ଭୁବନେଶ୍ବର: ନକଲି ସରକାରୀ ୱେବସାଇଟର ଠକ ସର୍ଦ୍ଦାର ଗିରଫ । ବିହାରର ମହାରାଜଗଞ୍ଜରୁ ଠକକୁ ଗିରଫ କରିଛି ଇଓଡବ୍ଲ୍ୟୁ ଟିମ୍ । ଚାକିରି ଆଶାୟୀଙ୍କୁ ଠକିଥିବା ଠକ EOW ଇଞ୍ଜିନିୟର ଅମିତ କୁମାର ସିଂ ଫେକ୍ ୱେବସାଇଟ 'ଗ୍ରାମୀଣ କଲ୍ୟାଣ ରୋଜଗାର ସଂସ୍ଥାନ'ର ଥିଲା ଡେଭଲପର । ଯିଏକି ଏହି ଠକେଇର ମାଷ୍ଟରମାଇଣ୍ଡ ତଥା ଠକାମିର ଅପରେଟର । ଅବିକଳ ସରକାରୀ ୱେବସାଇଟ ପରି ଏହି ଫେକ୍ ୱେବସାଇଟକୁ ଡିଜାଇନ କରିଥିଲା । ଯାହାକୁ ଯେ କେହି ବି ଦେଖି ସରକାରୀ ୱେବସାଇଟ୍ ବୋଲି ଭାବୁଥିଲେ ।
ଏହି ଫେକ ୱେବସାଇଟରେ ସରକାରୀ ତଥ୍ୟ ଭିତ୍ତିକ ଢାଞ୍ଚାରେ ନିଯୁକ୍ତିର ନୋଟିଫିକେସନ ଦିଆଯାଉଥିଲା । ସମୟ ସମୟ ଧରି ଏହାକୁ ସରକାରୀ ୱେବସାଇଟ ପରି ଅପଡେଟ କରାଯାଉଥିଲା । ଏପରି ଡିଜାଇନ ଦେଖି ପାଇଁ ଅନେକ ଆଶାୟୀ ଚାକିରି ଆଶାରେ ଆବେଦନ ପାଇଁ ଆଗ୍ରହୀ ହେଉଥିଲେ । ଏହାର ଫାଇଦା ନେଇ ଠକ ଆଇଟି ଇଞ୍ଜିନିୟର ରେଜିଷ୍ଟ୍ରେସନ ଓ ପରୀକ୍ଷା ତାରିଖ ଘୋଷଣା ସହ ନିଯୁକ୍ତି ନେଇ ନୋଟିଫିକେସନ ମାଧ୍ୟମରେ ଆଲର୍ଟ ଦେଇ ଆଶାୟୀଙ୍କୁ ଠକୁଥିଲେ । ଏହି ୱେବସାଇଟକୁ ଫେସବୁକ ଓ ସୋସିଆଲ ମିଡିଆରେ ଭାଇରାଲ କରି ଆଶାୟୀଙ୍କ ପାଖରେ ବହୁତ ମାତ୍ରାରେ ପହଞ୍ଚାଉଥିଲେ । ଯେ କେହି ବି ଏହି ୱେବସାଇଟକୁ ଦେଖି ସରକାରୀ ୱେବସାଇଟ ଭାବି ବିନା ସନ୍ଦେହରେ ନିଜର ଆବେଦନ ଫର୍ମ ପୂରଣ ଓ ରେଜିଷ୍ଟ୍ରେସନ ଆଦି କରୁଥିଲେ । ଏହିପରି ଢଙ୍ଗରେ ସାରା ଦେଶରୁ ନିରିହ ଆଶାୟୀମାନଙ୍କଠାରୁ କୋଟିକୋଟି ଟଙ୍କା ଠକେଇ କରୁଥିଲେ ।
ତେବେ ବିହାରରୁ ଅଭିଯୁକ୍ତ ଅମିତ କୁମାର ସିଂକୁ ଗିରଫ କରି ଟ୍ରାନ୍ଜିଟ ରିମାଣ୍ଡରେ ଆଣି ଶୁକ୍ରବାର ଭୁବନେଶ୍ବର କୋର୍ଟକୁ ଚାଲାଣ କରାଯାଇଛି । ଗିରଫ ସମୟରେ ଅଭିଯୁକ୍ତଠାରୁ ଏକ ଲାପଟପ୍ ମଧ୍ୟ ଜବତ କରାଯାଇଛି । ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ୱେବସାଇଟ୍ର ଡୋମେନ ଓ ସ୍ପେସ କିଣାକୁ ନେଇ ଅନେକ ତଥ୍ୟ ପାଇଛି EOW ଟିମ୍ । ସବୁଠୁ ଚର୍ଚ୍ଚିତ ୱେବସାଇଟ ବିକ୍ରି କରୁଥିବା ସଂସ୍ଥା 'ଗୋ ଡାଡି'ରୁ ୱେବସାଇଟର ଡୋମେନ କିଣାଯାଇଥିବା ଜାଣିବାକୁ ପାଇଛି EOW ଟିମ୍ । ଏହି ଦିଗରେ ମଧ୍ୟ ତଦନ୍ତ କରାଯାଉଛି । ତେବେ ଏହି ମାମଲାରେ ପୂର୍ବରୁ ଦୁଇ ଅଭିଯୁକ୍ତ ଧରମପାଲ ସିଂ ଓ ଜୟରାମ ତିୱାରୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହି ଠକେଇ ପଛର କିଛି ବଡ଼ ଲିଙ୍କ ରହିଥିବା ସନ୍ଦେହ କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର