ଭୁବନେଶ୍ବର: ମହାପ୍ରଭୁ ଲିଙ୍ଗରାଜଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ କରିବା ଦାବିରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜମିଜମା ଉପରେ ସ୍ୱତନ୍ତ୍ର ଆଇନ ଲାଗୁ ପାଇଁ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ପୁରୁଷାନୁକ୍ରମିକ ଭାବେ ବାସ କରୁଥିବା ସେବାୟତ ପରିବାର ଏବଂ ଅଣସେବାୟତ ପରିବାରଙ୍କର ସ୍ଥାୟୀ ପଟ୍ଟା ହେବା ଜରୁରୀ ବୋଲି ମତ ଦେଇଛନ୍ତି ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦିକା, ମୁଖପାତ୍ର ଏବଂ ଏକାମ୍ର କ୍ଷେତ୍ରର ବିଧାୟିକା ପ୍ରାର୍ଥୀ ରଶ୍ମି ମହାପାତ୍ର କହିଛନ୍ତି ।
୨୦୨୨ର ସିଏଜି ରିପୋର୍ଟ ଅନୁଯାୟୀ, ସାରା ଓଡ଼ିଶାରେ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ୧୫୨୩.୮୭୯ ଏକର ଜମି ଅଛି । ଏସବୁ ଜମିରୁ କୌଣସି ଆୟ ହେଉନାହିଁ । ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରଶାସନର ତଥ୍ୟ ଅନୁଯାୟୀ ୩୭ ଏକର ଜମି ଲୋକଙ୍କ ପାଖରେ ଥିବାବେଳେ ପ୍ରକୃତରେ ୫୦ ଏକରରୁ ଅଧିକ ଜମି ଲୋକଙ୍କ ପାଖରେ ରହିଛି । ଏହାସବୁ ଭୁବନେଶ୍ୱର ତହସିଲ ମଧ୍ୟରେ ଥିବାବେଳେ ଯେଉଁ ୩୭% ଜମି ଲିଙ୍ଗରାଜଙ୍କ ନାମରେ ଅଛି ସେଥିରେ ପ୍ରାୟ ଲକ୍ଷାଧିକ ଲୋକ ବସବାସ ସହ ବ୍ୟବସାୟ କରୁଥିବା ସମସ୍ତେ ସମସ୍ୟା ଘେରରେ ଅଛନ୍ତି । ଏହି ଜମିକୁ ନେଇ ସେମାନେ ପୁରୁଷ ପୁରୁଷ ଧରି ବହୁ ଅର୍ଥ ଖର୍ଚ୍ଚ କରି କେସ କରି ଚାଲୁଛନ୍ତି ।
ସେପଟେ ଲିଙ୍ଗରାଜଙ୍କ ପ୍ରଶାସନର ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ ହେଉଛି । ବହୁ ଲୋକଙ୍କ ସମ୍ବଳ ନଥିବାରୁ ବିଭିନ୍ନ କୋର୍ଟରେ ମକଦ୍ଦମା ପଡ଼ି ରହିଛି । କିଛି ଲୋକ କେସ କରି ହାଇକୋର୍ଟରେ ହାରି ସର୍ବସ୍ୱାନ୍ତ ହୋଇଥିବାବେଳେ ସୁପ୍ରିମକୋର୍ଟ ଯିବାପାଇଁ ଲୋକଙ୍କ ପାଖରେ ଆଉ ସମ୍ବଳ ନାହିଁ । ଏହାର ସୁଯୋଗ ନେଇ କିଛି ମୁଷ୍ଟିମେୟ ଅଫିସର ଭଲ ଭଲ ଯାଗାକୁ ହାତେଇବା ପାଇଁ କଳ ବଳ କୌଶଳ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । କିଛି ସେବାୟତ ପରିବାରଙ୍କୁ ବିଭିନ୍ନ ସେବାକୁ ପାଇଁ ଜମି ମିଳିଥିଲେ ବି ଘର ମରାମତି ବାବଦକୁ ବ୍ୟାଙ୍କରୁ ଋଣ ପାଇପାରିନାହାନ୍ତି ।
ସେହିପରି ସରକାର ଭେଣ୍ଡିଂ ଜୋନ କରି ସେମାନଙ୍କୁ ଥଇଥାନ ଦେବାର ପ୍ରତିଶୃତି ଦେଇଥିଲେ ମଧ୍ୟ ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ବିକ୍ରି ସ୍ଥାନର କୌଣସି ସ୍ଥାୟୀ ବ୍ୟବସ୍ଥା କରାଯାଇନାହିଁ । ଜାଗାର ଷ୍ଟାଟସ ଅସ୍ପଷ୍ଟ ଯୋଗୁଁ ଏପର୍ଯ୍ୟନ୍ତ ଜମି ବାବଦକୁ ବିସ୍ଥାପିତ ବ୍ୟକ୍ତିମାନଙ୍କୁ ଟଙ୍କାଟିଏ ସୁଦ୍ଧା ମିଳିନାହିଁ । କ୍ୟାବିନେଟରେ ନିଷ୍ପତ୍ତି କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆଇନ କାର୍ଯ୍ୟକାରୀ କରାଯାଇନାହିଁ । ଦେବୋତ୍ତର ଜମି କିଭଳି ଭାବେ ରାଜ୍ୟ ସରକାରଙ୍କୁ ଯାଇଛି ତାହା ପ୍ରଶ୍ନବାଚୀ । ଶ୍ରୀଜିଉଙ୍କ ସେବା ପୂଜା କରିବାପାଇଁ ମନ୍ଦିର ପ୍ରତିଷ୍ଠାତା ରାଜା ମହାରାଜା ଏବଂ ଦାତାମାନେ ମାନସିକ ପୂରଣ ସୁତ୍ରରେ ଦେଇଥିବା ନଜିର ରହିଛି।
"ଏଥିରେ ରାଜ୍ୟ ସରକାର କିଏ ?" ବୋଲି ପ୍ରଶ୍ନ କରିଛନ୍ତି ମହାପାତ୍ର? ଆଇନ ବିଭାଗ, ଦେବୋତ୍ତର ଏବଂ ମୁଖ୍ୟମନ୍ତ୍ରୀ ସେଥିପାଇଁ ଦାୟୀ । ଏଭଳି ଉଦାସୀନତା ଯୋଗୁଁ ମନ୍ଦିର ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ହାନୀ ହେବା ସହିତ ସେବାୟତମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ପୁରୀରେ ଯେଉଁଭଳି ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମି ସେବାୟତମାନଙ୍କ ନାମରେ କରିବାପାଇଁ ସରକାର ନିୟମ କଲେ ସେହିପରି ଶ୍ରୀ ଶ୍ରୀ ଲିଙ୍ଗରାଜଙ୍କ ସେବାୟତମାନଙ୍କ ବ୍ୟୟ ବନ୍ଦୋବସ୍ତ ଜମିକୁ ତାଙ୍କ ନାମରେ କରିବା ପାଇଁ ତୁରନ୍ତ ନିୟମ କରି ପଦକ୍ଷେପ ନେବାକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଏକାମ୍ର ଯୋଜନାରେ ସରକାର ଏକାମ୍ର ଶିଳାନ୍ୟାସ ଉତ୍ସବ ନେଇ ଘୋଷଣା କରିଛନ୍ତି। 3 ଦିନ ବ୍ୟାପୀ ଏହି ଉତ୍ସବ ଆୟୋଜିତ ହେବ। 26 ରୁ 28 ରାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହେବ। ହୋମଯଜ୍ଞ, ସାଂସ୍କୃତିକ କାର୍ଯ୍ୟକ୍ରମ, ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି।
ଇଟିଭି ଭାରତ, ଭୁବନେଶ୍ବର