ଖୋର୍ଦ୍ଧା: ଓଡ଼ିଶାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା । ଏନେଇ ପ୍ରତିବାଦରେ ଗତକାଲିଠାରୁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲାମାନେ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରୁଛନ୍ତି । ସେହିପରି ଆଜି ଜିଲ୍ଲା ଅମଲା ମାନେ ଶିକ୍ଷା କାର୍ଯ୍ୟାଳୟ ଠାରେ ଏକତ୍ରୀତ ହୋଇ ଦାବି ପୂରଣ ପାଇଁ ନାରାବାଜି କରିବା ସହ କଳାବ୍ୟାଚ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଦାବି ପୂରଣ ପାଇଁ ପୂର୍ବରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ହେଲେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ମଇ ମାସ ୧ ତାରିଖ ଦିନ ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ରାଜ୍ୟ ଶାଖା ପକ୍ଷରୁ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହ ରାଜ୍ୟ ସରକାରଙ୍କୁ ମେ' ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲା ସ୍ତରୀୟ ଅମଲାଙ୍କ ଦାବି ପୂରଣ କରିବା ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଦାବି ପୂରଣ ନହେବାରୁ ଗତକାଲିଠାରୁ ମେ' ମାସ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରିଛନ୍ତି ଅମଲା ସଂଘ ।
ତେବେ ଏହାସତ୍ତ୍ବେ ଯଦି ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି ତେବେ ଆସନ୍ତା ଜୁନ ୧ ତାରିଖଠାରୁ ଓଡ଼ିଶାରେ କାର୍ଯ୍ୟରତ ସମସ୍ତ ଜିଲ୍ଲା ସ୍ତରୀୟ ଅମଲା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବେ ବୋଲି ଅମଲା ମଞ୍ଚର ରାଜ୍ୟ ଅଧ୍ୟକ୍ଷ ନାରାୟଣ ଦାସ କହିଛନ୍ତି । ଏନେଇ ଏହାର ପରିଣାମ ନିଶ୍ଚିତ ଭାବରେ ସରକାରଙ୍କ କ୍ଷତି କରିବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ନାରାୟଣ ଦାସ ପ୍ରକାଶ କରିଛନ୍ତି । ସେହିପରି ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାର ଜାଣିଶୁଣି ଅଣଦେଖା ଓ ଅବହେଳା କରି ଚାଲିଛନ୍ତି । ଏହାଦ୍ଵାରା ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ମନରେ ବହୁତ ନୈରାଶ୍ୟ ଓ ଅସନ୍ତୋଷ ଦେଖାଦେଇଛି । ଯାହାର ଫଳ ସ୍ୱରୂପ ଆଗାମୀ ଦିନରେ ଏକ ବିଶାଳକାୟ ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଥିବା କହିଛନ୍ତି ଜିଲ୍ଲା ଅମଲା ସଂଘ ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ।
ପ୍ରକାଶ ଥାଉକି,ରାଜ୍ୟ ସରକାର ୨୦୧୭ ମସିହାଠାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ ଆହରଣ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାଁନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ବିଭିନ୍ନ ଅମଲା ସଂଘ ମାନଙ୍କ ପକ୍ଷରୁ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ହୋଇସାରିଛି । କିନ୍ତୁ ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ଫଳ ମିଳିନଥିବା ଜଣାପଡିଛି
ଇଟିଭି ଭାରତ , ଖୋର୍ଦ୍ଧା