ଖୋର୍ଦ୍ଧା: ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣା । ଘଟଣାସ୍ଥଳରେ 4ଜଣଙ୍କ ଜୀବନ ଯାଇଥିବା ବେଳେ ଗୁରୁତର 4 ଜଣଙ୍କୁ ଭୁବନେଶ୍ୱର ଏମସ ଓ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ତେବେ ସେହି 4ଜଣ ଗୁରୁତରଙ୍କ ମଧ୍ୟରୁ ସୋମବାର ବିଳମ୍ବିତ ରାତିରେ ବାଣ କାରିଗର ଦୋଳ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ମୃତ୍ୟୁ ସଂଖ୍ୟା 5ରେ ପହଞ୍ଚିଥିଲା । ସେହିପରି ଆଜି ଏମ୍ସ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଭୁଷଣ୍ଡପୁର ଗ୍ରାମର ମହେଶ୍ୱର ବେହେରା ବୋଲି ଜଣା ପଡ଼ିଛି । ତେବେ ମହେଶ୍ୱରଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା 6ରେ ପହଞ୍ଚିଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଏବେବି ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି ।
ପ୍ରକାଶ ଥାଉକି, ଦୋଳ ଉତ୍ସବ ଲାଗି ବାଣ ପ୍ରସ୍ତୁତି ଚାଲିଥିବା ବେଳେ ସୋମବାର ଟାଙ୍ଗୀ ଥାନା ଅନ୍ତର୍ଗତ ଭୁଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟିଥିଲା । ଏଥିରେ ଘଟଣାସ୍ଥଳରେ ହିଁ 4 ଜଣଙ୍କ ଜୀବନ ଯାଇଥିଲା । ଏହାଛଡ଼ା 3 ଜଣ ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା । ମାଲିକ ହଟ ବେହେରାଙ୍କ ପାଇଁ ଏମାନେ ବାଣ ପ୍ରସ୍ତୁତ କରୁଥିଲା । ବିସ୍ଫୋରଣ ପରେ ଘରେ ବି ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟପଟେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଓ ଟାଙ୍ଗୀ ଥାନା ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ବି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।
ସେପଟେ ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଥିଲା । ଦୋଳ ମେଳଣ ସମୟରେ ବାଣଫୁଟା ପ୍ରତିଯୋଗିତା ଅନୁଷ୍ଠିତ ହେବାର ଥିଲା । ଏହି କାରଣରୁ ବହୁ ସଂଖ୍ୟାରେ ବାଣ ପ୍ରସ୍ତୁତି ଚାଲିଥିଲା ବୋଲି କୁହାଯାଉଛି । ବାଣ ତିଆରି କଥା ପୋଲିସ ଜାଣିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣାସ୍ଥଳରେ ସମସ୍ତ ମୃତକମାନେ ବାଣ କାରିଗର ବୋଲି ଜଣାପଡିଥିଲା । ମୃତକମାନେ ହେଉଛନ୍ତି ଭୁଷଣ୍ଡପୁର ଅଞ୍ଚଳର ବୃନ୍ଦାବନ ସାହୁ , ନିରଞ୍ଜନ ବେହେରା , ବ୍ରଜ ବେହେରା ଏବଂ ନିରାକାରପୁର ଅଞ୍ଚଳର ସହଦେଵ ବେହେରା, ଦୋଳ ଗୋବିନ୍ଦ ବେହେରା, ମହେଶ୍ୱର ବେହେରା । ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ, ବାଲୁଗାଁ ଏସଡିପିଓ , ଟାଙ୍ଗୀ ଆଇଆଇସି , ବିଡ଼ିଓ, ତହସିଲଦାର ପହଞ୍ଚି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ । ସେପଟେ ବାଣ ପ୍ରସ୍ତୁତି ପାଇଁ ଅନୁମତି ନଥିବା ବେଳେ ବିନା ଅନୁମତିରେ କିପରି ବାଣ ପ୍ରସ୍ତୁତି ଚାଲିଥିଲା ଏବଂ କଞ୍ଚାମାଲ କେଉଁଠାରୁ ଆଣୁଥିଲେ ତାହାର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୋଲିସର ତାହାର ତଦନ୍ତ ଜାରି ରଖିଛି ।
ଇଟିଭି ଭାରତ, ଖୋର୍ଦ୍ଧା