ଭୁବନେଶ୍ବର: ରାଜଧାନୀରେ ଏବେ ବଟି ଆଦାୟର ନୂଆ ଫର୍ମୁଲା । ଏନେଇ ଠିକାଦାରଙ୍କୁ ହେବାକୁ ପଡୁଛି ହିନସ୍ତା । ଫଳରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ସମସ୍ତ ଠିକାଦାର ଓ ଠିକା ସଂସ୍ଥା । ତେବେ ଠିକାଦାରଙ୍କୁ ଆକ୍ରମଣ ପ୍ରତିବାଦରେ ଗତକାଲି (ରବିବାର) ବାଲିଅନ୍ତା ଥାନା ଘେରାଉ କରିଛନ୍ତି ଜୟଦେବ ଠିକାଦାର ସଙ୍ଘ ।
ଜୟଦେବ ପୀଠ ପାଖରେ ଥିବା ହର୍ବାଲ୍ ଗାର୍ଡେନ୍ର ପାଚେରୀ ନିର୍ମାଣ କାମ ଚାଲିଛି । ଠିକାଦାର କାମ ଚାଲୁ ରଖୁଥିବା ବେଳେ ଠିକା ସସ୍ଥା ନିମ୍ନମାନର କାମ କରୁଥିବା ନେଇ ସ୍ଥାନୀୟ କିଛି ଲୋକ ଅଭିଯୋଗ କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ । ଏନେଇ ଗତ ଶୁକ୍ରବାର ଦିନ ଜୟଦେବ ଠିକାଦାର ସଂଘ ପକ୍ଷରୁ ସଭାପତି ବିଶ୍ଵରଞ୍ଜନ ପାତ୍ର ସେଠାକୁ ଯାଇ ଏହାର ତଦାରଖ କରିଥିଲେ । ହେଲେ ସେଠାରେ କିଛି ଲୋକାଲ ଗୁଣ୍ଡା ତାଙ୍କ ସହ ପାଟିତୁଣ୍ଡ କରିଥିବା ବେଳେ ସଂଘର ସଭାପତି ବିଶ୍ଵରଂଜନ ପାତ୍ରଙ୍କୁ ଆକ୍ରମଣ କରିଥିଲେ । ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କୌଣସି କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା । ଯାହାକୁ ନେଇ ଗତକାଲି ଥାନା ଘେରାଉ କରିଥିଲା ଠିକାଦାର ସଙ୍ଘ ।
ତେବେ ଠିକା କାମ ବେଳେ ବଟି ଆଦାୟ କରିବା, ବଟି ନ ଦେଲେ କାମ କରୁଥିବା ସ୍ଥାନରେ ଉତ୍ତେଜନା କରିବା, କାମ ନିମ୍ନ ମାନର ଆଳ ଦେଖାଇ ସେଠାରେ ବିରୋଧ କରିବା ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଭୁବନେଶ୍ୱର ଏକାଧିକ ଅଞ୍ଚଳରେ ଏପରି ଘଟୁଛି । କେବଳ ସରକାରୀ କଣ୍ଟ୍ରାକ୍ଟର ନୁହେଁ ବେସରକାରୀ କଣ୍ଟ୍ରାକ୍ଟରଙ୍କ କୌଣସି ଠିକା ସଂସ୍ଥାର କାମ ଚାଲୁଥିଲେ ଏବେ ଭଡାଟିଆ ଗୁଣ୍ଡା ନେତାଗିରି ଦେଖାଇ ଦାଦାବଟି ଆଦାୟ କରୁଛନ୍ତି । ଯେପରିକି, ୨୦୨୩ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ଇନଫୋ ଭ୍ୟାଲି ଥାନା ଅଞ୍ଚଳରେ ଘର ତୋଳିବାକୁ ହେଲେ ଲୋକାଲ ବଟି ଦେବାକୁ ବାଧ୍ୟ କରୁଥିଲେ । ହଇରାଣ ହରକତ କରି ବାଟ ବନ୍ଦ କରିବା ଭଳି ଧମକ ଦେବା ଅଭିଯୋଗରେ ଜଣେ ଗିରଫ ହୋଇଥିଲା । ଲୋକାଲ୍ ଦଲାଲ ଓଗଳପଡାର ଗଗନ ସାହୁକୁ ଗିରଫ ପରେ କିପରି ଦାଦବଟି ମାଗୁଛନ୍ତି ତାହା ସାମ୍ନାକୁ ଆସିଥିଲା ।
ଏହା ମଧ୍ୟ ପଢନ୍ତୁ- ରାଜଧାନୀରେ ଦାଦାବଟିର ନୂଆ ଟ୍ରିକ୍, ଘର ତୋଳିଲେ ଦେବାକୁ ପଡୁଛି ଲୋକାଲ୍ ବଟି
ସେହିପରି 7ସେପ୍ଟେମ୍ବର 2023ରେ ୬ ନମ୍ବର ଅଞ୍ଚଳରେ ସରକାରୀ କ୍ବାଟର କାମ ଚାଲୁଥିବା ବେଳେ କଣ୍ଟ୍ରାକ୍ଟରକୁ ବଟି ମାଗିଥିଲେ ସ୍ଥାନୀୟ ନେତା । ସେଠାରେ ଓ୍ବାର୍ଡ ରାଜନୀତି ଆଢ଼ୁଆଳରେ ରହି ବଟି ମାଗିବା ସହ କାମ ଚାଲୁଥିବା ସ୍ଥାନରେ ଶ୍ରମିକ ଓ ମିସ୍ତ୍ରୀଙ୍କୁ ମାଡ଼ ମାରିଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ କଣ୍ଟ୍ରାକ୍ଟର କିଭଳି ବଟି ନ ଦେଲେ ଅତ୍ୟାଚାର ହେଉଛନ୍ତି ତାହା ସାମ୍ନାକୁ ଆସିଥିଲା । ଏଥିସହ ଗତ ଡିସେମ୍ବର 26ରେ ଚନ୍ଦ୍ରଶେଖରପୁର ଥାନାରେ ଭୂମି କନଷ୍ଟ୍ରକସନର ମାଲିକ ମାନସ ବେହେରାଙ୍କୁ ଦାଦାବଟି ଆକ୍ରମଣ ଅଭିଯୋଗରେ 5 ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।
ଇଟିଭି ଭାରତ, ଭୁବନେଶ୍ବର