ଭୁବନେଶ୍ବର: ରାଜଧାନୀ ସ୍ଥିତ ସାହାରା ଇଣ୍ଡିଆ ବିରୋଧରେ ସାଙ୍ଘାତିକ ଅଭିଯୋଗ । ୨୨ବର୍ଷ ସରକାରରେ ୨୦ବର୍ଷ ଲୁଟିଛି ସାହାର ଇଣ୍ଡିଆ । ଫଳରେ ଫାଇଲ ତଳେ ଚାପି ହୋଇଛି ସାହାର ଜମାକାରୀଙ୍କ ଭାଗ୍ୟ । ଏଭଳି ଅଭିଯୋଗ ଆଣି କ୍ଷୋଭ ପ୍ରକାଶ କରିଛନ୍ତି ଜମାକାରୀ । ଭୁବନେଶ୍ୱର ସ୍ଥିତ ସାହାରା ଇଣ୍ଡିଆର ରିଜିନାଲ ହେଡ ଅଫିସ ଘେରାଉ କରିଛନ୍ତି ଜମାକାରୀ ।
ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜାଣତରେ ହୋଇଛନ୍ତି ଲୁଟର ଶିକାର । ଝିଅ ବାହାଘର ପାଇଁ ଜମା ରଖିଥିବା ଟଙ୍କା ଫେରସ୍ତ ନପାଇ ଝିଅ ବାଡ଼ୁଅ ରହୁଛନ୍ତି । ପିଲାଙ୍କ ପାଠ ପଢା ପାଇଁ ଜମା ଟଙ୍କା ଫେରସ୍ତ ନପାଇ ପାଠୁଆ ପିଲା ବେକାର ହେଉଛନ୍ତି । ବୟସ୍କ ଜମାକାରୀ ନିଜ ଜୀବନର ପରିଶ୍ରମର ପୁଞ୍ଜି ଖଟାଇ ଫେରି ନପାଇ ହନ୍ତସନ୍ତ ହେଉଛନ୍ତି ବୃଦ୍ଧ ଜମାକାରୀ । ଯାହାକୁ ନେଇ ମ୍ୟାଚୁରିଟି ପରେ ଆଉ ଟଙ୍କା ଫେରସ୍ତ ନପାଇ ଜମାକାରୀଙ୍କ ମଧ୍ୟରେ ତେଜିଛି ସାହାରା ଇଣ୍ଡିଆ ବିରୋଧରେ କ୍ଷୋଭ । ଏନେଇ ଆଜି ୟୁନାଇଟେଡ଼ ଅଲ ଇଣ୍ଡିଆ ସଂଗ୍ରାମ ନ୍ୟାୟ ମୋର୍ଚ୍ଚାର ନେତୃତ୍ବରେ ଶହ ଶହ ଜମାକାରୀ ଏକତ୍ରିତ ହୋଇ କ୍ଷୋଭ ପ୍ରକାଶ କରିବା ସହ ସାହାରା ଇଣ୍ଡିଆର ରିଜିନାଲ ହେଡ ଅଫିସ ଘେରାଉ କରିଥିଲେ ।
ଏପରିକି କିପରି ଜମାକାରୀଙ୍କ ଟଙ୍କାରେ ଅଫିସ ଚଳାଉଛନ୍ତି । ଏବେବି କିଛି ସାହାରା ଅଫିସରେ ରସିଦ ଦେଇ ଜମାକାରିଙ୍କଠୁ ଟଙ୍କା ସଂଗ୍ରହ କରାଯାଉଛି । ଏନେଇ ଅଫିସକୁ ଗଲେ ମ୍ୟାଚୁରିଟି ଟଙ୍କା ମାଗିଲେ କିଛି କହିବାକୁ ନାରାଜ କି ଏନେଇ କେହି ସନ୍ତୋଷ ଜନକ ଉତ୍ତର ମଧ୍ୟ ଦେଉନାହାନ୍ତି । ସଂଘର ସଭାପତି ଉତ୍ତର କୁମାର ପରିଡା କହିଛନ୍ତି, ବିଗତ ୨୦ବର୍ଷରେ ଅର୍ଥାତ୍ ୨୦୦୨ରୁ ୨୦୨୨ପର୍ଯନ୍ତ ରାଜ୍ୟରେ ଲୁଟି ଚାଲିଛି ସାହାରା ଇଣ୍ଡିଆ । ଏହା ଏକ ଧର୍ତ୍ତବ୍ୟ ଅପରାଧ । ଏନେଇ ନା ରାଜ୍ୟ ସରକାର, ବ୍ୟୁରୋକ୍ରାଟସ, ପ୍ରଶାସନ ଓ ପୋଲିସ ମଧ୍ୟ ହସ୍ତକ୍ଷେପ କରୁନାହାନ୍ତି ।
କେନ୍ଦ୍ର କୃଷି ମନ୍ତ୍ରଣାଳୟରୁ ଅନୁମତି ନେଇଥିବା ସାହାରା ଇଣ୍ଡିଆ ମଲ୍ଟି ଷ୍ଟେଟ କୋପରେଟିଭ ସୋସାଇଟ ରୁଲ ଅନୁସାରେ ରାଜ୍ୟ ସରକାରଙ୍କ ଠାରୁ ଏନଓସି ନେବା କଥା ଅଥଚ ବିନା ଏନ୍ଓସିରେ ଓଡ଼ିଶା ଜମାକାରୀଙ୍କ ଠାରୁ ଜମା ଟଙ୍କା ନେଇ ଧରାଛୁଆ ଦେଉନାହିଁ କମ୍ପାନୀ । ଏନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ମାନୁନାହାନ୍ତି ସରକାର, ଏପରିକି ହାଇକୋର୍ଟର ନିର୍ଦ୍ଦେଶ ସତ୍ତ୍ବେ ଆରେଷ୍ଟ ଓ୍ବାରେଣ୍ଟ ଇସ୍ୟୁ ହୋଇଥିଲେ ବି କାହିଁକି ସୁବ୍ରତ ରାୟଙ୍କୁ ଗିରଫ କରୁନାହିଁ ପୋଲିସ ସେନେଇ ପ୍ରଶ୍ନ କରିଛି ସଂଘ ।
ଏପରିକି ଏନେଇ ରାଷ୍ଟ୍ରପତିଙ୍କ ଦ୍ବାରସ୍ଥ ହେବା ସତ୍ତ୍ବେ ମଧ୍ୟ କିଭଳି ଜମାକାରୀଙ୍କ ସ୍ଵାର୍ଥକୁ ଧ୍ୟାନ ଦିଆଯାଉନାହିଁ ବୋଲି କୁହାଯାଇଛି । କୋଟି କୋଟି ଲୋକ ଜମା କରି ଏବେ ଅନ୍ଧାରରେ ରହିଛନ୍ତି । ତେବେ ଜମାକାରୀ ଜମା ଟଙ୍କା ଫେରି ପାଇବେ କି ନାହିଁ ସେନେଇ ସନ୍ଦେହ ସୃଷ୍ଟି ହୋଇଛ । କେବଳ ଜମାକାରୀଙ୍କ ନିଜ ଟଙ୍କାକୁ ସୁଧ ସହ ଫେରାଇବାକୁ ଦାବି ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି ଜମାକାରୀ । ଏଥିସହ ଏହି ପ୍ରସଙ୍ଗ ବିଧାନସଭାରେ ଉଠାନ୍ତୁ ବୋଲି ଦାବି ହୋଇଛି ।
ଇଟିଭି ଭାରତ, ଭୁବନେଶ୍ବର