ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ନେଇ ଘାରିଛି ଭୟ । ଏହାରି ଭିତରେ ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ବିଟ କରି କୁହାଯାଇଛି, " ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୭ ତାରିଖ ବେଳକୁ ଏହି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ୮ ତାରିଖ ବେଳକୁ ଏହା ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବାର ସମ୍ଭାବନା ରହିଥିବା ବେଳେ ଆହୁରୀ ଘନିଭୂତ ହେବା ପାଇଁ ପାରିପାଶ୍ବିକ ସ୍ଥିତି ସମ୍ପୁର୍ଣ୍ଣ ଅନୁକୂଳ ରହିଛି ।"
- — Meteorological Centre, Bhubaneswar (@mcbbsr) May 3, 2023 " class="align-text-top noRightClick twitterSection" data="
— Meteorological Centre, Bhubaneswar (@mcbbsr) May 3, 2023
">— Meteorological Centre, Bhubaneswar (@mcbbsr) May 3, 2023
ତେବେ ସୃଷ୍ଟି ହେବାକୁ ଥିବା ଅବପାତ ବାତ୍ୟାରେ ପରିଣତ ହେବ ନାହିଁ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ଏବଂ ତୀବ୍ରତାର ବିବରଣୀ ପ୍ରଦାନ କରାଯିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅବପାତ ପରବର୍ତ୍ତୀ ସମୟରେ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟା ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ବାତ୍ୟାରେ ପରିଣତ ହୁଏ ତାହାହେଲେ ଏହାର ଗତି କେଉଁଆଡେ ରହିବ ସେ ନେଇ ମଧ୍ୟ କୌଣସି ପୂର୍ବାନୁମାନ କରାଯାଇନାହିଁ ।
ଅନ୍ୟ ଏକ ଟ୍ବିଟରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବାବେଳେ ପରବର୍ତ୍ତୀ ସମୟରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଗତ ୨-୩ ଦିନ ଧରି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୮ ଡ଼ିଗ୍ରୀ ଯାଏଁ କମ ଅନୁଭୂତ ହେଉଛି ।"
ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତୁତି ବୈଠକ: ଏହାରି ଭିତରେ ଅପ୍ରତ୍ୟାଶିତ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀ ଆଗୁଆ ବୈଠକ କରି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଗ୍ରୀଷ୍ମ ଋତୁରେ ଯେଉଁ ବାତ୍ୟା ଆସେ, ତାର ଆକଳନ ବହୁତ ଜଟିଳ । ୨୦୧୯ରେ ଫନି ବାତ୍ୟା ମଧ୍ୟ ଏହିପରି ଅଚାନକ ଆସି ବ୍ୟାପକ କ୍ଷୟକ୍ଷତି କରିଥିଲା । ଆମ ପାଇଁ ସବୁ ଜୀବନ ମୂଲ୍ୟବାନ । ତେଣୁ ଏଥିରେ କୌଣସି ବିଳମ୍ବ ନ କରି ଆମକୁ ଆଗୁଆ ପ୍ରସ୍ତୁତ ରହିବାକୁ ପଡିବ । ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସହିତ NDRF, ODRAF ଓ ଅଗ୍ନିଶମ ସେବା ଆଦି ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି ।"
ଅନ୍ୟପଟେ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ କହିଛନ୍ତି, "୧୮ଟି ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇ କଣ୍ଟ୍ରୋଲ ରୁମ ପ୍ରସ୍ତୁତ କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ କାର୍ଯ୍ୟକ୍ଷମ କରାଯାଉଛି । ୧୭ଟି NDRF ଓ ୨୦ଟି ODRAF ଟିମ ପ୍ରସ୍ତୁତ ରଖାଯାଇଛି । ବାତ୍ୟା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ଆଗୁଆ ପଦକ୍ଷେପ ସ୍ବରୂପ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।"
ଇଟିଭି ଭାରତ, ଭୁବନେଶ୍ବର