରା, ସଂଗୀତା କର, ଇ.କ୍ରିଷ୍ଣାମୂର୍ତ୍ତୀ ପାତ୍ର ଓ ସାଜିଦ ପଲେଇ ସହ ଶତାଧିକ ବିଜେପି କର୍ମକର୍ତ୍ତା ପ୍ରମୁଖ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ମୁଖପାତ୍ର ଡ.ପ୍ରିୟବ୍ରତ ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ମୁଖପାତ୍ର ତୁମ୍ବନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର