ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରି ଦେଇଛି କଂଗ୍ରେସ । ରାଜ୍ୟରେ କିପରି ପୁଣି କ୍ଷମତାକୁ ଆସିବ ଓ ବ୍ଲକ ସ୍ତରରେ କିପରି ଦଳ ସୁଦୃଢ ହେବ ସେ ନେଇ ଜୋରସୋର ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତକୁ ପହଞ୍ଚାଇବାକୁ ଆସନ୍ତା ସେପ୍ଟେମ୍ବର 25ରୁ ଅକ୍ଟୋବର 15 ତାରିଖ ଯାଏ ଏକ ପଦଯାତ୍ରା କରିବ କଂଗ୍ରେସ । କେନ୍ଦ୍ରରେ ଥିବା ବିଜେପି ରାଜ୍ୟରେ ଥିବା ବିଜେଡି ବିରୋଧରେ ଜନ ଆନ୍ଦୋଳନ କରିବ କଂଗ୍ରେସ । ଏହି ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ଆଜି କଂଗ୍ରେସର ଏକ ମିଶ୍ରଣ ପର୍ବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, "ବିଜେପି ଓ ବିଜେଡି ଲୋକଙ୍କୁ ମିଥ୍ୟା ପ୍ରିତିଶ୍ରୁତି ଦେଉଛନ୍ତି । ବୁଲେଟ ଟ୍ରେନ, ତୈଳ ଦର, ଗ୍ୟାସ ଦର , ବର୍ଷକୁ ୨ କୋଟି ଚାକିରି, ଆକାଉଣ୍ଟକୁ ୧୫ ଲକ୍ଷ ଦେବାକୁ କେନ୍ଦ୍ର ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ମିଥ୍ୟା । ସେହିପରି ରାଜ୍ୟ ସରକାର କାଳିଆ, ନବୀନ ଓଡ଼ିଶା, ଆମ ଗାଁ ଆମ ବିକାଶ, ପିଠା, ଯୁବ ନୀତି, ଚାଷୀ ପ୍ରସଙ୍ଗକୁ ନେଇ କେବଳ ରାଜନୀତି କରୁଛନ୍ତି । ନିର୍ବାଚନ ଆସିଲେ ସେ ଯୋଜନା କରି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ଆଉ ଧରାଛୁଆଁ ଦେଉ ନାହାନ୍ତି । ବିଜେପି ବଳରେ ବିଜେଡି ବଳିୟାନ ହେଉଛି । ରାଜ୍ୟରେ କେବଳ କଂଗ୍ରେସ ସମୟରେ ଉନ୍ନତି ହୋଇଛି । ରାଜ୍ୟ ସରକାରଙ୍କର ଏହି ଜଙ୍ଗଲ ରାଜ ଆଉ ଚଳିବ ନାହିଁ । ଏହାର ଦୃଢ଼ ପ୍ରତିବାଦ କରାଯିବ ।"
ପିସିସି ସଭାପତି ଆହୁରି କହିଛନ୍ତି, "୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଆଦି ବିରୋଧରେ ଲୋକଙ୍କ ପାଖରେ ପହଞ୍ଚିବ ଦଳ । 600 କୋଟିରେ ଚନ୍ଦ୍ରଜାନ୍ ଚନ୍ଦ୍ରରେ ପହଞ୍ଚିଲା କିନ୍ତୁ 500କୋଟି ଟଙ୍କା ରେ ପାଣ୍ଡିଆନା ବାବୁଙ୍କ ହେଲି କପ୍ଟରରେ ବୁଲା ସରୁନାହିଁ । ଓଡ଼ିଶା ବାସୀଙ୍କ ଭାଗ୍ୟ କୁଆଡେ ଏଥିରୁ ସ୍ପଷ୍ଟ ହେଉଛିଉଭୟ ବିଜେଡି - ବିଜେପି ବିରୋଧରେ ଦଳ ଆନ୍ଦୋଳନ କରିବ । ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ଯାଏଁ କଂଗ୍ରେସ ଏକ ପଦଯାତ୍ରା କରିବ ।"
କଂଗ୍ରେସ ତାର ନିର୍ବାଚନୀ ଖସଡ଼ା ପ୍ରସ୍ତୁତ କରି ସାରିଛି । ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ବିଜେଡି ଏବଂ ବିଜେପିକୁ ଧରାଶାୟୀ କରିବାକୁ ଅଣ୍ଟା ଭିଡ଼ିଛି ରାଜ୍ୟ କଂଗ୍ରେସ । ଜାତୀୟ ସ୍ତରରେ କଂଗ୍ରେସ ଦେଶବାସୀଙ୍କ ଆସ୍ଥାଭାଜନ ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ରାଜ୍ୟ କଂଗ୍ରେସ ଏବେ ରାଜ୍ୟବ୍ୟାପୀ ଲଢ଼େଇ କରିବ । କଂଗ୍ରେସର ସ୍ୱର ଘରେ ଘରେ ପହଞ୍ଚିବାକୁ ନେଇ ରାଜ୍ୟ କଂଗ୍ରେସ "ଘରେ ଘରେ କଂଗ୍ରେସ , ଘରେ ଘରେ ହାତ "କାଯ୍ୟକ୍ରମର ଶୁଭାରମ୍ଭ କରିବାକୁ ଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର