ଭୁବନେଶ୍ବର: ‘ଆମ ଓଡ଼ିଶା ନବୀନ ଓଡିଶା ଯୋଜନା’ ବିରୋଧରେ ବିର୍ଷିଲା କଂଗ୍ରେସ । ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରଛି କଂଗ୍ରେସର 20 ଜଣିଆ ପ୍ରତିନିଧି ଦଳ । କଂଗ୍ରେସ ଆଭିଯୋଗ ଆଣିଛି ଓଡିଶା ସରକାର ପଞ୍ଚାୟତରାଜ ବ୍ୟବସ୍ଥାକୁ ରୁଗ୍ଣ କରିଦେଇଛନ୍ତି । ସରକାର ଯୋଉଁ ‘ଆମ ଓଡ଼ିଶା ନବୀନ ଓଡିଶା ଯୋଜନା’ କରିଛନ୍ତି , ଏହି ଯୋଜନା ସମ୍ବିଧାନ, ଗଣତନ୍ତ୍ର ଏବଂ ପଞ୍ଚାୟତିରାଜ ବ୍ୟବସ୍ଥା ବିରୋଧୀ ବୋଲି କଂଗ୍ରେସ ଆଭିଯୋଗ କରିଛି । ଏହାକୁ ନେଇ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂଗଠନ ସଭାପତି ସୁଦର୍ଶନ ଦାସ କହିଛନ୍ତି ।
ସଭାପତି ସୁଦର୍ଶନ ଦାସ କହିଛନ୍ତି, ‘‘ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଛି । ଗ୍ରାମସଭା ନକରି ପ୍ରତି ପଞ୍ଚାୟତକୁ ଅସୁଥିବା 50 ଲକ୍ଷ ଟଙ୍କା ସରକାରୀ ଅଫିସରମାନେ ନିଜ ନାଁରେ ବିଲ କରୁଛନ୍ତି । ସମ୍ବିଧାନର 73ତମ ସଂଶୋଧନରେ ସ୍ପଷ୍ଟ କରାଯାଇଛି କି ପଞ୍ଚାୟତରେ ଯାହାବି ବିକାଶମୂଳକ କାର୍ଯ୍ୟ କରାଯିବ, ଗ୍ରାମସଭାର ଅନୁମୋଦନ ରହିବା ଜରୁରୀ । ବିଶେଷକରି ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଗୁଡ଼ିକରେ ଗ୍ରାମସଭାର ବିନା ଅନୁମୋଦନରେ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ। ‘ଆମ ଓଡିଶା ନବୀନ ଓଡିଶା’ ନାମରେ ହୋଇଥିବା ଏହି ଯୋଜନା ସମ୍ବିଧାନ ବିରୋଧୀ । ଯୋଜନା କୁ ନୁହେଁ ଯୋଜନାର ପ୍ରକ୍ରିୟାକୁ ବିରୋଧ କରୁଛି କଂଗ୍ରେସ । ପଞ୍ଚାୟତରେ ଯାହା ଖର୍ଚ୍ଚ ହେବ ତାର ନିର୍ଦ୍ଧାରଣ କାହିଁକି ଅଫିସର , ଜିଲ୍ଲାପାଳ, ବିଧାୟକ କରିବେ । ତାର ନିର୍ଦ୍ଧାରଣ କାହିଁକି ଗାଁ ଲୋକମାନେ ସରପଞ୍ଚ ନକରିବେ । ଏହି ବ୍ୟବସ୍ଥା ଅଣ ସାମ୍ବିଧାନିକ ହୋଇଥିବାରୁ ଆଗକୁ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବୁ। ଏହା ବିରୁଦ୍ଧରେ ନ୍ୟାୟିକ ସଂଗ୍ରାମ କରିବ ସହ ହାଇକୋର୍ଟରେ ପି ଆଇ ଏଲ ଫାଇଲ କରିବ କଂଗ୍ରେସ ।’’
ଅଧିକ ପଢନ୍ତୁ: ଡରାଉଛି ଡେଙ୍ଗୁ, ସିଏମସିର ଅପାରଗତା ଉପରେ ପ୍ରଶ୍ନ କଲା କଂଗ୍ରେସ
ସେ ଆହୁରୀ ମଧ୍ୟ କହିଛନ୍ତି, ‘‘ରାଜ୍ୟ ସରକାର ପୂର୍ବରୁ ଆମ ଗାଁ ଆମ ବିକାଶ ଯୋଜନା କାର୍ଯ୍ୟକାରୀ କରୁଥିଲେ, ଏବେ ଏହାକୁ ପରିବର୍ତ୍ତନ କରି ‘ଆମ ଓଡ଼ିଶା ନବୀନ ଓଡିଶା’ ଯୋଜନା କରିଛନ୍ତି । ଏହି ଯୋଜନାକୁ ପ୍ରତିଟି ପଞ୍ଚାୟତରେ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରିଥିଲେ । ପ୍ରତି ପଞ୍ଚାୟତକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ 50 ଲକ୍ଷ ଟଙ୍କା ଅର୍ଥ ରାଶି ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ । ଏହି 50 ଲକ୍ଷ ଟଙ୍କା କିଭଳି ଖର୍ଚ୍ଚ ହେବ ତାର ଚିଠା ସରକାରୀ ଅଧିକାରୀ ପ୍ରସ୍ତୁତ କରିବେ ବୋଲି ଏଥିରେ ନିଷ୍ପତ୍ତି ନିଆଯାଇଛି। ଯାହା ପଞ୍ଚାୟତରାଜ ବ୍ୟବସ୍ଥାର ବିରୋଧୀ ।’’ ସରକାର ଏହାର ଉଚ୍ଛେଦ ନକଲେ ଆଗକୁ ବଡଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ ।
ଇଟିଭି ଭାରତ, ଭୁବନେଶ୍ବର