ଖୋର୍ଦ୍ଧା: ବାଲୁଗାଁ ବିଜ୍ଞାପିତ ପରିଷଦରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀମାନେ ସେମାନଙ୍କ ପ୍ରାପ୍ୟ ଦାବି କରିବାରୁ ପରିଷଦର ଜନୈକ କର୍ମଚାରୀ ଠିକାସଂସ୍ଥା ଉପରେ ଚାପ ପକାଇ ସଫେଇ କର୍ମଚାରୀଙ୍କ କାର୍ଯ୍ୟରୁ ଛଟେଇ କରିଥିବା ଅଭିଯୋଗ ହୋଇଛି ତେଣୁ ସେମାନଙ୍କୁ ପୁନଃ ନିଯୁକ୍ତ ଦାବିରେ ଆଜି ସଫେଇ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଅଭିଯୋଗ ଅନୁସାରେ, ବାଲୁଗାଁ ବିଜ୍ଞପିତ ପରିଷଦର ୩୦ଜଣ ଚୁକ୍ତିଭିତ୍ତିକ ଠିକା କର୍ମଚାରୀମାନେ ଦୀର୍ଘ ଦିନରୁ ସଫେଇ କର୍ମଚାରୀଭାବେ କାର୍ଯ୍ୟ କରୁଛନ୍ତି ।
ଠିକା ସଂସ୍ଥା କର୍ମଚାରୀଙ୍କୁ ଦି-ଓଳି କାର୍ଯ୍ୟ କରାଉଥିଲେ । ମାସକୁ ୩୦ ଦିନ କାର୍ଯ୍ୟ କରୁଥିବାବେଳେ ୨୬ ଦିନର ପ୍ରାପ୍ୟ କର୍ମଚାରୀଙ୍କୁ ଦେଉଥିଲେ ତାହା ପୁଣି ଦୈନିକ ୩ଶହ ଟଙ୍କା ମଜୁରୀ ଜାଗାରେ ୨ଶହ ଟଙ୍କା ପ୍ରଦାନ କରାଯାଉଥିଲା। ତେଣୁ, ସେମାନଙ୍କୁ ତାଙ୍କ ପ୍ରାପ୍ୟ ଠିକଭାବେ ପ୍ରଦାନ କରିବା ପାଇଁ ୭ଦଫା ସମ୍ବଳିତ ଏକ ଦାବିପତ୍ର ଗତ ଏପ୍ରିଲ ୭ ତାରିଖରେ କର୍ମଚାରୀମାନେ ଜିଲ୍ଲାପାଳଙ୍କୁ ଦେଇଥିଲେ । ଜିଲ୍ଲାପାଳଙ୍କୁ ଏସମ୍ପର୍କରେ କାହିଁକି ଅଭିଯୋଗ କଲ ବୋଲି ବିଜ୍ଞାପିତ ପରିଷଦର କର୍ମଚାରୀ ଅନୁପ ପଟ୍ଟନାୟକ ପ୍ରଶ୍ନ ପଚାରିଥିଲେ । ଏଥିସହିତ ସେମାନଙ୍କୁ ଜାତିଆଣ ଅକ୍ଷେପ କରି ବିଭିନ୍ନ ଅଶ୍ଳୀଳ ଭାଷାରେ ଗଳିମନ୍ଦ କରିବା ସହ ଚାକିରୀରୁ ଛଟେଇ କରିବାକୁ ଧମକ ଦେଇଥିଲେ ବୋଲି ବଲୁଗାଁ ସଫେଇ କର୍ମଚାରୀ ସଂଘର ସଭାପତି ସାବିତ୍ରୀ ନାଏକ ଅଭିଯୋଗ କରିଛନ୍ତି ।
ତେବେ ସଫେଇ କର୍ମଚାରୀମାନେ ଘଟଣା ସମ୍ପର୍କରେ ବାଲୁଗାଁ ଥାନାରେ ଅନୁପ ପଟ୍ଟନାୟକଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ ଉପରେ ପୋଲିସ ୭୬/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମାତ୍ର, ଏସମସ୍ତ ଘଟଣାକୁ କେନ୍ଦ୍ରକରି ଆକ୍ରୋଶମୂଳକର ଭାବେ ଠିକା ସଂସ୍ଥା ଉପରେ ଚାପ ପକାଇ ସଫେଇ କର୍ମଚାରୀଙ୍କୁ କାର୍ଯ୍ୟରୁ ଛଟେଇ କରାଯାଇଛି ବୋଲି ଶ୍ରୀମତୀ ନାଏକ ଅଭିଯୋଗ କରିଛନ୍ତି । ଯାହାଫଳରେ କର୍ମଚାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ତାଙ୍କ ପରିବାର ଦୁଃଖ କଷ୍ଟରେ ଚଳୁଥିବା ସେମାନେ ଅଭିଯୋଗ କରିଛନ୍ତି ।
ତେଣୁ, ସେମାନଙ୍କୁ କାର୍ଯ୍ୟରେ ପୁନଃ ନିଯୁକ୍ତି ଦାବୀରେ ବୁଧବାର ବାଲୁଗାଁ ବିଜ୍ଞପିତ ପରିଷଦର ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛି । ସଂଘର ଜିଲ୍ଲା ସଭାପତି ମୋହନ ନାଏକଙ୍କ ନେତୃତ୍ବରେ ବାଲୁଗାଁ ବିଜ୍ଞାପିତ ପରିଷଦ ସଂଘ ଅଭିଯୋଗ ଦେଇଛନ୍ତି । ତେବେ, ଘଟଣାର ତଦନ୍ତ କରାଯାଇ ସେମାନଙ୍କ କଥା ଖୁବଶୀଘ୍ର ବୁଝାଯିବ ବୋଲି ଜିଲ୍ଲାପଳ ପ୍ରତିଶୃତି ଦେଇଥିବା ଜିଲ୍ଲା ସଭାପତି ମୋହନ ନାଏକ ସୂଚନା କହିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ