ଭୁବନେଶ୍ବର: ଆଜି ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ମଧ୍ୟରେ ଥିବା ରେଳପ୍ରକଳ୍ପର ଯାଞ୍ଚ କରାଯିବ । ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ମଧ୍ୟରେ ଥିବା ରେଳପ୍ରକଳ୍ପ ଓ ମହୀପୁର-ନୂଆଗାଁ ମଧ୍ୟରେ ଚାଲୁଥିବା କାର୍ଯ୍ୟର ସମୀକ୍ଷା କରିବା ସହ ଖୋର୍ଦ୍ଧା ରୋଡ଼ ବାଇପାସର ନିର୍ମାଣ କାର୍ଯ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବ । ତେବେ ପରବର୍ତ୍ତୀ ସମୟରେ ଏହି ଲାଇନରେ ଟ୍ରେନ ଚଳାଚଳକୁ ଅନୁମତି ପ୍ରଦାନ କରାଯିବା ନେଇ ସୂଚନା ରହିଛି।
ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳପ୍ରକଳ୍ପ ମହୀପୁର-ନୂଆଗାଁ ମଧ୍ୟରେ ଚାଲୁ ରହିଥିବା କାର୍ଯ୍ୟ ଏବଂ ଖୋର୍ଦ୍ଧା ରୋଡ଼ ବାଇପାସର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କାର୍ଯ୍ୟକ୍ଷମ ପୂର୍ବରୁ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ)ଙ୍କ ଦ୍ବାରା ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ନିରୀକ୍ଷଣ କରାଯିବ। ଏହାର କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ଏହା ସହିତ ଟ୍ରେନ ଯାତାୟାତ ସୁବିଧା ପାଇଁ ଖୋର୍ଦ୍ଧା ରୋଡ଼ ଠାରେ ବାଇପାସ ଲାଇନର ମଧ୍ୟ କାର୍ଯ୍ୟ ଶେଷ ହୋଇଛି। କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ) ଆଜି ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମହୀପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ 13.250 କିଲୋମିଟର ଦୈର୍ଘ୍ୟ ରେଳ ଲାଇନର ସୁରକ୍ଷା କାର୍ଯ୍ୟ ଯାଞ୍ଚ କରିବେ |
ସେହିଭଳି 24 ମାର୍ଚ୍ଚରେ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ବାରା ଖୋର୍ଦ୍ଧା ରୋଡ଼ ଠାରେ ବାଇପାସ ଲାଇନର ସୁରକ୍ଷା କାର୍ଯ୍ୟ ମଧ୍ୟ ଯାଞ୍ଚ କରାଯିବ। ନୂତନ ରେଳ ଲାଇନରେ ଥିବା ସମସ୍ତ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରାଯିବାପରେ ଏହି ଲାଇନରେ ଟ୍ରେନ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଏହି ରେଳ ମାର୍ଗରେ ବିଭିନ୍ନ ଯନ୍ତ୍ରପାତି ଏବଂ ଯାଞ୍ଚ ଟ୍ରେନ ଚଳାଚଳ ପାଇଁ ଆଜି (ବୁଧବାର) 18424 ନୟାଗଡ଼ ଟାଉନ-ଭୁବନେଶ୍ବର ଏକ୍ସପ୍ରେସକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ