ଭୁବନେଶ୍ବର: ଚଳିତ ମାସ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଏବେ ସୁଦ୍ଧା ରାଜ୍ୟର ୪୬୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିଅର କଲେଜରେ ସିସିଟିଭି ନଥିବା ଜଣାପଡ଼ିଛି । ଏନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକର ଅଧ୍ୟକ୍ଷଙ୍କୁ ସିସିଟିଭି ଲଗାଯିବା ବିଷୟରେ ପରିଷଦ ପୁଣିଥରେ ମନେ ପକାଇ ଦେଇଛି । ଏପରିକି ଆସନ୍ତା ୧୩ ତାରିଖ ସୁଦ୍ଧା ସିସିଟିଭି ଲଗାଇବା ଏବଂ ସ୍ଥିତି ସମ୍ପର୍କରେ ନ ଜଣାଇଲେ ସରକାରଙ୍କୁ ଜଣାଯିବ ବୋଲି କୁହାଯାଇଛି ।
ଯୁକ୍ତ ଦୁଇ ପରୀକ୍ଷାକୁ ଆଉ ଦୁଇ ମାସରୁ କମ୍ ସମୟ ଥିବାବେଳେ ଏଯାଏଁ ରାଜ୍ୟର ୪୬୧ ଜୁନିଅର କଲେଜରେ ସିସିଟିଭି ବ୍ୟବସ୍ଥା ହୋଇପାରିନି । ଏହି ଶିକ୍ଷାନଷ୍ଠାନ ଗୁଡ଼ିକର ପରୀକ୍ଷା ହଲ, ଲାବ୍ରୋଟୋରୀ ସମେତ ପରୀକ୍ଷା ପରିଚାଳନା ହବର ଷ୍ଟ୍ରଙ୍ଗରୁମ୍ ଆଦିରେ ସିସିଟିଭି ଲଗାଯାଇନାହିଁ । ସିସିଟିଭି ସ୍ଥିତି ଜଣାଇବାକୁ ପୂର୍ବରୁ ସବୁ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗତ ୩୦ ତାରିଖ ସୁଦ୍ଧା ସାମ୍ସ ଇ-ସ୍ପେସରେ ଉପଲବ୍ଧ ଥିବା ସିସିଟିଭି ଲିଙ୍କରେ ସମସ୍ତ ଶିକ୍ଷାନୁଷ୍ଠାନ ସିସିଟିଭି ଷ୍ଟାଟସ ଅପଡେଟ କରିବାକୁ କୁହାଯାଇଥିଲା ।
ଅଧିକାଂଶ ଜୁନିଅର କଲେଜ ଏନେଇ ତଥ୍ୟ ଅପଡେଟ୍ କରିନାହାନ୍ତି । ପରୀକ୍ଷା ପାଖେଇ ଆସୁଥିବାରୁ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଆସନ୍ତା ୧୩ ତାରିଖ ସୁଦ୍ଧା ସିସିଟିଭି ସ୍ଥାପନ କରି ସାମ୍ସ ଇ-ସ୍ପେସରେ ଶିକ୍ଷାନୁଷ୍ଠାନର ସ୍ଥିତି ଅପଡେଟ୍ କରିବାକୁ କୁହାଯାଇଛି। ଏଥିରେ ବିଫଳ ହେଲେ ସରକାରଙ୍କ ଦୃଷ୍ଟିକୁ ଏ ବିଷୟ ଅଣାଯିବ ବୋଲି ଚେତାଇ ଦିଆଯାଇଛି । ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଏନେଇ ୪୬୧ଟି ଜୁନିଅର କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ସିସିଟିଭି ଲାଗିନଥିବା ୪୬୧ଟି ଶିକ୍ଷାନୁଷ୍ଠାନର ତାଲିକାରେ ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ସେହିପରି ଅନୁଗୋଳ ଜିଲ୍ଲାର ୧୧ଟି ରହିଥିବାବେଳେ ବାଲେଶ୍ବରର ୨୩ଟି, ବରଗଡ଼ର ୧୪ଟି, ଭଦ୍ରକର ୧୫ଟି, ବଲାଙ୍ଗୀରର ୨୮ଟି, ବୌଦ୍ଧର ୯ଟି, କଟକର ୨୨ଟି, ଦେବଗଡ଼ର ୪ଟି, ଢ଼େଙ୍କାନାଳର ୧୦ଟି, ଗଜପତିର ୭ଟି, ଗଞ୍ଜାମର ୨୯ଟି, ଜଗତସିଂହପୁରର ୭ଟି, ଯାଜପୁରର ୧୯ଟି, ଝାରସୁଗୁଡ଼ାର ୩ଟି, କଳାହାଣ୍ଡିର ୨୪ଟି, କନ୍ଧମାଳର ୧୦ଟି, କେନ୍ଦ୍ରାପଡ଼ାର ୧୬ଟି, କେନ୍ଦୁଝରର ୯ଟି, କୋରାପୁଟର ୧୪ଟି, ମାଲକାନଗିରିର ୬ଟି, ମୟୁରଭଞ୍ଜର ୨୪ଟି, ନବରଙ୍ଗପୁରର ୧୨ଟି, ନୟାଗଡ଼ର ୧୪ଟି, ନୂଆପଡ଼ାର ୧୨ଟି, ପୁରୀର ୧୪ଟି, ରାୟଗଡ଼ାର ୧୪ଟି, ସମ୍ବଲପୁରର ୧୨ଟି, ସୋନପୁରର ୧୪ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାର ୨୨ଟି ରହିଛି ।
ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଜାରି ରହିବ । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଅନୁଷ୍ଠିତ ହେବ । ପରୀକ୍ଷା ପରିଚାଳନାକୁ ଦୃଷ୍ଟିରେ ରଖି ପରିଷଦ ପକ୍ଷରୁ ସିସିଟିଭି ଉପରେ ଗୁରୁତ୍ବ ଦିଆଯାଉଛି । ଏନେଇ ସବୁ ଜୁନିଅର କଲେଜକୁ ସିସିଟିଭି ଲଗାଇବାକୁ କୁହାଯାଇଛି ।
ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୩ ଲକ୍ଷ ୫୬ ହଜାର ୪୪୯ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମପୂରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩,୩୮,୭୪୭ଜଣ ରେଗୁଲାର ଏବଂ ୧୭,୭୦୨ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି । ରେଗୁଲାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାରେ ୨,୧୯,୧୧୦ ଜଣ ଥିବା ବେଳେ ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫,୧୧୦ଜଣ ରହିଛନ୍ତି । ଜାନୁଆରୀ ୧୫ ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ପରିଚାଳନା ହବ ସ୍ଥିର କରିବ ପରିଷଦ । ମାର୍ଚ୍ଚ ୧ ତାରିଖ ବୁଧବାର ଦିନ ସକାଳ ୧୦ଟାରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ମାତୃଭାଷା ପରୀକ୍ଷା ଆରମ୍ଭ ହେବ । ଏହି ପରୀକ୍ଷାର ସମୟ ସୀମା ୨ଘଣ୍ଟା ରହିବ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପରୀକ୍ଷା ଗୋଟିଏ ଦିନରେ ହେବ ।
ଇଟିଭି ଭାରତ, ଭୁବନେଶ୍ବର