ଖୋର୍ଦ୍ଧା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ଖୋର୍ଦ୍ଧା ଜିଲ୍ଲାପାଳ । ଜିଲ୍ଳାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଏସପି ସିଦ୍ଧାର୍ଥ କଟ୍ଟାରିଆ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଳୟ ପରିସରରେ ଥିବା ଉଠାଦୋକାନୀ ଗୁଡିକୁ ହଟାଇବାକୁ ନିର୍ଦେଶ ଦେଇଛନ୍ତି ।
ତେବେ ସୂଚନା ଅନୁଯାୟୀ, ରାଜ୍ୟର ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ ଓ ଅସାମାଜିକ ତତ୍ତ୍ୱଙ୍କୁ ଠାରୁ ମୁ୍କ୍ତ କରିବା ଓ ଏଥିରେ କାମ କରୁଥିବା କର୍ମଚାରୀଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁସାରେ ଦଶହରା ପରେ ଚିକିତ୍ସାଳୟ ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରିବା ଓ ଚିକିତ୍ସାଳୟକୁ ଜବରଦଖଲ ମୁକ୍ତ କରିବା କାମ ଆରମ୍ଭ ହେବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ । ଏହି କ୍ରମରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସାଳୟ ମଧ୍ୟରେ ଥିବା ୩୦ରୁ ଉର୍ଦ୍ଧ୍ବ ବେଆଇନ ଉଠାଦୋକାନ ସହ ନୂତନ ଭାବେ ସ୍ଥାପନ ହେଉଥିବା ଉଠାଦୋକାନ ଗୁଡ଼ିକୁ ଦେଖି ଅସନ୍ତୋଷ ପ୍ରକଟ କରିଥିଲେ ।
ସେହିଭଳି ସୁରକ୍ଷା ପାଇଁ ନିର୍ମାଣ କରାଯାଇଥିବା ପାଚେରୀରେ ପାହଚକୁ ଦେଖି ତୁରନ୍ତ ଭାଙ୍ଗିବା ଓ ଉଠା ଦୋକାନଗୁଡ଼ିକୁ ହଟାଇବାକୁ ଉପସ୍ଥିତ ତହସିଲଦାର ଇପସିତ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ଆହର କେନ୍ଦ୍ରରେ ଦୈନିକ ଖାଦ୍ୟ ସଂଖ୍ୟା ୩ଶହକୁ ବୃଦ୍ଧି କରିବା ଓ ଚିକିତ୍ସାଳୟରୁ ରୋଗୀଙ୍କୁ ନେବା ଆଣିବା କରୁଥିବା ଘରୋଇ ଆମ୍ବୁଲାନ୍ସଗୁଡ଼ିକ ଓ ଅଟୋଗୁଡ଼ିକର ତଥ୍ୟ ଯାଞ୍ଚ କରି ରିପୋର୍ଟ ଦେବାକୁ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ଆମ୍ବୁଲାନ୍ସ ଓ ଅଟୋଗୁଡ଼ିକର ଭଡ଼ା ବାବଦକୁ ଦର ତାଲିକା ସର୍ବସାଧାରଣଙ୍କ ଗୋଚରାର୍ଥେ ଟାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଇଟିଭି ଭାରତ, ଖୋର୍ଦ୍ଧା