ଭୁବନେଶ୍ବର: ସ୍ୱାଧୀନତା ସଂଗ୍ରାମରେ ଯେଉଁମାନେ ଟୋପାଏ ରକ୍ତ ଦେଇନାହାନ୍ତି । ସେମାନେ ତ୍ରିରଙ୍ଗା ଯାତ୍ରା କରୁଛନ୍ତି । ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ବିଜେପି ରାଜନୀତି କରୁଥିବା କହିଛି କଂଗ୍ରେସ । ପଣ୍ଡିତ ନେହେରୁଙ୍କ ବିରୋଧରେ ଦାୟିତ୍ବହୀନ ମନ୍ତବ୍ୟ ଦେଇଛନ୍ତି । ଯାହାକୁ କଂଗ୍ରେସ ଏହାକୁ ନିନ୍ଦା କରୁଛି । କଂଗ୍ରେସ ସାମ୍ପ୍ରଦାୟିକ ସଦଭାବନାରେ ବିଶ୍ୱାସ କରେ । ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଘୃଣାର ଦୋକାନ ବନ୍ଦ କରି ପ୍ରେମର ଦୋକାନ ଖୋଲିବାକୁ ଚେଷ୍ଟା କରୁଛନ୍ତି । ଏଥିରେ ବିଜେପି ଭୟଭୀତ ହୋଇଯାଇଛି । ତେଣୁ ଏପରି ରାଜନୀତି କରୁଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ମତ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ୫ବର୍ଷ ନେଇଛନ୍ତି କାମ କରନ୍ତୁ, ନିର୍ବାଚନ ପାଇଁ ଏତେ ତରତର କାହିଁକି: ଅପରାଜିତା
ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, " ବିଜେପି ଦଳର ପ୍ରଭାବ ଓଡ଼ିଶାବାସୀ ଠିକ୍ ବୁଝିସାରିଲେଣି । ଯେତେ ତ୍ରିରଙ୍ଗା ଯାତ୍ରା କରି ପାପ ଧୋଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସେମାନେ ସଫଳ ହେବେ ନାହିଁ । ଦେଶର ଜନସାଧାରଣଙ୍କ ମଧ୍ୟରେ ବିଷ ମଞ୍ଜି ପୋତିବା ପାଇଁ ପ୍ରଧାନମନ୍ତ୍ରୀ ୨୦୨୧ ଅଗଷ୍ଟ ୧୪ ତାରିଖ ଦିନ ରାଷ୍ଟ୍ରବ୍ୟାପୀ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିବାକୁ ଆହ୍ୱାନ ଦେଲେ । କିନ୍ତୁ ଭାରତର ଗଣତନ୍ତ୍ର ପ୍ରେମୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସର୍ବଧର୍ମ ସମଭାବ ଦର୍ଶନରେ ବିଶ୍ୱାସ କରନ୍ତି । ଏହି ଘୃଣାର ଦୋକାନଟି ଯେତେବେଳେ ଚାଲିଲା ନାହିଁ, ବିଗତ ୭୦ ବର୍ଷ ଧରି ସ୍ୱାଧୀନ ଭାରତର ଜାତୀୟ ପତାକାକୁ ଯେଉଁମାନେ ଗ୍ରହଣ କରୁନଥିଲେ ସେହିମାନେ ଆଜି ତ୍ରିରଙ୍ଗା ଯାତ୍ରା ନାମରେ ଜାତୀୟ ପତାକାକୁ ନେଇ ଏକ ପ୍ରହସନରେ ପରିଣତ କରିଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ: ଭୁବନେଶ୍ବରରେ ବିଜେପିର ବିଶାଳ ତ୍ରିରଙ୍ଗା ଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ବିଜେପି ଦଳର ଏଭଳି ରାଜନୀତିକୁ କଂଗ୍ରେସ ଦଳ ନିନ୍ଦା କରିବା ସହ ଦେଶବାସୀ ବିଜେପି ଦଳର ଅସଲ ରୂପକୁ ଦେଖିବା ଉଚିତ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ସେହିପରି କଂଗ୍ରେସ ନେତ୍ରୀ ଅପର୍ଣ୍ଣା ଧୀର ସିଂହ କହିଛନ୍ତି, ବିଜେପି ଦଳର ଜଣେ ବି କେହି ନେତା କୁହନ୍ତୁ ତାଙ୍କ ବାପା, ଅଜା, ଭାରତବର୍ଷରେ ସ୍ୱାଧୀନତା ସଂଗ୍ରାମରେ ବିନ୍ଦୁଏ ରକ୍ତ ଦେଇଥିଲେ । ରାହୁଲ ଗାନ୍ଧୀ ଘୃଣାର ଦୋକାନ ବନ୍ଦ କରି ପ୍ରେମର ଦୋକାନ ଖୋଲିବାକୁ ଚେଷ୍ଟା କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର