ଭୁବନେଶ୍ବର: ବିଶ୍ବକପ୍ ୨୦୨୩ରେ ବିଜୟରେ ହ୍ୟାଟ୍ରିକ୍ ମାରି ସାରିଛି ଟିମ୍ ଇଣ୍ଡିଆ । ଏଥର ଦମଦାର ଫର୍ମରେ ରହିଥିବା ଘରୋଇ ଟିମ୍ ପ୍ରଥମ ମ୍ୟାଚରେ ୫ ଥରର ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ହରାଇବା ପରେ ଆଫଗାନିସ୍ତାନ ଓ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ମଧ୍ୟ ଧୂଳି ଚଟାଇଛି । ଏବେ ପାଳି ବାଂଲାଦେଶର । ବିଶ୍ବକପ୍ରେ ଆଫଗାନିସ୍ତାନ ଓ ନେଦରଲ୍ୟାଣ୍ଡ ଦୁଇ ଦୁଇଟି ବିପର୍ଯ୍ୟୟ ଘଟାଇବା ପରେ ବାଂଲାଦେଶକୁ ମିଳିଛି ପ୍ରେରଣା । ସେପଟେ ୩ଟି କ୍ରମାଗତ ବିଜୟ ରୋହିତ ବାହିନୀର ଗଭୀର ଆତ୍ମବିଶ୍ବାସ ବଢ଼ାଇଛି । ଏବେ ସମସ୍ତଙ୍କ ନଜର ଗୁରୁବାର ମହାରାଷ୍ଟ୍ରର ପୁଣେ କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହାଇପ୍ରୋଫାଇଲ୍ ମ୍ୟାଚ୍ ଉପରେ ।
'ଚାପରେ ଅଛି ବାଂଲାଦେଶ': କ୍ରୀଡ଼ା ସମୀକ୍ଷକ ସମ୍ବିତ ମହାପାତ୍ର କହିଛନ୍ତି, "ଭାରତୀୟ ଦଳ ଗୁଣାତ୍ମକ କ୍ରିକେଟ ଖେଳିବା ଦରକାର । ପୂର୍ବରୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଦଳକୁ ହରାଇଥିବାରୁ ବାଂଲାଦେଶକୁ ହେୟଜ୍ଞାନ କରି ମନମୋଟିଆ ଭାବେ ଖେଳିବା ଦ୍ବାରା ଅସୁବିଧା ହୋଇପାରେ । ବିଜୟଧାରା ବଜାୟ ରଖି ଭାରତ ଯେମିତି ଖେଳି ଆସୁଛି ସେହି ଖେଳ ପ୍ରଦର୍ଶନ କରିବା ଦରକାର । କାରଣ ଲଗାତାର ଭାବେ ଚତୁର୍ଥ ବିଜୟ ହେଲେ ଭାରତ ନକ୍ଆଉଟ୍ରେ ସ୍ଥାନ ଏକ ପ୍ରକାର ପକ୍କା କରିବ । ମିଳିଥିବା ଭଲ ଆରମ୍ଭକୁ ଫାଇନାଲ୍ ମ୍ୟାଚ୍ ପର୍ଯ୍ୟନ୍ତ ବଜାୟ ରଖିବା ଭଳି ଖେଳିବା ଦରକାର । ପୂର୍ବ ମ୍ୟାଚ୍ରେ ଯେଉଁ ଦଳ ଭାରତ ପାଇଁ ପଡିଆକୁ ଓହ୍ଲାଇଥିଲେ ସମାନ ଦଳ ଓହ୍ଲାଇଲେ ଭଲ ହେବ । ପୁଣେ ଏକ ବ୍ୟାଟିଂ ପିଚ୍ । ତେଣୁ ବ୍ୟାଟିଂ ଲାଇନ୍ ଅପ୍ରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ । କେବଳ ବୋଲିଂରେ ଅଶ୍ବିନ ଖେଳିବାର ସମ୍ଭାବନା ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ବାଂଲାଦେଶ ଚାପରେ ଅଛି । ତେଣୁ ଭାରତ ଏହି ମ୍ୟାଚକୁ ମନମୋଟିଆ ଭାବରେ ନଖେଳି ଗୁଣାତ୍ମକ କ୍ରିକେଟ ଖେଳିବା ଦରକାର ।"
ଏହା ମଧ୍ୟ ପଢ଼ନ୍ତୁ...World Cup 2023: ପାକିସ୍ତାନକୁ ମାତ ଦେଇ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ
'ଶ୍ରେଷ୍ଠ ପ୍ରଦର୍ଶନ ଦେବେ ଭାରତୀୟ ବ୍ୟାଟର': ଚଳିତ ବିଶ୍ବକପରେ ଦୁଇ ଦୁଇଟି ବିପର୍ଯ୍ୟୟ ଦେଖିବାକୁ ମିଳିଲାଣି । ପ୍ରଥମେ ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡକୁ ଆଫଗାନିସ୍ତାନ ହରାଇବା ପରେ ଇନ୍-ଫର୍ମ ସାଉଥ୍ ଆଫ୍ରିକାକୁ ହରାଇ ଦ୍ବିତୀୟ ବିପର୍ଯ୍ୟୟ ସୃଷ୍ଟି କରିଛି ନେଦରଲ୍ୟାଣ୍ଡ । ତେଣୁ ଏହା ବାଂଲାଦେଶ ପାଇଁ ଟନିକ୍ ହୋଇପାରେ । କିନ୍ତୁ କ୍ରୀଡା ସାମ୍ବାଦିକ ସୁରେଶ ସ୍ବାଇଁଙ୍କ ମତରେ ସେପରି ସ୍ଥିତି ହେବ ନାହିଁ । ସେ କହିଛନ୍ତି, "ବିରାଟ କୋହଲି, ରୋହିତ ଶର୍ମା, ଶ୍ରେୟସ ଆୟରଙ୍କ ଭଳି ଖେଳାଳି ଫର୍ମରେ ଅଛନ୍ତି । ସେମାନେ ସେମାନଙ୍କର ବେଷ୍ଟ୍ ଦେବେ । ବାଂଲେଦେଶର ଘାତକ ସ୍ପିନ୍ ଆଟାକକୁ ଭାରତୀୟ ବ୍ୟାଟରମାନେ ଭଲ ଭାବେ ସାମ୍ନା କରିପାରିବେ ।" ତେଣୁ ସେପରି ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ବାଇଁ ।
ବିଶ୍ବକପ୍ରେ ଭାରତର ପଲ୍ଲା ଭାରି: ୪୮ ବର୍ଷର ଦିନିକିଆ ବିଶ୍ବକପ୍ ଇତିହାସକୁ ତର୍ଜମା କଲେ ଜଣାପଡେ ୨୦୦୭ରେ ୱେଷ୍ଟ୍ଇଣ୍ଡିଜରେ ବାଂଲାଦେଶକୁ ପ୍ରଥମେ ଭେଟିଥିଲା ଭାରତ । ବିଗତ ୧୬ ବର୍ଷରେ ଖେଳାଯାଇଥିବା ୪ଟି ବିଶ୍ବକପ୍ ସଂସ୍କରଣରେ ଏହି ଦୁଇ ଦଳ ମଧ୍ୟରେ ୪ ଥର ମୁକାବିଲା ହୋଇଛି । ଯେଉଁଥିରେ ଭାରତ ୩-୧ରେ ଆଗୁଆ ରହିଛି । ୨୦୦୭ ମସିହାରେ ପୋର୍ଟ୍ ଅଫ୍ ସ୍ପେନ୍ରେ ଭାରତ ବାଂଲାଦେଶ ଠାରୁ ୫ ୱିକେଟ୍ରେ ପରାସ୍ତ ହୋଇଥିଲା । ଏହାପରଠାରୁ ବିଶ୍ବକପ୍ରେ ବାଂଲାଦେଶ ବିପକ୍ଷରେ ଅପରାଜିତ ଅଛନ୍ତି ମେନ୍ ଇନ୍ ବ୍ଲ୍ୟୁ । ୨୦୧୧ରେ ମୀରପୁରରେ ଭାରତ ୮୬ ରନ୍ରେ ବିଜୟ ଲାଭ କରିଥିଲା । ୨୦୧୫ରେ ମେଲ୍ବୋର୍ଣ୍ଣରେ ଭାରତ ୧୦୯ ରନରେ ବିଜୟ ଲାଭ କରିଥିଲା । ସେହିଭଳି ୨୦୧୯ରେ ଏଜ୍ବାଷ୍ଟନରେ ଭାରତ ୨୮ ରନ୍ରେ ବିଜୟ ଲାଭ କରିଥିଲା । ଏବେ ୫ମ ଥର ପାଇଁ ଦୁଇ ଟିମ୍ ପ୍ରସ୍ତୁତ ହେଉଛନ୍ତି । ଏବେ ସମସ୍ତଙ୍କ ନଜର ପୁଣେ ଫାଇଟ୍ ଉପରେ ।
ଇଟିଭି ଭାରତ, ଭୁବନେଶ୍ବର