ଭୁବନେଶ୍ବର: ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ଉପରେ ଲାଗିଲା କଟକଣା । ଏଣିକି ଆଉ ସ୍ୱାସ୍ଥ୍ୟକର୍ମୀ କରିପାରିବେ ନାହିଁ ଆନ୍ଦୋଳନ । ନର୍ସ ଓ ଫାର୍ମାସିଷ୍ଟଙ୍କ ଆନ୍ଦୋଳନ ଉପରେ ଲାଗିଲା ରୋକ । ସ୍ୱାସ୍ଥ୍ୟ ବିଭାଗର ଅନ୍ୟ କର୍ମଚାରୀଙ୍କ ଉପରେ ମଧ୍ୟ ଏହି କଟକଣା ଲାଗୁ କରାଯାଇଛି । ସେମାନଙ୍କ କାମ ଛାଡ ଆନ୍ଦୋଳନକୁ ବାରଣ କରାଯାଇିଛି । ଆସନ୍ତା 6 ମାସ ଯାଏ ଆନ୍ଦୋଳନ ଉପରେ ରୋକ ଲଗାଇଛନ୍ତି ପ୍ରଶାସନ । ଜରୁରୀ ସେବା ଆଇନ (Essential Services Maintenance Act (ESMA) 1988 ଆଧାରରେ ଏହି କଟକଣା ଲଗାଯାଇଛି ।
ତେବେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଧର୍ମଘଟ କରିପାରିବେ ନାହିଁ । 6 ମାସ ପର୍ଯ୍ୟନ୍ତ ଧର୍ମଘଟ କିମ୍ବା ଧାରଣା ଦେଇପାରିବେ ନାହିଁ । ଏ ନେଇ ଗୃହ ବିଭାଗ ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ ଏସମା ଲାଗୁ ହୋଇଛି । ଏସମା ଆଇନ 1988କୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶନାମା ଲାଗୁ ଜାରି ହୋଇଛି । ନିର୍ଦ୍ଦେଶନାମା ଅନୁଯାୟୀ ଏଣିକି ସ୍ୱାସ୍ଥ୍ୟ ବିଭାଗର ସେବିକା, ଫାର୍ମାସିଷ୍ଟ, ଅନ୍ୟାନ୍ୟ ବୈଷୟିକ କର୍ମଚାରୀ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀ ଧର୍ମଘଟ କିମ୍ବା ଧାରଣା ଦେଇପାରିବେ ନାହିଁ ।
ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡ, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଠିକା କର୍ମଚାରୀ ଅଥବା ପରିଚଳନାରେ ନିୟୋଜିତ କର୍ମଚାରୀ ମଧ୍ୟ ଧାରଣା ଦେଇପାରିବେ ନାହିଁ । ଏହାଛଡା ବିଭିନ୍ନ ମେଡ଼ିକାଲ କଲେଜ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, କାରାଗାର ଓ ପୋଲିସ ଚିକିତ୍ସାଳୟ ଆଦି ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଏହି ନିୟମ କଡାକଡି ପାଳନ କରାଯିବ । କର୍ମଚାରୀମାନେ ବିନା ଅନୁମତିରେ ଛୁଟିରେ ମଧ୍ୟ ରହିପାରିବେ ନାହିଁ ।
ବିଭିନ୍ନ ଦାବି ନେଇ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ କର୍ମଚାରୀ ଆନ୍ଦୋଳନ କରୁଛନ୍ତି । ଗ୍ରାମାଞ୍ଚଳରୁ ସହରାଞ୍ଚଳ, ଗୋଷ୍ଠିରୁ ରାଜ୍ୟସ୍ତରୀୟ ଆନ୍ଦୋଳନ ଡାକରା ଦେଉଛନ୍ତି ସ୍ୱାସ୍ଥ୍ୟ କର୍ମୀ । ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହେଉଛି । ରୋଗୀ ଓ ସମ୍ପର୍କୀୟ ସମସ୍ୟାରେ ପଡ଼ୁଛନ୍ତି । ବାଧ୍ୟ ହୋଇ ଘରୋଇ ହସ୍ପିଟାଲ ଯାଉଛନ୍ତି । ସେଠାରେ ସେମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ ଆସୁଛି । ଏମିତି କି କିଛି କର୍ମଚାରୀ ବିନା ଅନୁମତିରେ ଛୁଟିରେ ରହିଯାଉଛନ୍ତି ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ମୌସୁମୀ ମଧ୍ୟ ଆଗାମୀ ଦିନରେ ଆସିବ । ଏହି ସମୟରେ ବିଭିନ୍ନ ପ୍ରକାର ଥଣ୍ଡା, ଜ୍ଵର ଅନ୍ୟାନ୍ୟ ରୋଗ ବଢିବାର ନଜର ରହିଛି । ତେଣୁ ଏହାକୁ ମୁକାବିଲା କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି । ସେହିପରି କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ଯଦି ଏହି ସମୟରେ ସ୍ୱାସ୍ଥ୍ୟ କର୍ମଚାରୀ ଆନ୍ଦୋଳନ କରନ୍ତି । ତେବେ ଅକଳରେ ପଡିବେ ସରକାର । ଏହାକୁ ପ୍ରତିହତ କରିବା ଲାଗି ସରକାର ଏହି କଡା ପଦକ୍ଷେପ ନେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର