ଭୁବନେଶ୍ୱର: ରାଜଧାନୀରେ ବଢୁଛି ଚୋରି, ଡକାୟତି, ଏବଂ ରାହାଜାନୀ । ଡକାୟତି ସହ ଘରୁ କଳାକନା ବୁଲାଉଛନ୍ତି ଅପରାଧୀ । ଧରିବା ତ ଦୂରର କଥା ଚିହ୍ନିବା ବି ପୋଲିସ ପାଇଁ ମୁସ୍କିଲ ହୋଇପଡିଛି । ଏସବୁ ଭିତରେ ବର୍ତ୍ତମାନ ଜନସାଧାରଣଙ୍କ ସାହାରା ଲୋଡିଛି ପୋଲିସ । ଏଥିପାଇଁ ବିଗତ କିଛି ଦିନ ଧରି ଭୁବନେଶ୍ୱର ବିଭିନ୍ନ ଥାନା ଅଞ୍ଚଳରେ ଚୋରି କରିଥିବା ଅପରାଧୀଙ୍କ କିଛି ତାଲିକା ପ୍ରସ୍ତୁତ କରିଛି ପୋଲିସ । ସେମାନଙ୍କ ଫଟୋ ଚିତ୍ର ସହ କିପରି ଚୋରି ଓ ଡକାୟତି କରୁଛନ୍ତି ସେ ନେଇ ଲୋକଙ୍କୁ ପୋଷ୍ଟର ଜରିଆରେ ଅବଗତ କରାଯାଉଛି । ଛକ ଛକରେ ଲାଗିଛି ଆପାର୍ଟମେଣ୍ଟ ଚୋରଙ୍କ ତାଲିକା । ପୋଷ୍ଟର ଦେଖି ଚିହ୍ନିପାରିଲେ ମିଳିବ ଅର୍ଥ ରାଶିର ପୁରସ୍କାର । ଏମିତି କିଛି ପୋଷ୍ଟର ଏବେ ଗଳିକନ୍ଦିରେ ଲଗାଉଛି କମିଶନରେଟ ପୋଲିସ ।
ବିଶେଷ କରି ପୋଲିସ ଦର୍ଶାଇଛି ଆପାର୍ଟମେଣ୍ଟ ଓ ଫ୍ଲାଟ୍ ଘରେ ପଶି ଏପରି ଚୋରି କରୁଛନ୍ତି । ତେଣୁ ସେମାନଙ୍କୁ ଚିହ୍ନିବା ସହ ଯଦି କେହି ସେମାନଙ୍କର ସୂଚନା ପାଆନ୍ତି । ତେବେ ସେନେଇ ପୋଲିସକୁ ଖବର ଦେବାକୁ ନିର୍ଦ୍ଦିଷ୍ଟ ଦୁଇଟି ଫୋନ ନମ୍ବର ଜାରି କରାଯାଇଛି । ଯେଉଁଥିରେ ସୂଚନାଦାତାଙ୍କ ତଥ୍ୟ ଗୋପନୀୟ ରଖାଯିବ । ଏହାସହ ୧୦ହଜାର ଟଙ୍କା ଅର୍ଥ ରାଶି ମଧ୍ୟ ପ୍ରଦାନ କରାଯିବ । ରାଜଧାନୀର ବାଲିଅନ୍ତା, ମଞ୍ଚେଶ୍ୱର, ପାହାଳ, ଇନଫୋସିଟି, ନନ୍ଦନକାନନ, ଭରତପୁର ଆଦି ଅଞ୍ଚଳର ବିଭିନ୍ନ ଚୋରି ଘଟଣାରେ ପୋଲିସ ପାଇଥିବା ଅପରାଧୀଙ୍କ ଫଟୋ ଓ ତଥ୍ୟ ସର୍ବସାଧାରଣ କରିଛି । ପୋଷ୍ଟର କରି ବିଭିନ୍ନ ଗଳି କନ୍ଦିରେ ଲଗାଇଛି ।
ଚୋରମାନେ ଏକୁଟିଆ ଘର, ନିଛାଟିଆ ଆପାର୍ଟମେଣ୍ଟ ଓ ଫ୍ଲାଟରେ ଲୁଟେରାମାନେ ଟାର୍ଗେଟ କରୁଛନ୍ତି । ମାରଣାସ୍ତ୍ର ସହ ମୁହଁରେ ମଙ୍କି କ୍ୟାପ୍ ସହ ଭିନ୍ନଭିନ୍ନ ଢଙ୍ଗରେ ଘରର ପାଚେରି ଡେଇଁ ବା ଘରର ଗ୍ରିଲ ତାଡ଼ି ଘର ଭିତରୁ କଳାକନା ବୁଲାଉଛନ୍ତି । ଆଲମାରି ଲକର ତାଡି ଲୁଟ କରୁଛନ୍ତି ସୁନା ଅଳଙ୍କାର ସହ ନଗଦ ଟଙ୍କା । ଏପରିକି କେହି ହାବୁଡ଼ରେ ପଡିଲେ ସେମାନଙ୍କୁ ମଧ୍ୟ ହାତଗୋଡ ବାନ୍ଧି ବା ସହ ଆକ୍ରମଣ କରିବାକୁ ମଧ୍ୟ ପଛାଉନାହାନ୍ତି ।
ଏଭଳି ଘଟଣା ଭୁବନେଶ୍ୱରରେ ସିରିଜ ଭାବେ ଘଟିଚାଲିଛି । ଏନେଇ କିଛି ଦିନ ପୂର୍ବେ କିଛି ସିକ୍ୟୁରିଟି ସଂସ୍ଥାର କର୍ମଚାରୀଙ୍କ ସହ ମଧ୍ୟ ବୈଠକ କରି ଆଲୋଚନା କରିଥିଲା ପୋଲିିସ । ଅନ୍ୟପଟେ ପୋଲିସ ରେକର୍ଡରେ ଏଭଳି ଅପରାଧୀଙ୍କ ସୁରାକ ମିଳୁନଥିବାବେଳେ ରାଜ୍ୟ ବାହାରର ଅପରାଧି ଏହି କାର୍ଯ୍ୟକଳାପ ସାମିଲ ଥିବା ପୋଲିସ ସୂଚନା ଦେଇଛି । ବର୍ତ୍ତମାନ ଦେଖିବାକୁ ବାକି ରହିଲା ପୋଷ୍ଟର ମାରିବା ପରେ ପୋଲିସକୁ କିଛି ତଥ୍ୟ ମିଳୁଛି କି ନାହିଁ ।
ଏହା ମଧ୍ୟ ପଢନ୍ତୁ ....ଆଜୀବନ ସଜା କାଟୁଥିବା କଏଦୀ ଜେଲରୁ ଚମ୍ପଟ
ଆସନ୍ତୁ ନଜର ପକାଇବା ନିକଟରେ ଆପାର୍ଟମେଣ୍ଟ ଚୋରି ଘଟଣା ଉପରେ: ଗତ ୧୨ଡିସେମ୍ବର ମଞ୍ଚେଶ୍ୱର ଥାନା ଅଞ୍ଚଳର ଗାଢକଣର ସ୍ପେସ ଟାଉନର ଆପାର୍ଟମେଣ୍ଟରୁ ସିରିଜ୍ ଚୋରି କରିଥିଲେ ଦୁର୍ବୃତ୍ତ । ଏକକାଳୀନ ୫ଟି ଫ୍ଲାଟରୁ ଚୋରି କରିଥିଲେ ଗହଣା ଟଙ୍କା ସହ ଦାମି ଜିନିଷ । ଗତ ୨୫ନଭେମ୍ବର ନନ୍ଦନକାନନ ଥାନା ରଘୁନାଥପୁର ମାରୁତି ଭିଲ୍ଲା ନିକଟ ଭାଓରା ରେସିଡେନ୍ସିରୁ ସଶସ୍ତ୍ର ଡକାୟତି କରିଥିଲେ ଦୁର୍ବୃତ୍ତ ।ଏନେଇ ହାତଗୋଡ ବାନ୍ଧି ରାକେଶ ଚାନ୍ଦଙ୍କୁ ପରିବାରକୁ ବାଥରୁମରେ ଲକ୍ କରି ଲୁଟି ନେଇଥିଲେ ଘର ।
ନଭେମ୍ବର ୫ତାରିଖରେ ମଧ୍ୟ ଭରତପୁର ଥାନା ଶ୍ରୀକ୍ଷେତ୍ର ରେସିଡେନ୍ସିରୁ ରାଜୀବ କୁମାରଙ୍କ ଘରୁ ଲୁଟି ନେଇଥିଲେ ଦୁର୍ବୃତ୍ତ । ସେହିପରି ୫ନଭେମ୍ବର ଇନଫୋସିଟି ଥାନା ରଶ୍ମି ଏନକ୍ଲେଭରୁ ଆପାର୍ଟମେଣ୍ଟରେ ଲୁଟପାଟ କରିଥିଲେ । ଏପରିକି ଘରର ବିଛଣା ଓ ସୋଫା ମଧ୍ୟ ଖେଳାଇ ଘରୁ ବାଛି ବାଛି ଲୁଟ କରିଥିଲେ ଜିନିଷ ।
ଇଟିଭି ଭାରତ ,ଭୁବନେଶ୍ୱର