ଭୁବନେଶ୍ବର: ଗଙ୍ଗନଗରରେ ପ୍ରତିଷ୍ଠା ହେବ ଇନିଷ୍ଟଚ୍ୟୁଟ ଅଫ ପବ୍ଲିକ ଅଡିଟ ଶାଖାର ନୂତନ ଭବନ । ଏଥିପାଇଁ ଗତକାଲି ସିଏଜି ଗିରିସ ଚନ୍ଦ୍ର ମୁର୍ମୁ ଶିଳାନ୍ୟାସ କରିଛନ୍ତି । ଏଜିର ଓଡିଶା ଶାଖାର କାର୍ଯ୍ୟ ଦକ୍ଷତା ଓ ନିଷ୍ଠା ପାଇଁ ସେ ଉଚ୍ଚ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏହି ଅନୁଷ୍ଠାନ ସମଗ୍ର ଦେଶରେ ଅଗ୍ରଣୀ ଭୂମିକା ନେବ ବୋଲି ସେ ଆଶା ପୋଷଣ କରିଛନ୍ତି ।
ସିଏଜି କହିଛନ୍ତି ଯେ, ଆଗାମୀ ଦିନରେ ଏହି ଅନୁଷ୍ଠାନ ସମଗ୍ର ଦେଶରେ ପଞ୍ଚାୟତିରାଜ ସଂସ୍ଥା, କର୍ପୋରେଟ ସଂସ୍ଥା, ସମାଜ କଲ୍ୟାଣ ଅନୁଷ୍ଠାନ, ଜିଲ୍ଲା ପରିଷଦ, ମୁନିସିପାଲିଟି ଓ ବିଭିନ୍ନ ଗବେଷଣା ଅନୁଷ୍ଠାନରେ ବିନିଯୋଗ ହେଉଥିବା ଅର୍ଥ କିପରି ଠିକ ଭାବେ ଉପଯୋଗ ହେଉ ଛି କି ନା ନାହିଁ ତଦାରଖ କରିବ । ଏହା ସହ ଏହାକୁ ଅଡିଟ କରୁଥିବା ଅନୁଷ୍ଠାନକୁ ସ୍ୱଚ୍ଛ ଓ ନିର୍ମଳ ହୋଇପାରିବ ତାହା ଦେଖିବା ସହ ସେମାନଙ୍କୁ ତାଲିମ ପ୍ରଦାନ କରିବ । ଏହା ପରେ ସେ ୟୁନିଟ 4ରେ ନିର୍ମାଣ କରାଯାଇଥିବା ନୂତନ ବହୁବିଧ କଲ୍ୟାଣ ମଣ୍ଡପକୁ ଲୋକାର୍ପଣ କରିଛନ୍ତି । ଏହି ମଣ୍ଡପ ସମାସିଙ୍କ କାର୍ଯ୍ୟରେ ଆସିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି ସମ୍ପତ୍ତି ଆପଣମାନଙ୍କର ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ଆପଣମାନଙ୍କର ବୋଲି ସେ କହିଛନ୍ତି । ଜାତୀୟ ଶାଖାର ସଭାପତି ତଥା ଉପଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ ସୁବାଷ ଚନ୍ଦ୍ର ପାଣ୍ଡେଙ୍କ ପୌରାହିତ୍ୟରେ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି ।
ଓଡିଶା ଶାଖାର ସଭାପତି ତଥା ପୂର୍ବତଟ ରେଳବାଇର ଅଡିଟର ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା, ମହାଲେଖାକାର ବିଶ୍ୱନାଥ ସିଂହ ଜାଦୋନ ଓ ସିଏଜିଙ୍କ ସଚିବ ଡ଼ ଆଶୁତୋଷ ଶର୍ମା ଅତିଥି ଭାବେ ଯୋଗ ଦେଇଛନ୍ତି । ଓଡିଶା ଶାଖାର ସଚିବ ଅଶ୍ୱନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ଶାଖାର ସଭାପତି କହିଛନ୍ତି ଯେ, ଏଭଳି ଭବନ ଦେଶରେ ପ୍ରଥମଥର ପାଇଁ ନିର୍ମାଣ କରାଯିବ । ଯାହାକି ଆଗାମୀ ଦିନରେ ଏହା ଅନ୍ୟ ଅଡିଟ ସଂସ୍ଥାକୁ ମାର୍ଗଦର୍ଶନ କରିବ । ଏହି ଅବସରରେ ଆୟୋଜିତ ଉଦଘାଟନୀ ସମାରୋହରେ ପ୍ରଧାନ ମହାଲେଖାକାର ରାଜ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି । ଉପ ମହାଲେଖାକାର ମନାଲିକା ବୋର୍ଗହାଇନି ଧନ୍ୟବାଦ ଅର୍ପଣ କରିଛନ୍ତି । ସିଏଜି ଓ ଡେପୁଟି ସିଏଜିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଉଦଘାଟନୀ ସ୍ମୃତିରେ ସିଏଜି ବୃକ୍ଷ ରୋପଣ କରିବା ସହ ଏ.ଜି କଲୋନୀ ବୁଲି କଲୋନୀବାସୀଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର